ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଖୁବ୍‌ଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର

0 71

ପୁରୀ, ୬ା୮(ଡିକେ ନ୍ୟୁଜ): ଆସନ୍ତା ବର୍ଷ ରଥରେ ସମସ୍ତ ସେବାୟତ ଚଢ଼ିବେନି । କେବଳ ନୀତି ସହ ଜଡ଼ିତ ସେବାୟତ ହିଁ ରଥ ଉପରକୁ ଚଢ଼ିବେ । ଫଳରେ ଠାକୁରଙ୍କୁ ଭଲ ଭାବେ ଦର୍ଶନ କରିପାରିବେ ଭକ୍ତ । ଆଜି ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳଚନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ ବିଶେଷ ଭାବେ ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଥିବା ସ୍ନାନଯାତ୍ରା ଓ ରଥଯାତ୍ରା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଏହାଛଡ଼ା ଗରିବ ସେବାୟତଙ୍କ ନିମନ୍ତେ ଆବାସ ପ୍ରକଳ୍ପ ଓ ସେବାୟତ ପିଲାଙ୍କ ପାଠପଢ଼ା ପାଇଁ ଗୁରୁକୁଳ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା । ତେବେ ଚଳିତ
ବର୍ଷ ସ୍ନାନଯାତ୍ରା ଓ ରଥଯାତ୍ରାରେ ଠାକୁରମାନଙ୍କ ଆଗପଛରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ବହୁ ଅଧିକ ସେବାୟତମାନେ ଘେରି ରହିବାରୁ ଭକ୍ତଙ୍କୁ ଭଲ ଦର୍ଶନ ନ ମିଳିବା ଏବଂ ସ୍ଥିରିକୃତ ଆଚରଣ ସଂହିତାକୁ ଉଲ୍ଲଂଘନ କରାଯିବା ନେଇ କ୍ଷୁବ୍ଧ ଥିବା ପ୍ରଶାସନ କଠୋର ମନୋଭାବ
ପୋଷଣ କରିଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ଦେଇ କହିଛନ୍ତି, ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ସମୀକ୍ଷା ହୋଇଥିଲା । ଆସନ୍ତା ବର୍ଷ ଏହି ଉତ୍ସବ ପାଳନ ବେଳେ ସେବାୟତମାନେ ଠାକୁରଙ୍କ ପାଖରେ ଏମିତି ଠିଆ ହେବେ,
ଯେପରି ଭକ୍ତ ଭଲ ଭାବେ ଠାକୁରଙ୍କୁ ଦର୍ଶନ କରିପାରିବେ । ଠାକୁରଙ୍କ ନୀତି ପରିଚାଳନା ପାଇଁ ଯେତିକି ସେବାୟତ ଆବଶ୍ୟକ ସେତିକି ରହିବେ । ୩୬ ନିଯୋଗ ସହିତ ଏନେଇ ବୈଠକ କରି ଅଲୋଚନା ହେବ । ଏହାଛଡ଼ା ବୈଠକରେ ଆଦର୍ଶ ଗୁରୁକୂଳ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା । ଏହି ପ୍ରକଳ୍ପକୁ ଶୀଘ୍ର ଶେଷ କରିବାକୁ ଆଲୋଚନା ହୋଇଛି । ସେହିପରି ସେବକ ବାସଗୃହ ନିମନ୍ତେ ପ୍ଲାନ୍‌ ଆପ୍ରୁଭାଲ ହୋଇଛି । ୪ ମାସ ଭିତରେ
କାମ ଆରମ୍ଭ ହେବ । ଗତ ବୈଠକରେ ଲ୍ୟାଣ୍ଡ ସବ୍ କମିଟି ନେଇଥିବା ନିଷ୍ପତ୍ତିକୁ ଆପ୍ରୁଭାଲ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପରିଚାଳିତ ଗେଷ୍ଟ ହାଉସ୍ ରୁମ୍‌ଗୁଡ଼ିକ ସୁବିଧାରେ
ଅନ୍‌ଲାଇନ୍‌ରେ ବୁକିଂ ପାଇଁ ଏଚ୍‌ଡିଏଫ୍‌ସି ସହିତ ଏକ ଏମ୍‌ଓଏୟୁ କରାଯିବ । ଏହାକୁ ପରିଚାଳନା କମିଟିରେ ମଞ୍ଜୁରି ମିଳିଛି । ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟ ସବୁଦିନିଆ ଖୋଲିବାକୁ
ନିଷ୍ପତ୍ତି ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ରତ୍ନବେଦୀ ଓ ରୋଷଘର ବ୍ୟାରିକେଡ କରାଯିବ । ଭକ୍ତ ଏଠାରେ ବୁଲିପାରିବେ ନାହିଁ । ଅନ୍ୟ ସମସ୍ତ ସ୍ଥାନ ଦେଖିପାରିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.