ସ୍ୱର୍ଗତଃ ସୁଶୀଲ ଓ ସିଦ୍ଧିଙ୍କୁ ସୁରଜ ପୁରସ୍କାର

0 68

ଭୁବନେଶ୍ୱର, ୧୩ା୮(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମର ଜଗନ୍ନାଥ ପ୍ରସାଦ ଅଞ୍ଚଳର ଆଲାଡ଼ି ଗ୍ରାମର ସ୍ୱର୍ଗତଃ ସୁଶୀଲ ସାହୁ ଓ ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ କନିଶି ବ୍ଲକ୍‌ ନୀଳାଚଳ ନଗରର ସିଦ୍ଧି ସମୃଦ୍ଧିଙ୍କୁ ୨୦୨୨ ପାଇଁ ସୁରଜ ପୁରସ୍କାର ପ୍ରଦାନ କରିଛନ୍ତି । ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୁଶିଲଙ୍କ ପତ୍ନୀ ପିଙ୍କି ସାହୁ ଓ ସିଦ୍ଧିଙ୍କ ପିତା ସପନ୍‌ କୁମାର ବିନ୍ଧାଣୀ ଉଭୟଙ୍କୁ ୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି । ହୃଦୟ, କିଡ୍‌ନୀ ଓ ଯକୃତ ପରି ଜୀବନ ରକ୍ଷାକାରୀ ଅଙ୍ଗଦାନ ପାଇଁ ୨୦୨୦ ଠାରୁ ଏହି ପୁରସ୍କାର ଦିଆଯାଉଛି । ଚଳିତବର୍ଷ ଏହା ତୃତୀୟ ସୁରଜ୍‌ ପୁରସ୍କାର । ୨୦୨୦ରେ ଗଞ୍ଜାମର ମସ୍ତିସ୍କରେ ମୃତ ସୁରଜ୍‌ ବେହେରାଙ୍କ ପିତାମାତା ତାଙ୍କର ୬ଟି ଗୁରୁତ୍ୱପୂର୍ଣ ଅଙ୍ଗ ଦାନ କରି ୬ଟି ଜୀବନ ରକ୍ଷା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ବର୍ଷ ତାଙ୍କ ନାମରେ ସୁରଜ୍‌ ପୁରସ୍କାର ଆରମ୍ଭ କରିଥିଲେ । ଉଭୟ ସୁଶୀଲ ଓ ସିଦ୍ଧିଙ୍କ ପିତାମାତାଙ୍କ ନିକଟରେ ସମାଜ ରୁଣୀ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ୱାରା ସମାଜ ଉପରେ ବହୁତ୍‌ ଭଲ ପ୍ରଭାବ ପଡୁଛି । ଏହିପରି ଭଲ କାମ କରି ସମାଜ ପାଇଁ ପ୍ରେରଣା ସୃଷ୍ଟି କରି ଏକ ସୁନ୍ଦର ସମାଜ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଅଙ୍ଗଦାନ ଅନେକ ପରିବାର ପାଇଁ ଆଶା ସୃଷ୍ଟି କରିପାରୁଛି । ଅନ୍ୟର ଜୀବନ ରକ୍ଷା ସବୁଠାରୁ ଅଧିକ ପୁଣ୍ୟ କାର୍ଯ୍ୟ । ଅଙ୍ଗଦାନ ଏକ ସାହସିକ ନିଷ୍ପତ୍ତି । ଅଙ୍ଗଦାନ କରୁଥିବା ପରିବାରଙ୍କ ତ୍ୟାଗର ତୁଳନା ନାହିଁ ବୋଲି ସେ କହିଥିଲେ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରମୁଖ ନିଜର ବକ୍ତବ୍ୟ ରଖି ସୁଶୀଲ ଓ ସିଦ୍ଧିଙ୍କ ପରିବାରର ତ୍ୟାଗର ଉଚ୍ଚ ପ୍ରଶଂସା କରିଥିଲେ । ସେମାନଙ୍କ ଏହି ମହାନ୍‌ କାର୍ଯ୍ୟ ସମାଜ ପାଇଁ ଆଦର୍ଶ ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ ଏହି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଜାତୀୟ ସ୍ୱ୍ୱାସ୍ଥ୍ୟ ମିଶନର ନିର୍ଦେଶକ ସ୍ୱାଗତ ଭାଷଣ ଦେଇଥିଲେ । ଡିଏମ୍‌ଇଟି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.