ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ

0 71

ଭୁବନେଶ୍ୱର, ୨୦ା୭(ଡିକେ ନ୍ୟୁଜ): ରାଜ୍ୟରେ ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ । ରାଜ୍ୟରେ ସାମ୍ପ୍ରଦାୟିକ ପରିସ୍ଥିତି ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଉପନିର୍ବାଚନଗୁଡ଼ିକ ଶୃଙ୍ଖଳିତ ଭାବରେ ଶେଷ ହୋଇଛି । ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ପୂର୍ବରୁ ବିଧାୟକମାନଙ୍କୁ ପ୍ରଦାନ କରାଯାଇଥିବା ଗୃହ ବିଭାଗର ଶ୍ୱେତପତ୍ରରେ ଏହା ଉଲ୍ଲେଖ ରହିଛି । ଶ୍ୱେତପତ୍ରରେ ପ୍ରଦତ୍ତ ତଥ୍ୟ ଅନୁସାରେ ଗତ ୨୦୨୧ ମସିହାରେ ୧୩୦୨୪ଟି ଚୋରି, ୫୧୩୮ଟି ପ୍ରତାରଣା, ୨୨୨୦ ମାରପିଟ୍‌ ଏବଂ ୩୩୨୭ଟି ଦୁଷ୍କର୍ମ ମାମଲା ପଞ୍ଜିକରଣ ହୋଇଛି । ତନ୍ମଧ୍ୟରୁ ଯଥାକ୍ରମେ ୧୨,୭୪୭ଟି ଚୋରି, ୪୮୬୭ ପ୍ରତାରଣା, ୨୧୫୫ ମାରପିଟ୍ ଏବଂ ୩୨୪୪ଟି ଦୁଷ୍କର୍ମ ମାମଲା ସତ୍ୟ ବୋଲି ପ୍ରମାଣିତ ହୋଇଛି । ଚୋରି ମାମଲାରେ ୫୪୫୮, ପ୍ରତାରଣାରେ ୧୪୦୬, ମାରପିଟରେ ୧୩୭୭ଟି ଏବଂ ଦୁଷ୍କର୍ମରେ ୨୩୩୫ଟି ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି । ସେହିପରି ଗତବର୍ଷ ୧୦,୯୮୩ ମୋଟରଯାନ ଦୁର୍ଘଟଣା ରୁଜୁ ହୋଇଛି ଓ ତନ୍ମଧ୍ୟରୁ ୭୧୦୮ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି । ସାମଗ୍ରିକ ଭାବେ ରାଜ୍ୟରେ ୧,୫୫,୪୨୦ଟି ଧର୍ତ୍ତବ୍ୟ ଅପରାଧ ରୁଜୁ କରାଯାଇଛି । ଏହା ମଧ୍ୟରେ ୧୩୯୪ଟି ହତ୍ୟା, ୫୫୨ଟି ଡକାୟତି, ୨୮୨୬ଟି ଲୁଣ୍ଠନ, ୫୧୩୩ଟି ସିନ୍ଧିଚୋରି, ୧୩୦୨୪ଟି ଚୋରି, ୫୧୩୮ଟି ପ୍ରତାରଣା, ୨୨୨୦ ଦଙ୍ଗା, ୩୩୨୭ ଧର୍ଷଣ, ୧୦୯୮୩ ମୋଟରଯାନ ଦୁର୍ଘଟଣା ଓ ୧୧୦୮୨୩ଟି ବିବିଧ ମାମଲା ରହିଛି । ସାମଗ୍ରିକ ଭାବେ ରୁଜୁ ହୋଇଥିବା ମାମଲା ମଧ୍ୟରୁ ୧,୪୯,୨୩୨ ସତ୍ୟ ବୋଲି ଜଣାପଡ଼ିଛି । ତନ୍ମଧ୍ୟରୁ ୧୦୬୨୮୩ଟି ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ରାଜ୍ୟରେ ୪୯୪୯ ଯୌତୁକ ନିର୍ଯାତନା ମାମଲା ମଧ୍ୟରୁ ୧୦୯୬ଟି ମକଦ୍ଦମା ତଦନ୍ତାଧିନ ରହିଛି । ସେହିପରି ୭୬୬ ମକଦ୍ଦମା ଅଣ ଯୌତୁକଜନିତ ତଦନ୍ତାଧିନ ରହିଛି । ଗତବର୍ଷ ୧୬ଟି ମାନବ ଚାଲାଣ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଅନ୍ୟପଟେ ମାଓବାଦୀ କାର୍ଯ୍ୟକଳାପ ସମ୍ପର୍କରେ ଶ୍ୱେତପତ୍ରରେ କୁହାଯାଇଛି, ୨୦୨୧ରେ ମାଓ କାର୍ଯ୍ୟକଳାପ ସାମଗ୍ରିକ ଭାବେ ନିୟନ୍ତ୍ରଣାଧୀନ ଅଛି । ମାଓବାଦୀ ପ୍ରଭାବିତ ୧୦ଟି ଜିଲ୍ଲା ମଧ୍ୟରୁ ପ୍ରଭାବୀ ଢଙ୍ଗରେ ପୋଲିସ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଯୋଗୁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଓ କଳାହାଣ୍ଡି-ରାୟଗଡ଼ା-କନ୍ଧମାଳ ଜିଲ୍ଲା ସମେତ ଅଧିକାଂଶ ଅଞ୍ଚଳର ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଥିଲା । ଏହିବର୍ଷ ମାଓବାଦୀମାନଙ୍କ ସହିତ ସଂଗଠିତ ୨୧ଟି ଗୁଳି ବିନିମୟ ଘଟଣା ସମେତ ରାଜ୍ୟରେ ମୋଟ୍ ୨୮ଟି ଘଟଣା ଘଟିଥିଲା । ଏଥିରେ ଦୁଇଜଣ ସାଧାରଣ ବ୍ୟକ୍ତିଙ୍କ ପ୍ରାଣହାନୀ ହୋଇଥିଲା ଓ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଥିଲେ । ପୋଲିସ ସହ ପୃଥକ ପୃଥକ ଗୁଳି ବିନିମୟ ଘଟଣାରେ ୭ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା ବେଳେ ୩୬ ଜଣଙ୍କୁ ଗିରଫ କରାଯାଇଥିଲା । ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ । କରୋନା ମହାମାରୀ ପରିପ୍ରେକ୍ଷୀରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଉଲ୍ଲଂଘନକାରୀଙ୍କୁ ଗିରଫ କରାଯାଇ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଚାରୁରୂପେ ପୋଲିସ ନିୟନ୍ତ୍ରଣ କରିବରେ ସଫଳ ହୋଇଛି ବୋଲି ଶ୍ୱେତପତ୍ରରେ କୁହାଯାଇଛି ।

Leave A Reply

Your email address will not be published.