ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପାଇଁ କଲବଲ

0 68

ଭୁବନେଶ୍ୱର, ୧୩ା୮ (ଡିକେ ନ୍ୟୁଜ୍‌): ଗାଡିମୋଟରରେ ଉଚ୍ଚ ନିରାପତ୍ତା ନମ୍ବର ପ୍ଲେଟ୍‌ ଲଗାଇବା ପାଇଁ କେନ୍ଦ୍ର ମୋଟରଯାନ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଆସିବା ପରେ ଏହାକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି । ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜିକୃତ ହୋଇଥିବା ପ୍ରତ୍ୟେକ ଯାନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ସମୟଧାର୍ଯ୍ୟ କରାଯାଇଥିବାରୁ ଏବେଠାରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବା ସହିତ ଅର୍ଥଶ୍ରାଦ୍ଧ କରି ଲୋକେ କଲବଲ ହେଉଛନ୍ତି । ଦୁଇଚକିଆ ମାଲିକମାନଙ୍କୁ ୩୫୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଚାରିଚକିଆ ଯାନ ପାଇଁ ୭୫୦ ଟଙ୍କା ପଇଠ କରିବାକୁ ପଡ଼ୁଛି । ସବୁଠାରୁ ବଡ଼ କଥା ହେଲା ଗାଡ଼ି ମାଲିକମାନେ କେଉଁ ଡିଲରଙ୍କ ନିକଟରେ ଏହାକୁ ଲଗାଇବାକୁ ଚାହୁଁଛନ୍ତି ତାହା ଚୟନ କରିବାକୁ କୁହାଯାଉଛି । ଏହା ପୁଣି ଅନ୍‌ଲାଇନ୍‌ରେ । ହେଲେ ଅଧିକାଂଶ ଡିଲରଙ୍କ ନିକଟରେ ଆଉ ନିକଟ ଭବିଷ୍ୟତ ପାଇଁ ତାରିଖ ନଥିବା ଜଣାଯାଇଛି । ବିଶେଷକରି ସହରାଞ୍ଚଳ ଡିଲରଙ୍କ ନିକଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ତେବେ ଯେଉଁମାନଙ୍କ ନମ୍ବର ପ୍ଲେଟ୍‌ ଆସିଯାଉଛି ସେମାନେ ଏହାକୁ ଲଗାଇବା ପାଇଁ ଦୁଇରୁ ତିନିଦିନ ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି । ଏହାର ସୁଯୋଗ ନେଇ ଏବେ ଦଲାଲିରାଜ୍‌ ଆରମ୍ଭ ହୋଇଯାଇଛି । ଭିଡରୁ ବର୍ତ୍ତିବା ପାଇଁ କେହି କେହି ୧୦୦ ତ ଆଉ କିଏ ୨୦୦ ଟଙ୍କା ପର୍ଯ୍ୟନ୍ତ ହାତଗୁଞ୍ଜା ଦେଉଛନ୍ତି । ଟଙ୍କା ଗଣି ମଧ୍ୟ ସେମାନଙ୍କୁ ହଇରାଣ ହରକତ ହେବାକୁ ପଡ଼ୁଛି । ସହରାଞ୍ଚଳର ଲୋକେ କୌଣସି ପ୍ରକାରେ ଅନଲାଇନ୍‌ରେ ବୁକିଂ କରିପାରୁଥିବା ବେଳେ ଗାଁ ଗହଳିର ଲୋକଙ୍କ ଅବସ୍ଥା ନ କହିଲେ ସରେ । କେଉଁଠି ୩୦ ତ ଆଉ କେଉଁଠି ୫୦ କିମି ଯାଇ ଅନଲାଇନ୍‌ରେ ବୁକିଂ କରୁଥିବା ଦେଖିବାକୁ ମିଳୁଛି । ସମୟ କଣ୍ଟ ଯେତିକି ପାଖେଇ ଆସୁଛି, ଭିଡ଼ ସେତିକି ବଢ଼ିବାରେ ଲାଗିଛି । ଏବେ ଲୋକେ କାମଧନ୍ଦା ଛାଡ଼ି ନମ୍ବର ପ୍ଲେଟ ଲଗାଇବା ଆରମ୍ଭ କଲେଣି । ଏହି ଦୃଶ୍ୟ ପୂର୍ବରୁ ପ୍ରଦ୍ୟୁଷଣ ଯାଞ୍ଚ ଅବସ୍ଥାକୁ ପୁଣି ମନେ ପକାଇ ଦେଉଛି । ତେଣୁ ଏ ଦିଗରେ ସରକାର ବିହୀତ ପଦକ୍ଷେପ ଗ୍ରହଣ କରି ଏଥିପାଇଁ ନିୟୋଜିତ ସଂସ୍ଥାମାନଙ୍କୁ ଘରକୁ ଆସି ଏହି ସେବା ଯୋଗାଇବା ପାଇଁ ଦାବି ହେଉଛି । ଯଦି ଏ ଦିଗରେ ଏବେଠାରୁ କୌଣସି ପଦକ୍ଷେପ ନିଆନଯାଏ, ତେବେ ସରକାର ଦେଇଥିବା କଣ୍ଟ ଭିତରେ ଲକ୍ଷାଧିକ ଗାଡ଼ିର ନମ୍ବର ପ୍ଲେଟ୍‌ ଲଗାଇବା ଏକ ପ୍ରକାରର ଅସମ୍ଭବ ବୋଲି କୁହାଯାଉଛି ।

Leave A Reply

Your email address will not be published.