ଦୁଇ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

0 72

ଭୁବନେଶ୍ୱର, ୪ା୮(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ଦୁଇଟି ପୁସ୍ତକ ଶେଷ ଚିଠି ଓ ଭାଗବତ କଥାମୃତ ଉନ୍ମୋଚନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବୈଷ୍ଣବ ମହାନ୍ତିଙ୍କୁ ତାଙ୍କର ସାରସ୍ୱତ କୃତି ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ଆଗାମୀ ଦିନରେ ଏହା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଶେଷ ଚିଠି ଏକ କ୍ଷୁଦ୍ର ଗଳ୍ପ ସଂକଳନ । ଏଥିରେ ଉପକୂଳ ଓଡିଶାର ଅର୍ଦ୍ଧଶତାଦ୍ଦୀ ତଳର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ଅବସ୍ଥାର ନିଛକ ଚିତ୍ର ପ୍ରତିଫଳିତ ହୋଇଛି । ୨୩ଟି ଗଳ୍ପର ସମାହାରରେ ପ୍ରକାଶିତ ଏହି ପୁସ୍ତକଟି ପାଠକକୁ ହଜିଯାଇଥିବା ଏକ ସମୟର ପରିଧିକୁ ଫେରାଇ ନେବାରେ ସକ୍ଷମ ହୋଇପାରିଛି । ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ବେହେରା ଏହି ପୁସ୍ତକର \”ଭୂମିକା\’ ଲେଖିଛନ୍ତି । ଭାଗବତ କଥାମୃତ ଏକ ଆଧ୍ୟାତ୍ମିକଧର୍ମୀ ପୁସ୍ତକ । ଏଥିରେ ଭାଗବତର ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ୪୪ଟି ଆଧ୍ୟାତ୍ମକ କଥାବସ୍ତୁ ସ୍ଥାନପାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ପୁସ୍ତକରେ ନିଜର ଅଭିମତ ରଖିଛନ୍ତି । ଏହି ଦୁଇଟିଯାକ ପୁସ୍ତକ ଭୁବନେଶ୍ୱରର ଅପୂର୍ବା ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି । ଲେଖକ ବୈଷ୍ଣବ ପ୍ରସାଦ ମହାନ୍ତି ସୂଚନା ଓ ଲୋକସଂପର୍କ ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ତଥା ମୁଖ୍ୟମନ୍ତ୍ରୀଙ୍କ ଲୋକସଂପର୍କ ଅଧିକାରୀ ଭାବରେ ଦୀର୍ଘ ଦିନ କାର୍ଯ୍ୟ କରିଥିଲେ । ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ତାଙ୍କର ବିଶେଷ ରୁଚି ରହିଛି । ପୂର୍ବରୁ ସେ ଶ୍ରୀମଦ୍ ଭାଗବତ ଗୀତାର ଓଡିଆ ପଦ୍ୟାନୁବାଦ ପ୍ରସ୍ତୁତ କରିଛନ୍ତି ।

Leave A Reply

Your email address will not be published.