ଆଜି ଦେଶ ପାଇବ ନୂଆ ରାଷ୍ଟ୍ରପତି

0 70

ନୂଆଦିଲ୍ଲୀ, ୨୦ା୭: କିଏ ହେବେ ପଞ୍ଚଦଶ ରାଷ୍ଟ୍ରପତି, ରାଇସିନା ହିଲ୍ ରେସ୍‌ରେ କିଏ ବାଜି ମାରିବେ ଦ୍ରୌପଦୀ ନା ଯଶୱନ୍ତ ? ଆସନ୍ତାକାଲି ଭୋଟ ଗଣତି ପରେ ତାହା ସ୍ପଷ୍ଟ ହେବ । ୪୭୯୬ ସାଂସଦ ଓ ବିଧାୟକଙ୍କ ମଧ୍ୟରୁ ୯୯ପ୍ରତିଶତରୁ ଅଧିକ ଭୋଟ ଦେଇଛନ୍ତି । ୩୯୯୭ ବିଧାୟକ ଓ ୭୬୩ ସାଂସଦ ଭୋଟ ଦେଇଛନ୍ତି । ୩୪ ବିଧାୟକ ଓ ୮ ସାଂସଦ ଭୋଟଦାନରୁ ବିରତ ରହିଥିଲେ । ସାଂସଦ ଓ ବିଧାୟକଙ୍କ ଭୋଟ ମୂଲ୍ୟ ୧୦ଲକ୍ଷ ୮୬ହଜାର ୪୩୧ ଥିବାବେଳେ ଜଣେ ସାଂସଦଙ୍କ ଭୋଟ ମୂଲ୍ୟ ୭୦୦ ରହିଛି । ଭିନ୍ନ ଭିନ୍ନ ରାଜ୍ୟ ପାଇଁ ବିଧାୟକଙ୍କ ଭୋଟ ମୂଲ୍ୟ ବି ଅଲଗା ଅଲଗା । ଓଡ଼ିଶାରୁ ଜଣେ ବିଧାୟକଙ୍କ ମୂଲ୍ୟ ୧୪୯ ଥିବାବେଳେ ବିଧାନସଭାର ମୋଟ ଭୋଟ ମୂଲ୍ୟ ରହିଛି ୨୧ହଜାର ୯୦୩ । ବିଜୟୀ ହେବାକୁ ଜଣେ ପ୍ରାର୍ଥୀଙ୍କୁ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଭୋଟ ଆବଶ୍ୟକ । ଦ୍ରୌପଦୀଙ୍କ ପ୍ରତି ସମର୍ଥନ ଦେଖିଲେ ତାଙ୍କୁ ମିଳିଥିବା ଭୋଟର ମୂଲ୍ୟ ୬ଲକ୍ଷ ୬୬ହଜାର ୨୮ । ଅର୍ଥାତ୍ ୬୧.୫୮ ପ୍ରତିଶତ ଭୋଟ ଦ୍ରୌପଦୀଙ୍କୁ ମିଳିପାରେ । ସେହିପରି ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମିଳିଥିବା ଭୋଟର ମୂଲ୍ୟ ରହିପାରେ ୪ଲକ୍ଷ ୧୩ହଜାର ୭୨୮ ଅର୍ଥାତ୍ ତାଙ୍କୁ ୩୮.୨୯ ପ୍ରତିଶତ ଭୋଟ ମିଳିପାରେ । ୧୧ ରାଜ୍ୟ ଏବଂ ପୁଡୁଚେରୀରେ ଶତପ୍ରତିଶତ ମତଦାନ ହୋଇଥିବା ବେଳେ ଯଶୱନ୍ତଙ୍କଠାରୁ ଆଗରେ ଦ୍ରୌପଦୀ ଥିବା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଭୋଟ ଗଣତି ପୂର୍ବରୁ ଓଡ଼ିଶାରେ କ୍ରସ୍ ଭୋଟିଂକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପି ବିଧାୟକ ମୋହନ ମାଝୀ ଆଜି ବଡ଼ ବୟାନ ଦେଇ କହିଛନ୍ତି ଯେ, ଦ୍ରୌପଦୀଙ୍କୁ ମହମ୍ମଦ ମୋକିମ୍‌ଙ୍କ ସହ ଅନ୍ୟ ଜଣେ କଂଗ୍ରେସ
ବିଧାୟକ ଭୋଟ ଦେଇଛନ୍ତି । କଂଗ୍ରେସ କିନ୍ତୁ ଏହାକୁ ଖଣ୍ଡନ କରିଛି । ବିଧାୟକ ତାରାପ୍ରସାଦ ବାହିନୀପତି ଓ ସୁରେଶ ରାଉତରାୟ କହିଛନ୍ତି ମୋକିମଙ୍କୁ ଛାଡ଼ି ଦଳର ୮ରୁ ୮ ଭୋଟ ଯଶୱନ୍ତ ସିହ୍ନାଙ୍କୁ ଯାଇଛି । ବରଂ ବିଜେପିର ଦୁଇଜଣ ଯଶୱନ୍ତଙ୍କ ସପକ୍ଷରେ ଭୋଟ ଦେଇଛନ୍ତି । ୧୪୭ ସଦସ୍ୟଙ୍କ ମଧ୍ୟରୁ ବିଧାନସଭାରେ ୧୪୫ଜଣ ଭୋଟ ଦେଇଥିଲେ । କେବଳ ମୋକିମ କ୍ରସ୍ ଭୋଟିଂ କଥା ଖୋଲାଖୋଲି କହିଥିବା ବେଳେ ଆଉ କେହି କ୍ରସ୍ ଭୋଟିଂ କରିଛନ୍ତି ନା ନାହିଁ କାଲି ଜଣାପଡ଼ିବ ।

Leave A Reply

Your email address will not be published.