ନିୟମ କଡ଼ାକଡ଼ି କଲା ବିଏମ୍‌ସି ବିନା ମାସ୍କରେ ଦୋକାନ ମନା

0 65

ଭୁବନେଶ୍ୱର, ୧୬ା୭(ଡିକେ ନ୍ୟୁଜ): ରାଜ୍ୟରେ କରୋନା ସଂକମ୍ରଣ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ହେବ ଦୈନିକ ସଂକମ୍ରଣ ବହୁମାତ୍ରରେ ବୃଦ୍ଧି ପାଇବା ସହ ୧ହଜାର ଅତିକ୍ରମ କରିସାରିଛି । ତେବେ ସାରା ରାଜ୍ୟରୁ ଯେତିକି ସଂକମ୍ରଣ ମାମଲା ସାମ୍ନାକୁ ଆସୁଛି ତାହାର ଅର୍ଦ୍ଧାଧିକ ମାମଲା କେବଳ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି । ରାଜଧାନୀ ଭୁବନେଶ୍ୱରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ନିୟମ କଡାକଡି କରିଛି । କୋଭିଡ୍ ନିୟମ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଚେତାବନୀ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରିଛି ବିଏମସି । ବିନା ମାସ୍କରେ ମଲ, ଦୋକାନ, ଷ୍ଟୋରକୁ ପ୍ରବେଶ ମନା କରାଯାଇଛି । ନୋ ମାସ୍କ, ନୋ ଏଣ୍ଟ୍ରି, ନୋ ଗୁଡ୍ସର ବାର୍ତ୍ତା ରଖିବେ ଦୋକାନୀ । ବିନା ମାସ୍କରେ ଦୋକାନ, ମଲ, ଷ୍ଟୋରକୁ ପ୍ରବେଶ କରାଯିବ ନାହିଁ ବୋଲି ବିଏମସି କହିଛି । ଏଥି ସହିତ ମାସ୍କ ପିନ୍ଧିନଥିଲେ ତେଲ ନଦେବାକୁ ପେଟ୍ରୋଲ ପମ୍ପ ମାଲିକଙ୍କୁb ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ମହାନଗର ନିଗମ । ରାଜଧାନୀରେ ବଢୁଥିବା ସଂକ୍ରମଣ କାରଣରୁ ଆଜି ବିଏମ୍ସି ପକ୍ଷରୁ ଶନିବାର ନୂଆ ଗାଇଡଲାଇନ୍ ଜାରି ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବସବାସ କରୁଥିବା ଲୋକ ଓ ଭୁବନେଶ୍ୱରକୁ ବାହାରୁ ଆସୁଥିବା ଲୋକଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରାଯାଇଛି । ସମସ୍ତ ଦୋକାନ, ସପିଂମଲରେ ଗ୍ରାହକ ଓ ଦୋକାନୀ ମାସ୍କ ପିନ୍ଧିନଥିଲେ ପ୍ରବେଶ ନିଷେଧ କରାଯାଇଛି । ଦୋକାନ ବାହାରେ \”ନୋ ମାସ୍କ ନୋ ଏଣ୍ଟ୍ରି କିମ୍ବା ମାସ୍କ ନାହିଁ ତ ଜିନିଷ ନାହିଁ\’ର ପୋଷ୍ଟର ମାରିବାକୁ କୁହାଯାଇଛି । ପୂର୍ବ ମାର୍ଗଦର୍ଶିକା ସହିତ ଏହି ନିୟମ ପାଳନ ହେବ । ଏନେଇ ସବୁ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ ସମସ୍ତ କାର୍ଯ୍ୟାଳୟ ଏପରିକି ଭୁବନେଶ୍ୱରରେ ପ୍ରବେଶ କରୁଥିବା ଯାତ୍ରୀ, ପର୍ଯ୍ୟଟକ ଓ ବ୍ୟକ୍ତିବିଶେଷଙ୍କୁ ପାଇଁ ଏହି ନିୟମ ବାଞ୍ଛାନିୟ । ଏଥିରେ ଖିଲାପ କଲେ ଜୋରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମନକୁ ପ୍ରତିହତ କରିବାକୁ ଯାଇ ବିଏମସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ବିଏମ୍ସିର ଗାଇଡଲାଇନ୍ ଅନୁସାରେ ପେଟ୍ରୋଲ ପମ୍ପରେ ଯେଉଁ ଗ୍ରାହକ ମାସ୍କ ପିନ୍ଧିନଥିବେ ସେମାନଙ୍କୁ ପେଟ୍ରୋଲ/ଡିଜେଲ/ସିଏନ୍‌ଜି ବିକ୍ରି କରିବାକୁ ବାରଣ କରାଯାଇଛି । ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନର ମୁଖ୍ୟ ତଦାରଖ କରିବେ ଯେ ଅଫିସରେ ଥିବା ସମୟରେ ସମସ୍ତ କର୍ମଚାରୀ ମାସ୍କ ପରିଧାନ କରୁଛନ୍ତି କି ନାହିଁ । ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା, ହାତ ଧୋଇବା, ସର୍ବସାଧାରଣ ସ୍ଥଳ ରେ ଛେପ ନପକାଇବା ଭଳି କୋଭିଡ ନିୟମର ପାଳନ କରିବେ ବୋଲି ବିଏମ୍ସି ପକ୍ଷରୁ ପରାମର୍ଶ ଦିଆଯାଇଛି । ସର୍ବୋପରି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କୁହାଯାଇଛି ।

Leave A Reply

Your email address will not be published.