ପ୍ରଜାତନ୍ତ୍ରର ୭୫ତମ ବର୍ଷ ପୂର୍ତ୍ତି ଉତ୍ସବ ଭୟ ଓ ଅନୁଗ୍ରହରୁ ଦୂରରେ ରହୁ ଗଣମାଧ୍ୟମ: ନବୀନ

0 83

କଟକ, ୮ା୮(ଡିକେ ନ୍ୟୁଜ): ଓଡ଼ିଶାର ପୁରାତନ ଖବରକାଗଜ ପ୍ରଜାତନ୍ତ୍ର ୭୫ତମ ପୂର୍ତ୍ତି ଉତ୍ସବ କଟକର ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଉଦ୍ଘାଟକ ଭାବେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜ୍ଞାନପୀଠ ପୁରସ୍କାର ବିଜେତା ପଦ୍ମ ବିଭୂଷଣ ପ୍ରତିଭା ରାୟ ଯୋଗଦେଇ ଓଡ଼ିଶାର ବିକାଶ, ଓଡ଼ିଆ ଭାଷା ସାହିତ୍ୟର ପ୍ର·ର ପ୍ରସାର, ପ୍ରଜା ଆନ୍ଦୋଳନ ଓ ନୂତନ ସାହିତ୍ୟିକ ସୃଷ୍ଟି କରିବାରେ ପ୍ରଜାତନ୍ତ୍ରର ଭୂମିକା ଉପରେ ଆଲୋକପାତ କରିଥିଲେ । ସ୍ୱର୍ଗତଃ ଡ଼ ହରେକୃଷ୍ଣ ମହତାବଙ୍କ ଦ୍ୱାରା ୧୯୨୩ ମସିହାରେ ପ୍ରଥମେ ପ୍ରଜାତନ୍ତ୍ର ପ୍ରକାଶିତ ହୋଇଥିଲେ ମଧ୍ୟ ଇଂରେଜ ସରକାର ପ୍ରକାଶନ ବନ୍ଦ କରି ଦେଇଥିଲେ । ପରବର୍ତ୍ତୀ ସମୟରେ ଦେଶ ସ୍ୱଧୀନ ହେବାର ୭ଦିନ ପୂର୍ବରୁ ୧୯୪୭ ମସିହା ଅଗଷ୍ଟ ୮ ତାରିଖରେ ପୁନଃ ପ୍ରକାଶିତ ହୋଇଥିଲା ପ୍ରଜାତନ୍ତ୍ର । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଥିଲେ, ସାରା ଦେଶ ଏବେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଆସନ୍ତାକାଲି ହେଉଛି ଅଗଷ୍ଟ କ୍ରାନ୍ତି ଦିବସ । ଆମ ଇତିହାସର ଏକ ରେଡ ଲେଟର ଡେ । ଏହି ଅବସରରେ ଆମର ସମସ୍ତ ସଂଗ୍ରାମୀ ମାନଙ୍କୁ ମୋର ପ୍ରଣାମ ଜଣାଉଛି । ଏହି ସମୟରେ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଏକ ଅମୃତ ସଂଯୋଗ । ଏହି ଖୁସି ଅବସରରେ ଆପାଣମାନଙ୍କୁ ସମସ୍ତଙ୍କୁ, ପ୍ରଜାତନ୍ତ୍ର ପରିବାରକୁ ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଓଡିଶାକୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ । ଗଣମାଧ୍ୟମ କୌଣସି ପ୍ରକାର ଭୟ କିମ୍ବା ଅନୁଗ୍ରହ ଠାରୁ ଦୂରରେ ରହି ନିଜ କାର୍ଯ୍ୟ ସମ୍ପାଦନ କରିବା ଉଚିତ । ଗଣମାଧ୍ୟମ ଲୋକଙ୍କ ରାଜନୀତି ଠାରୁ ଦୂରେଇ ରହି ଲୋକଙ୍କ ସମସ୍ୟାର ମୁଖପତ୍ର ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରଜାତନ୍ତ୍ର ସ୍ୱନକ୍ଷତ୍ର ଉତ୍ସବରେ ଜୟ ଜଗନ୍ନାଥରୁ ନିଜ ଭାଷଣ ଆରମ୍ଭ କରିଥିଲେ ଉଦ୍ଘାଟକ କେନ୍ଦ୍ର ଗୃହମନ୍ତ୍ରୀ ଅମି୍ ଶାହ । ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ଉକ୍ରଳ ଭୂମିର ଯୋଗ୍ୟ ସନ୍ତାନ କହି ସମ୍ବୋଧନ କରିଥିଲେ । ଧର୍ମେନ୍ଦ୍ରଙ୍କୁ ନିଜର ମିତ୍ର ବୋଲି କହିବା ସହ ଭର୍ତ୍ତୃହରିଙ୍କୁ ଦେଶର ଶ୍ରେଷ୍ଠ ସାଂସଦ ବୋଲି ଅଭିହିତ କରିଥିଲେ ଶାହା । ସେ କହିଥିଲେ ମୁଁ ଭାରତର ପଶ୍ଚିମ ଭୂମିରୁ ଆସି ପୂର୍ବ ଭୂମିରେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ପାଦ ରଖିଛି । ସେଠାରେ ବି ଜଗନ୍ନାଥ, ଏଠି ବି ଜଗନ୍ନାଥ ଅଛନ୍ତି । ମୁଁ କେବଳ ଭର୍ତ୍ତୃହରିଙ୍କୁ ଶୁଭେଚ୍ଛା ପାଇଁ କଟକ ଆସିଛି । ପ୍ରଜାତନ୍ତ୍ର ଓ ଉକ୍ରଳ କେଶରୀ ହରେକୃଷ୍ଣ ମହତାବଙ୍କୁ ଧନ୍ୟବାଦ ଜଣାଇବାକୁ ଆସିଛି । ଦେଶ ସ୍ୱାଧୀନତାର ଶତାବ୍ଦୀ ଓ ପ୍ରଜାତନ୍ତ୍ରର ଶତାବ୍ଦୀକୁ ଆଉ ୨୫ ବର୍ଷ ବାକି ରହିଛି । ଏଇ ମାଟିରେ ଜନ୍ମ ହୋଇଥିବା ଝିଅ ଦ୍ରୌପଦୀ ମୁର୍ମୁ, ଆଜି ମହାମହିମ ରାଷ୍ଟ୍ରପତି ହୋଇଛନ୍ତି । ଗରିବରୁ ଅତି ଗରିବ ଘରୁ ଆସି, ପ୍ରଥମ ଆଦିବାସୀ ମହିଳା ଭାବେ ସେ ରାଷ୍ଟ୍ରପତି ହୋଇପାରିଛନ୍ତି । ଏବେ ଓଡ଼ିଶାର ଉତ୍ତମ ଦିନ ଆସିଯାଇଛି ବୋଲି ସେ କହିଥିଲେ । ସ୍ୱାଧୀନତା ପରେ ଓଡ଼ିଆଙ୍କୁ ଏତେ ଗୁରୁତ୍ୱ ଓ ସମ୍ମାନ ମିଳିନଥିଲା । ରାଷ୍ଟ୍ରପତିଙ୍କ ଠାରୁ ନେଇ କେନ୍ଦ୍ରୀୟ ସର୍ବୋଚ୍ଚ ପଦବୀରେ ଏବେ ଓଡ଼ିଶାର ବ୍ୟକ୍ତି ଅଛନ୍ତି । କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାମ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ସଭାରେ ସଭାପତିତ୍ୱ କରି ପ୍ରଜାତନ୍ତ୍ରର ସମ୍ପାଦକ ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ସ୍ୱ୍ୱାଧୀନତା ସଂଗ୍ରାମରେ ପ୍ରଜାତନ୍ତ୍ର ଓ ଡ଼ ହରେକୃଷ୍ଣ ମହତାବଙ୍କ ଭୂମିକା ସମ୍ପର୍କରେ କହିବା ସହ ପ୍ରଜାତନ୍ତ୍ରର ୭୫ ବର୍ଷର ଯାତ୍ରା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଶେଷରେ ପ୍ରଜାତନ୍ତ୍ର ଟ୍ରଷ୍ଟର ନୂତନ ସଦସ୍ୟ ଭର୍ତ୍ତୃହରି ମହତାବଙ୍କ ପୁଅ ଲୋକରଞ୍ଜନ ମହତାବ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.