ଏଲ୍‌ପିଜି ସବ୍‌ସିଡି ବନ୍ଦ: ୧୧,୬୫୪ କୋଟି ସଞ୍ଚୟ

0 77

ନୂଆଦିଲ୍ଲୀ : ରନ୍ଧନ ଗ୍ୟାସରେ ସବ୍‌ସିଡି ବନ୍ଦ କରି କେନ୍ଦ୍ର ସରକାର ନିଜ ଭଣ୍ଡାରରେ କୋଟି କୋଟି ଟଙ୍କା ଯୋଡ଼ିଛନ୍ତି । ୨୦୨୦-୨୧ରେ ସରକାର ଏଲ୍‌ପିଜି ସବ୍‌ସିଡି ଆକାରରେ ୧୧,୮୯୬ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ୨୦୨୧- ୨୨ରେ ଏହା ମାତ୍ର ୨୪୨ କୋଟି ଟଙ୍କା ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହିଭଳି ଭାବେ ସବ୍‌ସିଡି ବନ୍ଦ କରି ସରକାର ମାତ୍ର ଗୋଟିଏ ଆର୍ଥିକ ବର୍ଷରେ ୧୧,୬୫୪ କୋଟ ଟଙ୍କା ସଞ୍ଚୟ କରିଛନ୍ତି । ପେଟ୍ରୋଲିୟମ ମନ୍ତ୍ରାଳୟ ଅନୁସାରେ, ଆର୍ଥିକବର୍ଷ ୨୦୧୭-୧୮ରେ ଏଲ୍‌ପିଜି ସବ୍‌ସିଡି ବାବଦ ୨୩,୪୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ଯାହା ଆର୍ଥିକବର୍ଷ ୨୦୧୮-୧୯ରେ ୩୭,୨୦୯ କୋଟି ଟଙ୍କାରେ ପହଞ୍ଚିଯାଇଥିଲା । ଏହା ପରେ ସରକାର ଲୋକଙ୍କୁ ସବ୍‌ସିଡି ଛାଡ଼ିବା ପାଇଁ ଅନୁରୋଧ କରିଥିଲେ ଏବଂ କୋଟି କୋଟି ଗ୍ରାହକ ନିଜ ଇଚ୍ଛାରେ ସବ୍‌ସିଡି ପ୍ରତ୍ୟାହାର କରିଥିଲେ । ଫଳରେ ୨୦୧୯- ୨୦ରେ ସରକାରଙ୍କ ଖର୍ଚ୍ଚ ହ୍ରାସ ପାଇ ୨୪,୧୭୨ କୋଟିକୁ ଖସିଗଲା । ୨୦୨୦-୨୧ରେ ଏଥିରେ ପ୍ରାୟ ୫୦%ରୁ ଅଧିକ ହ୍ରାସ ଘଟିଲା ଏବଂ ସବ୍‌ସିଡି ଖର୍ଚ୍ଚ ୧୧,୮୯୬ କୋଟି ଟଙ୍କାକୁ କମିଗଲା । ଏହା ପରେ ୨୦୨୧-୨୨ରେ ଏ ବାବଦ ଖର୍ଚ୍ଚ ମାତ୍ର ୨୪୨ କୋଟି ଟଙ୍କାକୁ ଖସିଆସିଲା । ଏଭଳି ଭାବେ ସବ୍‌ସିଡି ବନ୍ଦ କରି ସରକାର ବୃହତ୍ ମାତ୍ରାରେ ପାଣ୍ଠି ସଞ୍ଚୟ କରିଥିବା ଜଣାପଡ଼ିଛି । ୨୦୨୦ ଜୁନ୍‌ରେ ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗ୍ୟାସ ସିଲିଣ୍ଡର ଉପରେ ସବ୍‌ସିଡି କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍‌ୟୁୱାଇ) ହିତାଧିକାରୀଙ୍କୁ ହିଁ ଦିଆଯିବ । ଫଳରେ ସବ୍‌ସିଡି ପାଇବାକୁ ଥିବା ଲୋକଙ୍କ ସଂଖ୍ୟାରେ ବୃହତ୍ ହ୍ରାସ ଘଟିଲା । ସରକାର ପିଏମ୍‌ୟୁୱାଇ ହିତାଧିକାରୀଙ୍କ ପାଇଁ ବର୍ଷକରେ ୧୨ ପର୍ଯ୍ୟନ୍ତ ରିଫିଲ୍‌ ପାଇଁ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବ୍‌ସିଡି ଦେବା ଆରମ୍ଭ କରିଛନ୍ତି । ଏହି ସବ୍‌ସିଡିକୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର କରାଯାଇଥାଏ । ସୂଚନାଯୋଗ୍ୟ, ବର୍ଷକ ମଧ୍ୟରେ ଘରୋଇ ଏଲ୍‌ପିଜି ଗ୍ୟାସ ୨୧୮.୫୦ ଟଙ୍କା ମହଙ୍ଗା ହୋଇଛି । ଏହା ଉପରେ ସବ୍‌ସିଡି ଉଚ୍ଛେଦ କରାଯାଇଥିବାବେଳେ ଲୋକଙ୍କ ଆର୍ଥିକ ଚାପ ବଢ଼ିଯାଇଛି । ପେଟ୍ରୋଲ, ଡିଜେଲ ଦର ଆକାଶ ଛୁଇଁଥିବାବେଳେ ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଖାଦ୍ୟପଦାର୍ଥ ଦର ବୃଦ୍ଧି ହେତୁ ଖାଉଟିଙ୍କ ବଜେଟ୍ ଗଣିତ ବିଗିଡିଯାଇଛି । ସବୁକିଛି ଦର ବଢ଼ିଚାଲିଥିବା ବେଳେ ସ୍ଥିର ଆୟରେ ପରିବାର ଚଳାଇବା ଲୋକଙ୍କ ପାଇଁ କାଠିକର ପାଠ୍‌ ହୋଇଛି । ୨୦୧୭ ଜୁଲାଇ ୬ରେ ଗ୍ୟାସ ସିଲିଣ୍ଡର ଦାମ ୫୬୪ ଟଙ୍କା ଥିବାବେଳେ ୨୦୧୮ ଜୁଲାଇ ୬ରେ ଏହା ୭୫୪ ଟଙ୍କା, ୨୦୧୯ ଜୁଲାଇ ୬ରେ ଏହା ୬୩୭ ଟଙ୍କା, ୨୦୨୦ ଜୁଲାଇ ୬ରେ ୫୯୪ ଟଙ୍କା, ୨୦୨୧ ଜୁଲାଇ ୬ରେ ୮୩୪ ଟଙ୍କା ଏବଂ ୨୦୨୨ ଜୁଲାଇ ୬ରେ ୧୦୫୩ ଟଙ୍କାରେ ପହଞ୍ଚିଛି । ସେହିଭଳି ଆମ୍ ଆଦ୍‌ମୀଙ୍କ ମୁଣ୍ଡ ପିଛା ଆୟ କମି କମି ଚାଲିଛି । ୨୦୧୭-୧୮ରେ ଏହା
୧,୧୪,୯୫୮ ଟଙ୍କା ଥିବାବେଳେ ୨୦୧୮-୧୯ରେ ୧,୨୬,୪୦୬ ଟଙ୍କାକୁ ବଢ଼ିଥିଲା । କିନ୍ତୁ ଏହା ପରେ ଏଥିରେ ହ୍ରାସ ଘଟିଚାଲିଛି । ୨୦୧୯-୨୦ରେ ଏହା ୯୪,୨୭୦ ଟଙ୍କା, ୨୦୨୦- ୨୧ରେ ୮୫,୧୧୦ ଟଙ୍କା ଏବଂ ୨୦୨୧-୨୨ରେ ୯୧,୪୮୧ ଟଙ୍କା ରହିଛି । ୨୦୧୭-୧୮ରୁ ୨୦୨୧- ୨୨ ମଧ୍ୟରେ ମୁଣ୍ଡ ପିଛା ଆୟ ୨୦% ହ୍ରାସ ଘଟିଛି । ୫ ବର୍ଷରେ ଖୁଚୁରା ମୁଦ୍ରାସ୍ଫୀତି ଦେଢ଼ ଗୁଣାରୁ ଊର୍ଦ୍ଧ୍ୱ ବୃଦ୍ଧି ପାଇଛି । ଏହା ୨୦୧୭-୧୮ରେ ୩.୩% ଥିବାବେଳେ ୨୦୨୧-୨୨ରେ ୫.୨% ରହିଛି । ସେହିଭଳି ୫ ବର୍ଷରେ ପେଟ୍ରୋଲ ଦରରେ ବି ନିଆଁ ଲାଗିଛି । ୨୦୧୭ ରେ ଲିଟର ପିଛା ପେଟ୍ରୋଲ ଦର ୬୩.୧୯ ଟଙ୍କା ଥିଲା । ୨୦୨୨ରେ ଏହା ୧୦୦ ପାର କରିଯାଇଛି । ସଞ୍ଚୟ ସ୍କିମ୍‌ରେ ମିଳୁଥିବା ସୁଧ ହାର ହ୍ରାସ ପାଇଛି । ଫଳରେ ଖାଉଟିଙ୍କ ସମସ୍ୟା ଅତି ମାତ୍ରାରେ ବଢ଼ି ଯାଇଛି ।

Leave A Reply

Your email address will not be published.