ନବମ ଦିନରେ ଭାରତକୁ ୪ ସ୍ୱର୍ଣ୍ଣ ସହ ୧୪ ପଦକ

0 72

ନୂଆଦିଲ୍ଲୀ, ୭ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ଗୋଲ୍ଡେନ୍ ଡେ\’ । ଗୋଟିଏ ଦିନରେ ୪ଟି ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୭ଟି ବ୍ରୋଞ୍ଜ ସମେତ ମୋଟ ୧୪ଟି ମେଡାଲ୍ ହାତେଇଛି ଭାରତ । ଯାହା ଚଳିତ କମନ୍‌ୱେଲ୍‌ଥ ଗେମ୍ସରେ ଦିନକରେ ଏତେ ସଂଖ୍ୟକ ପଦକ ଜିତିବାରେ ପ୍ରଥମ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ନବମ ଦିନରେ ଭାରତକୁ କୁସ୍ତିରେ ୩ଟି ଏବଂ ଟେବୁଲ ଟେନିସ୍‌ରେ ଗୋଟିଏ ସ୍ୱର୍ଣ୍ଣ ମିଳିଛି । ୫୩ କେଜି ବର୍ଗ ମହିଳା କୁସ୍ତିରେ ଭିନେଶ ଫୋଗଟ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ଲଗାତାର ଭାବେ ତିନୋଟି କମନ୍‌ୱେଲ୍‌ଥ ଗେମ୍ସରେ ଗୋଲ୍ଡ ମେଡାଲ୍ ହାସଲ କରିଛନ୍ତି ଭିନେଶ୍ । ୨୦୧୪ ଗ୍ଲାସଗୋ, ୨୦୧୮ ଗୋଲ୍ଡ କୋଷ୍ଟ ଏବଂ ୨୦୨୨ ବର୍ମିଂହାମ୍‌ରେ ବି ସ୍ୱର୍ଣ୍ଣ ହାସଲ କରିଛନ୍ତି । ଖାଲି ଏତିକି ନୁହେଁ ଭିନେଶ, ଭାରତର ପ୍ରଥମ ମହିଳା କୁସ୍ତି ଯୋଦ୍ଧା ଯିଏ କମନେୱେଲଥ୍ ଓ ଏସିଆନ୍ ଗେମସ୍‌ରେ ସ୍ୱର୍ଣ୍ଣ ପଦକକୁ ନିଜ ନାଁରେ କରିଛନ୍ତି । ସେହିପରି ୫୭ କେଜି ପୁରୁଷ ବର୍ଗରେ ରବି ଦାହିୟାଙ୍କୁ ବି ମିଳିଛି ସ୍ୱର୍ଣ୍ଣ ପଦକ । ୫୭ କେଜି ପୁରୁଷ ବର୍ଗର ପ୍ରଥମ ରାଉଣ୍ଡରେ ହିଁ ନାଇଜେରିଆନ୍ କୁସ୍ତି ଯୋଦ୍ଧାଙ୍କୁ ଚିତପଟାଙ୍ଗ
କରିଛନ୍ତି ରବି । ପୁରୁଷ ୭୪ କେଜି ବର୍ଗରେ ଭାରତର ନବୀନ ମଧ୍ୟ ସ୍ୱର୍ଣ୍ଣ ହାତେଇଛନ୍ତି । ପାକିସ୍ତାନ ଖେଳାଳି ମହମ୍ମଦ ସରିପ୍‌ଙ୍କୁ ୯- ୦ରେ ମାତ୍ ଦେଇ ସ୍ୱର୍ଣ୍ଣ ଜିତିଛନ୍ତି ନବୀନ । ସେପଟେ ପାରା ଟେବୁଲ ଟେନିସ୍ ମହିଳା ସିଙ୍ଗଲ୍ସରେ ଭାରତର ଭାବିନା ପଟ୍ଟେଲ ମଧ୍ୟ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି । ଅନ୍ୟପଟେ ନବମ ଦିନରେ ୩ଟି ସିଲ୍‌ଭର ମେଡାଲ୍ ମିଳିଛି । କମନୱେଲ୍‌ଥରେ ଭାରତର ପୁରୁଷ ଟିମ୍ ରୌପ୍ୟ ପଦକ ହାତେଇଛି । ମେନ୍ସ ୩ ହଜାର ମିଟର ଷ୍ଟିପଲେ୍‌ଚଜ୍‌ରେ ଭାରତର ଅବିନାଶ ସାବ୍ଲେଙ୍କୁ ମିଳିଛି ରୌପ୍ୟ । ସେହିପରି ମହିଳା ୧୦ ହଜାର ମିଟର ଚାଲିରେ ପ୍ରିୟଙ୍କା ଗୋସ୍ୱାମୀ ଜିତିଛନ୍ତି ରୌପ୍ୟ ପଦକ । ରେକର୍ଡ ୪୯ ମିନିଟ ୩୮ ସେକେଣ୍ଡରେ ୧୦ ହଜାର ମିଟର ପାର କରି ବ୍ୟକ୍ତିଗତ ରେକର୍ଡ ଭାଙ୍ଗିଛନ୍ତି ପ୍ରିୟଙ୍କା । ପ୍ରଥମ ଭାରତୀୟ ମହିଳା ଭାବେ ରେସ ୱାକ୍ ବା ଚାଲି ଇଭେଣ୍ଟରେ ସେ ପଦକ ଜିତିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ନବମ ଦିନରେ ଭାରତ ପାଇଛି ୭ଟି ବ୍ରୋଞ୍ଜ ମେଡାଲ୍ । ବକ୍ସିଂରେ ଭାରତର ରୋହିତ ଟୋକାସ୍‌, ମହମ୍ମଦ ହୁସାମୁଦ୍ଦିନ ଓ ଜସ୍ମିନ୍‌ ଲାମ୍ବୋରିଆ ବ୍ରୋଞ୍ଜ ଆଣିଛନ୍ତି । ସେହିପରି ପୁରୁଷ ୯୭ କେଜି ବର୍ଗ କୁସ୍ତିରେ ଭାରତର ଦୀପକ ନେହରା ପାକିସ୍ତାନର ତାୟବ ରାଜାଙ୍କୁ ହରାଇ ବ୍ରୋଞ୍ଜ ଜିତିଛନ୍ତି । ମହିଳା ଫ୍ରି ଷ୍ଟାଇଲ୍‌ ୭୬ କେଜି ବର୍ଗ କୁସ୍ତିରେ ଭାରତର ପୂଜା ସିହାଗ୍ ବ୍ରୋଞ୍ଜ ହାତେଇଛନ୍ତି । ସେହିପରି ମହିଳା ୫୦ କିଲୋଗ୍ରାମ ବର୍ଗ କୁସ୍ତିରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି ପୂଜା ଗେହଲଟ୍ । ପାରା ଟେବଲ ଟେନିସରେ ଭାରତର ସୋନାଲବେନ୍ ପଟ୍ଟେଲ ବ୍ରୋଞ୍ଜ ପଦକ ହାତେଇଛନ୍ତି । କମନୱେଲ୍‌ଥ ଗେମ୍ସରେ ଏଯାଏଁ ୧୩ଟି ସ୍ୱର୍ଣ୍ଣ, ୧୧ ରୌପ୍ୟ ଏବଂ ୧୬ଟି ବ୍ରୋଞ୍ଜ ସହ ମୋଟ ୪୦ଟି ମେଡାଲ୍‌ ପାଇ ଭାରତ ପଞ୍ଚମ ସ୍ଥାନରେ ରହିଛି । ଅନ୍ୟପଟେ ନିଜ ନିଜ ବର୍ଗରେ ଫାଇନାଲକୁ ଯାଇଛନ୍ତି ଭାରତର ତିନି ଜଣ ବକ୍ସର ମହିଳା । ମିନିମମ ୱେଟ୍ ବର୍ଗରେ ନୀତି ଗଙ୍ଘାସ ଏବଂ ଲାଇଟ୍ ଫ୍ଲାଇୱେଟ୍ ବର୍ଗରେ ନିଖତ ଜରୀନ୍ ଫାଇନାଲକୁ ଯାଇଛନ୍ତି । ପୁରୁଷ ଫ୍ଲାଇୱେଟ୍ ବର୍ଗରେ ଅମିତ ପଙ୍ଘଲ ଫାଇନାଲରେ ପ୍ରବେଶ କରିଛନ୍ତି । ସେପଟେ
ଫାଇନାଲରେ ପହଁଚିଛନ୍ତି ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ସେମିରେ ଇଂଲଣ୍ଡକୁ ୪ ରନ୍‌ରେ ମାତ୍ ଦେଇ ରାଜ୍ୟଗୋଷ୍ଠୀ କ୍ରୀଡା ଫାଇନାଲକୁ କ୍ୱାଲିଫାଇ କରିଛି ମହିଳା ଟିମ୍ ।

Leave A Reply

Your email address will not be published.