ଏଣିକି ବିହାରରେ ଚାଚା-ଭତିଜା ସରକାର ଅଷ୍ଟମ ଥର ପାଇଁ ଶପଥ ନେଲେ ନୀତିଶ, ତେଜସ୍ୱୀ ଉପମୁଖ୍ୟମନ୍ତ୍ରୀ

0 67

ପାଟନା, ୧୦ା୮: ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱରେ ଗଠନ ହୋଇଛି ମହାଗଠବନ୍ଧନ ସରକାର । ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ବାବେ ଶପଥ ନେଇଛନ୍ତି ନୀତିଶ କୁମାର । ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଶପଥ ନେଇଛନ୍ତି । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ଶପଥ ନେଇଛନ୍ତି । ଦ୍ୱିତୀୟ ଥର ପାଇଁ ସେ ଏହି ପଦର ଶପଥ ନେଇଛନ୍ତି । ଗତକାଲି ଅର୍ଥାତ ମଙ୍ଗଳବାର ନୀତିଶ ବିଜେପିର ହାତ ଛାଡି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ବିଜେପି ଓ ଜେଡିୟୁ ମଧ୍ୟରେ ମେଣ୍ଟ ସରକାର ଭାଙ୍ଗିବା ପରେ ନୀତିଶ ଆରଜେଡି ସମେତ ୭ଟି ଦଳ ସହ ମହାଗଠବନ୍ଧନ କରି ପୁଣି ଥରେ ଆଜି ବିହାରର ଶାସନ କମାଣ ଧରିଛନ୍ତି । ୨୦୨୦ରେ ବିଜେପି ଓ ନୀତୀଶଙ୍କ ଜେଡିୟୁ ମିଳିତ ଭାବେ ନିର୍ବାଚନ ଲଢ଼ିବା ସହ ବିହାରରେ ସରକାର ଗଠନ କରିଥିଲେ । କିନ୍ତୁ ପ୍ରାୟ ଅଢ଼େଇ ବର୍ଷ ପରେ ଏହି ମେଣ୍ଟ ଭାଙ୍ଗିବା ସହ ସରକାର ଭୁଶୁଡିଛି । ନୂଆ କରି ନୀତୀଶ ଗଠନ କରିଥିବା ମହାଗଠବନ୍ଧନରେ ଜେଡିୟୁ ଓ ଆରଜେଡି ବ୍ୟତୀତ କଂଗ୍ରେସ, ବାମ ଦଳ ଓ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି । ନୀତୀଶଙ୍କ ଦାବି ଅନୁସାରେ ମହାଗଠବନ୍ଧନ ସରକାର ସପକ୍ଷରେ ୧୬୪ ବିଧାୟକଙ୍କ ସମର୍ଥନ ରହିଛି ।

Leave A Reply

Your email address will not be published.