ପ୍ରଦୂଷଣ ରୋକିବାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭୁବନେଶ୍ୱରରେ ଗଡ଼ିଲା ଇ-ବସ

0 69

ଭୁବନେଶ୍ୱର, ୨୯ା୭(ଡିକେ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲା ଇ-ବସ୍ ସେବା । ମୋ ବସ୍‌ର ସଫଳତା ପରେ ରାଜ୍ୟରେ ପ୍ରଥମଥର ପାଇଁ ରାଜଧାନୀରେ ଇ-ବସ୍ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଟେରି ଚାଳିତ ମୋ ବସ୍ ଏବଂ ଅଟୋ ରିକ୍ସାର ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏୟାରପୋର୍ଟ ରୋଡ୍‌ ନବୀନ ନିବାସ ସାମ୍ନାରେ ଉଭୟ ମୋ ଇରାଇଡ ଏବଂ ଇ-ବସ୍‌କୁ ଶୁଭାରମ୍ଭ କରିଛନ୍ତି । ଉଭୟ ଇ-ରାଇଡ୍ ଓ ଇ-ବସ୍‌ ବାୟୁ ଏବଂ ଶବ୍ଦ ପ୍ରଦୂଷଣ ମୁକ୍ତ ହୋଇଥିବା ବେଳେ ଏହି ସେବା ମୋ ବସ୍ ଯାତ୍ରୀମାନଙ୍କ ପ୍ରଥମ ଓ ଶେଷ ମାଇଲ୍ ସଂଯୋଗୀକରଣ କରିବ । ପ୍ରଥମ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍ ଚଳାଚଳ କରିବ । ଇବସଗୁଡ଼ିକ ମୋ ବସ୍‌ର ୪ଟି ରୁଟରେ ହିଁ ଗତି କରିବ । ସମସ୍ତ ଇ-ବସ୍‌ରେ ଏସି ସୁବିଧା ସହିତ ମହିଳା ଯାତ୍ରୀମାନଙ୍କ ପାଇଁ ଗୋଲାପୀ ରଙ୍ଗର ସଂରକ୍ଷିତ ସିଟ୍ ରହିଛି । ଇ-ବସ୍ ଗାଇଡ ଭାବରେ ୫୦% ପ୍ରତିଶତ ମହିଳା ଓ ମୋ ଇ-ରାଇଡରେ ଶତପ୍ରତିଶତ ମହିଳା ଓ କିନ୍ନରଙ୍କୁ ସାରଥୀ ଭାବରେ ନିଯୁକ୍ତି ଦିଆଯାଇଛି । ଏହାଦ୍ୱାରା କ୍ରୁଟର ମୁଖ୍ୟ ଲକ୍ଷ୍ୟ ସ୍ପଷ୍ଟ ପ୍ରତିଫଳିତ ହୋଇଛି । ପ୍ରଥମ ଥର ପାଇଁ ରାଜ୍ୟରେ ଏକ ନୂତନ ପଦକ୍ଷେପ ଭାବରେ କ୍ରୁଟ୍ ପକ୍ଷରୁ ମହିଳାମାନଙ୍କୁ ମୋ ବସ୍ ଚାଳନା ପାଇଁ ସୁଯୋଗ ଦିଆଯାଇଛି । ଏହି ନୂତନ ସେବାର ଶୁଭାରମ୍ଭ ଉପଲକ୍ଷେ ସାଧାରଣ ଯାତ୍ରୀମାନେ ଜୁଲାଇ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ବିନା ଟିକେଟରେ ପ୍ରଦୂଷଣ ବିହୀନ ଇ-ବସ୍ ଯାତ୍ରାର ଅନୁଭବ ନେଇପାରିବେ । ସେହିପରି ଏହି ସେବା ଦ୍ୱାରା ୫୦୦ରୁ ଊର୍ଦ୍ଧ୍ୱ ରୋଜଗାର ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ରୋଜଗାର ସୃଷ୍ଟି ହେବାର ସମ୍ଭାବନା ରହିଛି । ଇ-ବସ୍‌ର ଟିକେଟ ମୂଲ୍ୟ ସାଧାରଣ ଏସି ବସ୍ ଟିକେଟ୍ ମୂଲ୍ୟ ସହିତ ସମାନ ରହିଛି । ଆବଶ୍ୟକ ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବସ୍ ଟିକେଟ୍ ମୂଲ୍ୟରେ ରିହାତି ପୂର୍ବଭଳି ସମାନ ରହିଛି । ପ୍ରଥମ ପର୍ଯ୍ୟାୟରେ ଏହି ଇ-ବସ୍ ସେବା ରୁଟ୍ ନମ୍ବର ୯, ୧୧, ୧୨ ଓ ୨୩ ରେ ଚଳାଚଳ କରିବ । ମୋ ଇ-ରାଇଡ ଭୁବନେଶ୍ୱରର ପଟିଆ, ପାତ୍ରପଡ଼ା ଏବଂ ପୋଖରିପୁଟ ଅଞ୍ଚଳର ବିଭିନ୍ନ ରୁଟରେ ଗଡ଼ିବା ସହିତ ଏହାର ଟିକେଟ୍ ମୂଲ୍ୟ ଫ୍ଲାଟ ୧୦ ଟଙ୍କା ରହିଛି । ପ୍ରାଥମିକ ପର୍ଯ୍ୟାୟରେ ଚାଲିବାକୁ ଥିବା ୧୦ଟି ଇ-ବସ୍ ୨ ମାସ ହେବ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ଟ୍ରାଏଲ୍ ରନ୍ କରାଯାଇଥିଲା । ଏହି ୧୦ଟି ଏସି ବସ୍‌ର ଚାଳନା ପାଇଁ ମୋ ବସ୍‌ର ସ୍ୱତନ୍ତ୍ର କ୍ୟାପଟେନ୍‌ଙ୍କୁ ଚୟନ କରାଯାଇ ତାଲିମ ପ୍ରଦାନ କରାଯାଇଛି । ବର୍ତ୍ତମାନ ଭୁବନେଶ୍ୱର ସମେତ କଟକ ଓ ପୁରୀକୁ ଜାରି ରହିଥିବା ମୋ ବସ୍‌କୁ ବହୁ ପରିମାଣରେ ଆଦୃତି ମିଳିଛି । ରାଜଧାନୀ ସମେତ ଅନ୍ୟ କିଛି ସହରାଞ୍ଚଳରେ ପରିବହନ କ୍ଷେତ୍ରରେ କ୍ରୁଟ୍ର ମୋ ବସ୍ ସେବା ଅତ୍ୟାଧୁନିକ ଓ ଆରାମଦାୟକ ହୋଇପାରିଛି । ସହରୀ ଯାତାୟାତ ସେବାରେ ସଂସ୍କାର ଆଣିଥିବା ଏହି ସେବା ଜାତୀୟ ସ୍ତରରେ ମଡେଲ୍ ହୋଇପାରିଛି । ବର୍ତ୍ତମାନ ୩୨ଟି ରୁଟ୍‌ରେ ଚଳାଚଳ କରୁଥିବା ୨୨୫ଟି ବସରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ଓ ପୁରୀ ଭଳି ସହର ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି । ଏହି ବସ୍‌ଗୁଡ଼ିକ ସୁ-ବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି । ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ବସ୍ ଗଡ଼ିବାକୁ ଥିବାବେଳେ ଖୁବ୍‌ଶୀଘ୍ର ଆଉ ୪୦ ବସ୍ ଏଥିରେ ଯୋଡ଼ି ହୋଇ ମୋଟ୍ ୫୦ଟି ଇ-ବସ୍ ଚାଲିବ ବୋଲି ଜଣାପଡ଼ିଛି । ଏହି ସେବାରେ ଲୋକମାନେ ଇ-ରିକ୍ସା ଜରିଆରେ ମୋ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ବସ୍ ଧରି ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ । ଦୀର୍ଘଦିନ ଧରି ଇ-ବସ୍ ସେବା ଆରମ୍ଭ କରିବା ପାଇଁ ଯୋଜନା ରହିଥିବା ବେଳେ କରୋନା ଏଥିରେ ବଡ଼ ଆହ୍ୱାନ ହୋଇଥିଲା । ମାତ୍ର ଧୀରେ ଧୀରେ ସ୍ଥିତି ସୁଧୁରିବା ପରେ ଏବେ ଇ-ବସ ମୋ ବସ୍‌ରେ ଯୋଡ଼ି ହେବାକୁ ଯାଉଛି । ଇତି ମଧ୍ୟରେ ପଟିଆ ଓ ଭଗବାନପୁରରେ ଅତ୍ୟାଧୁନିକ ବସ୍ ଡିପୋ ନିର୍ମିତ କରାଯାଇଛି । ଏହି ଡିପୋରେ ଇ-ବସ୍ ଚାର୍ଜିଂ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.