ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ

0 66

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୫ା୭(ଡିକେ ନ୍ୟୁଜ): ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ସୋମବାର ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି । ଏଥିସହ ଦେଶକୁ ମିଳିଛି ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି । ସଂସଦର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନ ବିଚାରପତିଜଷ୍ଟିସ ଏନ.ଭି ରମନ୍ନା ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ଅଭିଭାଷଣରେ ଦ୍ରୌପଦୀ ମୁର୍ମୁ କହିଛନ୍ତି, ତାଙ୍କ ନିର୍ବାଚନ ପ୍ରମାଣ ଯେ ଏହି ଦେଶର ଗରିବର ସ୍ୱପ୍ନ ମଧ୍ୟ ପୂରଣ ହୋଇପାରିବ । ସମାଜର ଅବହେଳିତ ଓ ନିଷ୍ପେସିତ ବର୍ଗର ବିକାଶ ପାଇଁ ସେ ସଂକଳ୍ପବଦ୍ଧ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି । ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ରାଷ୍ଟ୍ରପତି ପଦରେ ପହଞ୍ଚିବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ହେଉଛି ଭାରତର ପ୍ରତ୍ୟେକ ଗରିବଙ୍କ ସଫଳତା । ମୁଁ ମଧ୍ୟ ଦେଶର ପ୍ରଥମ ରାଷ୍ଟ୍ରପତି ଯିଏ ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଛି । ସେ କହିଛନ୍ତି ଯେ ସାନ୍ତାଳୀ ବିପ୍ଳବ, ପାଇକା ବିପ୍ଳବ ଠାରୁ କୋଲ ଏବଂ ଭିଲ ବିପ୍ଳବ ପର୍ଯ୍ୟନ୍ତ ଆଦିବାସୀଙ୍କ ଅବଦାନ ସ୍ୱାଧୀନତା ସଂଗ୍ରାମକୁ ଆହୁରି ସଶକ୍ତ କରିଥିଲା । ସାମାଜିକ ଉନ୍ନତି ଏବଂ ଦେଶପ୍ରେମ ପାଇଁ “ଧର୍ମୀ ଆବା’ ପ୍ରଭୁ ବିର୍ସା ମୁଣ୍ଡାଜୀଙ୍କ ବଳିଦାନ ଦ୍ୱାରା ଆମେ ଅନୁପ୍ରାଣିତ ହୋଇଥିଲୁ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ସନ୍ଥ କବି ଭୀମଭୋଇଙ୍କ ଏକ ପଂକ୍ତି, ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ଉଲ୍ଲେଖ କରି ଏହା ତାଙ୍କର ଆଦର୍ଶ ଓ ଲକ୍ଷ୍ୟ ବୋଲି କହିଥିଲେ । ମୁର୍ମୁ କହିଛନ୍ତି ଯେ ତାଙ୍କ ପାଇଁ ଦେଶର ଯୁବକ ଓ ମହିଳାଙ୍କ ସ୍ୱାର୍ଥ ସର୍ବୋପରି ହେବ । ସେ କହିଛନ୍ତି ଯେ ସେ ନିଜ ପାଇଁ ଗର୍ବିତ ଅନୁଭବ କରୁଛନ୍ତି । ଏହାଛଡ଼ା ସେ କହିଛନ୍ତି, ବହୁ ଦଶକ ପୂର୍ବରୁ ରାଇରଙ୍ଗପୁରର ଶ୍ରୀ ଅରୋବିନ ଇଣ୍ଟିଗ୍ରାଲ ସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟ କରିବାର ମୁଁ ସୁଯୋଗ ପାଇଥିଲି । କିଛି ଦିନ ପରେ ଶ୍ରୀ ଅରୋବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ କରାଯିବ । ଶିକ୍ଷା ବିଷୟରେ ଶ୍ରୀ ଅରବିନ୍ଦଙ୍କ ବିଚାରଧାରା ମୋତେ ପ୍ରେରଣା ଯୋଗାଇଥାଏ । ରାଷ୍ଟ୍ରପତି ମୁର୍ମୁ ଆହୁରି କହିଛନ୍ତି ଯେ ସଂସଦୀୟ ଗଣତନ୍ତ୍ର ଭାବରେ ୭୫ ବର୍ଷ ମଧ୍ୟରେ ଭାରତ ପ୍ରଗତିର ସଂକଳ୍ପକୁ ସହଭାଗିତା ଏବଂ ସହମତି ମାଧ୍ୟମରେ ଆଗକୁ ବଢ଼ାଇଛି । ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ଆମେ ଅନେକ ଭାଷା, ଧର୍ମ, ସମ୍ପ୍ରଦାୟ, ଖାଦ୍ୟପେୟ, ଜୀବନଶୈଳୀ ଏବଂ ରୀତିନୀତି ଆପଣାଇ \”ଏକ ଭାରତ – ଶ୍ରଷ୍ଠ ଭାରତ\’ ନିର୍ମାଣରେ ସକ୍ରିୟ ରହିଛୁ । ଏହାପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ\ ଅନ୍ୟାନ୍ୟ ବହୁ ବଡ଼ ନେତା ସଂସଦ ଭବନରେ ପହଞ୍ଚିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ଦ୍ରୌପଦୀ ମୁର୍ମୁ ଶପଥ ନେବା ପୂର୍ବରୁ ରାଜଘାଟରେ ପହଞ୍ଚି ସେଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.