ଆଜି ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି

0 68

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୪ା୭(ଡିକେ ନ୍ୟୁଜ): ଆସନ୍ତାକାଲି ଦେଶରେ ଲେଖାଯିବ ନୂଆ ଇତିହାସ । ଦେଶ ପାଇବ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । କାଲି ସକାଳ ୧୦ଟା ୧୪ରେ ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ସଂସଦର ସେଣ୍ଟ୍ରାଲ ହଲ୍‌ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ତାଙ୍କୁ ଶପଥପାଠ କରାଇବେ । ଏଥାପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଦିନ ୯ଟା ୧୭ରେ ବିଦାୟୀ ରାଷ୍ଟ୍ରପତି ନିଜ ଆପାର୍ଟମେଣ୍ଟ ଛାଡି କାବେରୀ ଅଭିମୁଖେ ବାହାରିବେ । ଦିନ ୯ଟା ୨୨ରେ ଦ୍ରୌପଦୀ ମୁର୍ମୁ ନର୍ଥ କୋର୍ଟରେ ପହଞ୍ଚିବେ ଓ କାବେରୀରେ ବିଦାୟୀ ରାଷ୍ଟ୍ରପତି ତାଙ୍କୁ ସ୍ୱାଗତ କରିବେ । ଦିନ ୯ଟା ୩୭ରେ ରାଷ୍ଟ୍ରପତିଙ୍କସାମରିକ ସଚିବ ଫୋରକୋର୍ଟରେ ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀଙ୍କଠାରୁ ସାଲ୍ୟୁଟ୍‌ ନେବେ । ଦିନ ୯ଟା ୪୨ରେ ବିଦାୟୀ ଓ ନବ ନିର୍ବାଚିତ ରାଷ୍ଟ୍ରପତି ଦରବାର ହଲ ଅଭିମୁଖେ ବାହାରିବେ । ଦିନ ୯ଟା ୫୦ରେ ଦ୍ରୌପଦୀ ମୁର୍ମୁ ନର୍ଥକୋର୍ଟ ଛାଡି ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ ଅଭିମୁଖେ ଯିବେ । ଦିନ ୧୦ଟା ୫ରେ ରାଷ୍ଟ୍ରପତିଙ୍କ ଶୋଭାଯାତ୍ରା ସେଣ୍ଟ୍ରାଲ ହଲ ପର୍ଯ୍ୟନ୍ତ ଯିବ । ଦିନ ୧୦ଟା ୧୪ରେ ମୁର୍ମୁଙ୍କୁ ଶପଥ ପାଠ କରାଇବେ ପ୍ରଧାନ ବିଚାରପତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ । ତେବେ ଭଉଣୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆରିସା ପିଠା ଓ ଝେଲ ଶାଢୀ ଉପହାରରେ ଦେବେ ମୁଖ୍ୟମନ୍ତ୍ରୀ । ସୋମବାର ସାରାଦେଶର ନଜର ଟିଭି ପରଦା ଉପରେ ଲାଖିରହିବ । କାରଣ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ଏପଟେ ରବିବାର ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରାଷ୍ଟ୍ରପତି ଭବନରେ ଥିଲା ଶେଷଦିନ । ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାମନାଥ କୋବିନ୍ଦ । ଗତକାଲି ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ବିଦାୟ ସମାରୋହରେ ଏକାଠି ହୋଇଥିଲେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ଉଭୟ ସଦନର ସାଂସଦ ଏବଂ ବିଶେଷ ଅତିଥି । ତେବେ ରାଷ୍ଟ୍ରପତି ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ରାମନାଥ କୋବିନ୍ଦ । ଆସନ୍ତାକାଲି ପାଇଁ ଦ୍ରୌପଦୀ ମୁର୍ମୁଙ୍କ ଝିଅ, ପରିବାରର ଅନ୍ୟ ସଦସ୍ୟଙ୍କ ସହ ସହପାଠୀ ଓ ବନ୍ଧୁବାନ୍ଧବଙ୍କୁ ମିଶାଇ ୫୦ରୁ ଅଧିକ ଲୋକଙ୍କୁ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇ ଆମନ୍ତ୍ରଣ କରାଯାଇଛି । ମୟୁରଭଞ୍ଜ ଜିଲ୍ଲାର ୬ ବିଜେପି ବିଧାୟକ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ଦ୍ରୌପଦୀଙ୍କ ଶପଥ ସମାରୋହରେ ଯୋଗ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ସମାରୋହରେ ଉପସ୍ଥିତ ରହିବେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି, ଲୋକସଭା ବାଚସ୍ପତି, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ସାଂସଦ, ଭାରତ ସରକାରଙ୍କ ପ୍ରମୁଖ ସାମରିକ ଓ ବେସାମରିକ ଅଧିକାରୀ । ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପରେ ୨୧ଟି ତୋପ ସଲାମୀ ଦିଆଯିବା ବିଧି ରହିଛି । ରାଷ୍ଟ୍ରପତି ଭବନ ଯିବା ପରେ ସେଠାରେ ଇଣ୍ଟର ସର୍ଭିସ ଗାର୍ଡ
ଅଫ ଅନର ପ୍ରଦାନ କରାଯିବ ।

Leave A Reply

Your email address will not be published.