ରାଷ୍ଟ୍ର ହିତରେ କାମ କରିବା ସାଂସଦଙ୍କ ପ୍ରାଥମିକତା: କୋବିନ୍ଦ ସୋମବାର ପୂର୍ବାହ୍ନ ୧୦.୧୪ରେ ଶପଥ ନେବେ ଦ୍ରୌପଦୀ

0 69

ନୂଆଦିଲ୍ଲୀ, ୨୩ା୭: ସରିଲା ଦେଶର ୧୪ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ବିଦାୟକାଳୀନ ସମାରୋହ ଶନିବାର ସନ୍ଧ୍ୟାରେ ସଂସଦ ଭବନର ସେଣ୍ଟ୍ରାଲ ହଲରେ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତି ଓମ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସରକାରର ବିଭିନ୍ନ ମନ୍ତ୍ରୀ ଏବଂ ଦୁଇ ଗୃହର ସଦସ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଲୋକସଭା ବାଚସ୍ପତି ଓମ ବିର୍ଲା ରାଷ୍ଟ୍ରପତି କୋବିନ୍ଦଙ୍କୁ ସ୍ୱାଗତ କରିଥିଲେ ଏବଂ ତାଙ୍କ କାର୍ଯ୍ୟକୁ ମନେ ପକାଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ମୋର ହୃଦୟରେ ଅନେକ ସ୍ମୃତି ରହି ଯାଇଛି । ଏହି ସଂସଦ ଭବନରେ ମୁଁ ଅନେକ ବର୍ଷ ବିତାଇଛି । ମୁଁ ଏହି ସେଣ୍ଟ୍ରାଲ ହଲରେ ହିଁ ରାଷ୍ଟ୍ରପତି ପଦର ଶପଥ ନେଇଥିଲି । ଆପଣ ସମସ୍ତଙ୍କୁ ଜଣେ ସାଂସଦ ହିସାବରେ ସମ୍ମାନ ରହିଛି । ରାଷ୍ଟ୍ରପତି ହିସାବରେ ସେବା କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞ ରହିବି । ଏଥିସହ ସମସ୍ତ ସାଂସଦଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଆପଣଙ୍କ ସହଯୋଗରେ ସଠିକ୍ ଢଙ୍ଗରେ କାମ ହୋଇ ପାରିଛି । ସମସ୍ତ ପୂର୍ବତନ ରାଷ୍ଟ୍ରପତି ମୋ ପାଇଁ ପ୍ରେରଣା ବୋଲି ରାମନାଥ କୋବିନ୍ଦ କହିଛନ୍ତି । ରାଷ୍ଟ୍ରପତି କହିଛନ୍ତି, ସାଂସଦ ଏବଂ ରାଷ୍ଟ୍ରପତି ଗୋଟିଏ ବିକାଶ ଯାତ୍ରାର ସହଯାତ୍ରୀ । ଆମର ସମ୍ବିଧାନ ଆମ ଭାରତୀୟଙ୍କ ଦ୍ୱାରା ଅଙ୍ଗୀକୃତ, ଅଧିକୃତ ରହିଛି । ରାଷ୍ଟ୍ରପତି ସଂସଦୀୟ ପରିବାରର ଏକ ଅଭିନ୍ନ ଅଙ୍ଗ । ଆମେ ସମସ୍ତ ସଂସଦରୂପୀ ପରିବାରର ଜଣେ ଜଣେ ସଦସ୍ୟ । ଏଥିରେ ମତଭେଦ ମଧ୍ୟ ରହିଥାଏ । ପାର୍ଟିକୁ ଦଳଗତ ରାଜନୀତିରୁ ଊର୍ଦ୍ଧ୍ୱରେ ଉଠି ଦେଶହିତ ପାଇଁ ଚିନ୍ତା କରିବା ଉଚିତ । ବିରୋଧ ପାଇଁ ସମସ୍ତ ରାସ୍ତା ଅଛି, ମାତ୍ର ଗାନ୍ଧୀବାଦୀ ଢଙ୍ଗରେ ରହିଲେ ଭଲ ହେବ । ଏହି ସମୟରେ ରାଷ୍ଟ୍ରପତି ସରକାରଙ୍କ କାମର ମଧ୍ୟ ପ୍ରଶଂସା କରିଛନ୍ତି । ମୋ କାର୍ଯ୍ୟକାଳରେ ଦୁଇଟି ଆୟୋଜନ ଗୁରୁତ୍ୱପୂର୍ଣ୍ଣ ରହିଛି । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଗାନ୍ଧୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ । ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ମଧ୍ୟ ବହୁତ ଭଲ କାର୍ଯ୍ୟକ୍ରମ । ଦୁଇ କାର୍ଯ୍ୟକ୍ରମର ଅଂଶ ବିଶେଷ ହୋଇଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁଛି । କୋଭିଡ୍ ମହାମାରୀ ଆମକୁ ଅନେକ ଶିକ୍ଷା ଦେଇଛି ବୋଲି ଶ୍ରୀ କୋବିନ୍ଦ ବିଦାୟକାଳୀନ ସମ୍ବର୍ଦ୍ଧନାରେ କହିଛନ୍ତି । ସୋମବାର ୧୦.୧୪ ମିନିଟ୍‌ରେ ନୂଆ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ପ୍ରଧାନ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ ୧୦.୧୮ରେ ଶପଥ ରେଜିଷ୍ଟରରେ ଦ୍ରୌପଦୀ ଦସ୍ତଖତ କରିବା ପରେ ଗୃହ ସଚିବ ଘୋଷଣାନାମା ଜାରି କରିବେ ।

Leave A Reply

Your email address will not be published.