ଜଗଦୀପ୍ ଧନଖଡ଼ ଚତୁର୍ଦ୍ଦଶ ଉପରାଷ୍ଟ୍ରପତି

0 73

ନୂଆଦିଲ୍ଲୀ, ୬ା୮: ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଦେଶର ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏନ୍‌ଡିଏରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଧନଖଡ଼ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରିଛନ୍ତି । ସେ ମାର୍ଗାରେଟ ଆଲଭାଙ୍କୁ ୩୪୬ ଭୋଟରେ ପରାସ୍ତ କରିଛନ୍ତି । ଉପ- ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସଂସଦ ଭବନରେ ଭୋଟ୍ ଗ୍ରହଣ ହୋଇଥିଲା । ମୋଟ ୭୮୦ ଜଣ ସାଂସଦଙ୍କ ମଧ୍ୟରୁ ୭୨୫ ଜଣ ଭୋଟ୍ ଦେଇଥିଲେ । ଅର୍ଥାତ ପ୍ରାୟ ୯୩% ସାଂସଦ ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ । ସନ୍ଧ୍ୟା ୬ଟା ବେଳେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ଜଗଦୀପ ଧନଖଡ଼ଙ୍କୁ ୫୨୮ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଆଲଭାଙ୍କୁ ମାତ୍ର ୧୮୨ ଖଣ୍ଡ ଭୋଟ୍ ମିଳିଥିଲା । ୧୫ଟି ଭୋଟ୍‌ ନାକଚ ହୋଇଯାଇଥିବା ସୂଚନା ମିଳିଛି । ଆଜି ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ୯୩% ମତଦାନ ହୋଇଥିବା ସୂଚନା ମିଳିଛି । ପ୍ରାୟ ୫୦ରୁ ଅଧିକ ସାଂସଦ ଏହି ନିର୍ବାଚନରେ ମତଦାନ କରିନଥିବା ଜଣାପଡିଛି । ମୋଟ ୭୮୦ଜଣ ସାଂସଦଙ୍କ ମଧ୍ୟରୁ ସନ୍ଧ୍ୟା ୫ଟା ସୁଦ୍ଧା ୭୨୫ ଜଣ ସାଂସଦ ମତଦାନ କରିଛନ୍ତି । ତୃଣମୂଳ କଂଗ୍ରେସର ୩୯ଜଣ ସାଂସଦ ପୂର୍ବରୁ ଭୋଟଦାନରୁ ବିରାଟ ରହିବା ନେଇ ଘୋଷଣା କରିଥିଲେ । ସେମାନଙ୍କ ମଧ୍ୟରେ ୨୩ ଜଣ ଲୋକସଭାର ସାଂସଦ । ତେବେ ସେମାନଙ୍କ ମଧ୍ୟରୁ ୨ଜଣ ସାଂସଦ ଶିଶିର କୁମାର ଅଧିକାରୀ ଓ ଦିବ୍ୟେନ୍ଦୁ ଅଧିକାରୀ ମତଦାନ କରିଥିବା ଜଣାପଡିଛି । ୧୯୫୧ ମସିହାରେ ରାଜସ୍ଥାନର ଝୁନଝୁନରେ ଜନ୍ମଗ୍ରହଣ କରିଥିବା ଧନଖଡ଼ ଜଣେ ସୁପ୍ରିମକୋର୍ଟ ଓକିଲ ଭାବେ ନାଁ କମାଇଥିଲେ । ଏହାପରେ ସେ ରାଜନୀତିକୁ ଆସି ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ଲୋକସଭା
ସାଂସଦ ଥିଲେ । ସେ ମଧ୍ୟ ୧୯୯୦ରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ମନ୍ତ୍ରିମଣ୍ଡଳରେ ଜଣେ ରାଷ୍ଟ୍ରମନ୍ତ୍ରୀ ଥିଲେ । ସେ ୩୦ ଜୁଲାଇ ୨୦୧୯ରୁ ୧୮ ଜୁଲାଇ, ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ତାଙ୍କର ବିବାଦ ପାଇଁ ସେ ବେଶ୍ ଜଣାଶୁଣା ଥିଲେ । ଜଗଦୀପ ଧନଖଡଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଜେପି ନଡ୍ଡା ମଧ୍ୟ ତାଙ୍କୁ ଭେଟି ଶୁଭକାମନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗଦୀପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଧନଖଡଙ୍କୁ ବିଜେଡି ସମର୍ଥନ ଜଣାଇଥିଲା । ବିଜେଡି ସହିତ ଜେଡିୟୁ, ବିଏସ୍‌ପି, ଏଆଇଡିଏମ୍‌କେ ଭଳି ଦଳ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବିଜେଡି ବିଜେପି ସମର୍ôଥତ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିଲା ।

Leave A Reply

Your email address will not be published.