ଲଘୁଚାପ ବିଗାଡ଼ିବ ବନ୍ୟା ସ୍ଥିତି !

0 68

ଭୁବନେଶ୍ୱର, ୧୮ା୮(ଡିକେ ନ୍ୟୁଜ): ବନ୍ୟା ପଛେ ପଛେ ପୁଣି ଆସୁଛି ଆଉ ଏକ ଲଘୁଚାପ । ସ୍ଥିତି ବିଗାଡିବା ଆଶଙ୍କା ।b ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ଦୁଇଦିନ ଉତ୍ତର ଓ ପଶ୍ଚିମରେ ହୋଇପାରେ ପ୍ରବଳ ବର୍ଷା । ଯାହା ତଳମୁଣ୍ଡରେ ବନ୍ୟାସ୍ଥିତିକୁ କରିପାରେ ସଂଗୀନ୍ । ମହାନଦୀରେ ସଂକଟ ଟଳିଥିବା ବେଳେ ସମ୍ଭାବ୍ୟ ବଡ଼ ବର୍ଷାକୁ ନେଇ ପୁଣି ବଢ଼ିଛି ଚିନ୍ତା । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ସକ୍ରିୟ ଲଘୁଚାପ ଉତ୍ତର-ପୂର୍ବ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ବାଂଲାଦେଶ ଓ ମିଆଁମାର ଉପକୂଳରେ ସକ୍ରିୟ ହୋଇଛି । ଏହା ଘନୀଭୂତ ହୋଇ ସଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇସାରିଛି । ଶୁକ୍ରବାର ସକାଳ ସୁଦ୍ଧା ଅବପାତର ରୂପ ନେବା ସମ୍ଭାବନା ରହିଛି । ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଫଳରେ ୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି, ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବର୍ଷା ହେବ । ବେଶୀ ବର୍ଷା ହେବ ନାହିଁ । ହେଲେ ଗୋଟିଏ ବା ଦୁଇଟି
ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ବର୍ଷାର ପରିମାଣ ବଢ଼ିବ । ସବୁ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାବେଳେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଓ ଅତି ପ୍ରବଳ ବର୍ଷା ହେବ । କେତେକ ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆଇଏମ୍‌ଡି ଡିଜି କହିଛନ୍ତି, ୨୦ ତାରିଖରେ ପଶ୍ଚିମ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ । ସେହି ସମୟରେ ଛତିଶଗଡ଼ରେ ମଧ୍ୟ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ତାରିଖରେ ଛତିଶଗଡ଼ରେ ଗୋଟିଏ ବା ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ଓ ୨୦ ତାରିଖରେ ହେବାକୁ ଥିବା ବର୍ଷାର ପ୍ରଭାବ ନଦୀଗୁଡ଼ିକ ଉପରେ ପଡ଼ିବ । ଯେଉଁ ନଦୀ ଗୁଡ଼ିକରେ ବନ୍ୟା ସ୍ଥିତି ରହିଛି, ସେଗୁଡ଼ିକ ଅଧିକ ପ୍ରଭାବିତ ହୋଇପାରନ୍ତି । ଉତ୍ତର-ପଶ୍ଚିମ ଓଡ଼ିଶାର ପାହାଡ଼ିଆ ସ୍ଥାନରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ଆଜିଠାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ବୋଲି ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି । ୧୯ ତାରିଖ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଜାରି କରାଯାଇଛି ରେଡ୍ ଆଲର୍ଟ । ସେହିପରି ୧୪ ଜିଲ୍ଲାକୁ ଅରେଞ୍ଜ ଓ ୭ ଜିଲ୍ଲାକୁ ଜାରି କରାଯାଇଛି ୟେଲୋ ଆଲର୍ଟ । ୨୦ ତାରିଖରେ ୮ ଜିଲ୍ଲାକୁ ଅରେଞ୍ଜ ଓ ୭ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ସୁବର୍ଣ୍ଣରେଖା ଓ ବୈତରଣୀ ଅବବାହିକାରେ ଅଧିକ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସମ୍ଭାବ୍ୟ ଲଘୁଚାପକୁ ନେଇ ଏସ୍‌ଆରସି କହିଛନ୍ତି, ପୂର୍ବ ଅବପାତ ଯେଉଁ ଦିଗରେ ଯାଇଥିଲା, ଏଥର ଅବପାତ ମଧ୍ୟ ସେହି ଦିଗରେ ଗତି କରିବ । ସେହିସବୁ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ମହାନଦୀ ଉପରମୁଣ୍ଡରେ ୫୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ଯଦି ତାହା ହୁଏ ତେବେ ମହାନଦୀ ଭିତରକୁ ୫ଲକ୍ଷରୁ ସାଢ଼େ ପାଞ୍ଚଲକ୍ଷ କ୍ୟୁସେକ୍ ପାଣି ଆସିବ । ଯାହାକୁ ମୁଣ୍ଡଳିରେ ୭ରୁ ୮ ଲକ୍ଷ କ୍ୟୁସେକ୍ ଭିତରେ ରଖିବାକୁ ଚେଷ୍ଟା କରାଯିବ । ମହାନଦୀ ସିଷ୍ଟମରେ ସେଭଳି ବଡ଼ ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ଏସ୍‌ଆରସି କହିଥିବା ବେଳେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବା ସମ୍ଭାବନା ଥିବାରୁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପାଇଁ ସକର୍ତତା ଜାରି କରାଯାଇଛି । ଆଉ ମୟୂରଭଞ୍ଜର ସମସ୍ତ ଜଳଶଯ୍ୟାକୁ ଖାଲି କରାଯାଇଛି ।

Leave A Reply

Your email address will not be published.