ପୁଣି ଡରାଇଲାଣି ମଙ୍କିପକ୍ସ ବିଶ୍ୱରେ ୧୬ ହଜାର ସଂକ୍ରମିତ ଚିହ୍ନଟ

0 74

ନୂଆଦିଲ୍ଲୀ, ୨୪ା୭: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍‌ଓ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିବା ପରେ ଏହାକୁ ନେଇ ଲୋକଙ୍କ ମନରେ ଖେଳିଲାଣି ଆତଙ୍କ । ଯେହେତୁ ଅଳ୍ପ ଦିନ ଭିତରେ ବିଶ୍ୱର ୭୦ ଦେଶର ୧୬ ହଜାର ମଙ୍କିପକ୍ସ କେସ ଚିହ୍ନଟ ହୋଇଛି ଓ ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିଛନ୍ତି । ଏହି ରୋଗ ଭଲ ହେବାକୁ ୪ରୁ ୧୦ ସପ୍ତାହ ଲାଗୁଛି । ତେଣୁ ଏଭଳି ଲକ୍ଷଣ ଦେବା ମାତ୍ରେ ରୋଗୀଙ୍କୁ ଆଇସୋଲେଟ କରି ରଖିବା ଉଚିତ । ତାହେଲେ ଯାଇ ଅନ୍ୟକୁ ସଂକ୍ରମଣକୁ ରୋକା ଯାଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । କାରଣ ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ନିଜେ ସଚେତନ ରହିଲେ ହିଁ ମଙ୍କିପକ୍ସକୁ ରୋକାଯାଇପାରିବ । ଏବେ ମଙ୍କି ପକ୍ସ ଲାଗି କେବଳ ଡେନ୍‌ମାର୍କର ଏକ କମ୍ପାନି ଟିକା ନିର୍ମାଣ କରୁଛି । ଭାରତରେ ଏବେ ଏହାର କୌଣସି ଟିକା ନାହିଁ । ଯେହେତୁ ଅଳ୍ପଦିନ ଭିତରେ ଏହା କେରଳ ଓ ଦିଲ୍ଲୀକୁ ମଙ୍କିପକ୍ସ ଛୁଇଁଲାଣି, ଓଡ଼ିଶାକୁ ଆସିବନି ବୋଲି କହିହେବନି । ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି । ସେହିପରି ଦେଶରେ ଚିନ୍ତା ବଢ଼ାଇଲା ମଙ୍କିପକ୍ସ ଭୂତାଣୁ । କେରଳ ପରେ ଏବେ ଦେଶର ରାଜଧାନୀ ଦିଲ୍ଲୀରୁ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ ମାମଲା । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ଏହି ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଯାଞ୍ଚ ଚାଲିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । ପିଟିଆଇ ରିପୋର୍ଟ ମୁତାବକ, ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୩୧ ବର୍ଷ । ସେ ନିକଟରେ ହିମାଚଳ ପ୍ରଦେଶର ଏକ ଷ୍ଟେଜ ଶୋ\’ରେ ଯୋଗ ଦେଇଥିଲେ । ଜ୍ୱର ଓ ଚର୍ମରେ କ୍ଷତ ଯୋଗୁ ତାଙ୍କୁ ପ୍ରାୟ ତିନି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କ ନମୂନା ପରୀକ୍ଷା ପାଇଁ ପୁଣେ ପଠାଯାଇଥିଲା । ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ ମୌଲାନା ଆଜାଦ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଏହାକୁ ମିଶାଇ ଭାରତରେ ମୋଟ ୪ ଜଣ ମଙ୍କିପକ୍ସ ଭାଇରସରେ ଆକ୍ରାନ୍ତ ହୋଇସାରିଲେଣି । ଏହାପୂର୍ବରୁ କେରଳରୁ ୩ ଜଣ ମଙ୍କିପକ୍ସର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜୁଲାଇ ୧୪ରେ ପ୍ରଥମ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଥିଲା । ଏନେଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଣା ଜର୍ଜ ଖୋଦ୍ ସୂଚନା ଦେଇଥିଲେ । ଆକ୍ରାନ୍ତ ବ୍ୟକ୍ତି ଜଣକ ଦୁବାଇରୁ ଫେରିଥିଲେ । ମଙ୍କିପକ୍ସର ଲକ୍ଷଣ ଦେଖାଦେବା ପରେ ତାଙ୍କୁ କେରଳର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାର ୪ ଦିନ ପରେ ଅର୍ଥାତ ଜୁଲାଇ ୧୮ରେ କେରଳରୁ ଦ୍ୱିତୀୟ ମାମଲା ସାମ୍ନାକୁ ଆସିଥିଲା । ଦୁବାଇରୁ ଫେରିଥିବା ଜଣେ ବ୍ୟକ୍ତି ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଏହାପରେ ଜୁଲାଇ ୨୨ରେ ତୃତୀୟ ମାମଲା ସ୍ପଷ୍ଟ ହୋଇଥିଲା । ଏହି ତିନି ଆକ୍ରାନ୍ତଙ୍କ ଦୁବାଇ କନେକ୍ସନ ଥିବା ଜଣାପଡିଥିଲା । ଏହି ତିନି ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଉପରେ କେରଳ ସ୍ୱାସ୍ଥ୍ୟ ବିଭାଗ ତୀକ୍ଷ୍ଣ ନଜର ରଖିଛି ।

Leave A Reply

Your email address will not be published.