ବନ୍ୟାଞ୍ଚଳ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ବିପନ୍ନଙ୍କୁ ୧୫ ଦିନ ପାଇଁ ରିଲିଫ୍‌

0 78

ଭୁବନେଶ୍ୱର, ୧୮ା୮(ଡିକେ ନ୍ୟୁଜ): ପାଣି ଛାଡିବାର ସାତଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ । ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ଅବସ୍ଥାରେ ରହିଛି ।
ଲଘୁଚାପ ବର୍ଷା ପରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ଏବେ ରାଜ୍ୟର ୫ ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦିରେ ବହୁ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି । ଆଉ ରାଜ୍ୟର ଏଭଳି ସମୟରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ଆଜି ୫ଟି ଜିଲ୍ଲାର ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ବନ୍ୟାରେ ବ୍ୟାପକ ଅଞ୍ଚଳ, ଜଳମଗ୍ନ ହେବା ସହିତ ଅନେକ ଚାଷ ଜମି ଓ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ । ପ୍ରଭାବିତ ଅଞ୍ଚଳରେ ଚାଲିଥିବା ସମସ୍ତ ପ୍ରକାର ସହାୟତା ଯଥା; ରିଲିଫ୍ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା, ପାନୀୟଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ସହିତ ପ୍ରଭାବିତ
ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଓ ପଶୁଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟାଞ୍ଚଳ ପରିଦର୍ଶନରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ରିଲିଫ ସହାୟତା ଘୋଷଣା କରିଛନ୍ତି । ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜ଼ିଲ୍ଲା ଯେଉଁ ଗାଁ ମାନଙ୍କରେ ପାଣି ପଶିଛି ସେଠାରେ ବିପନ୍ନ ଲୋକ ମାନଙ୍କୁ ୧୫ ଦିନ ରିଲିଫ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜ଼ିଲ୍ଲାର ପାଣି ପଶିଥିବା ଗାଁର ଲୋକମାନଙ୍କୁ ସାତଦିନ ପାଇଁ ରିଲିଫ ଦିଆଯିବ । ପାଣି ଛାଡିବାର ସାତ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରିବା ଏବଂ ତାର ୧୫ଦିନ ଭିତରେ ଘରଭଙ୍ଗା ଓ ଫସଲ କ୍ଷତି ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.