ଫିଲ୍ମ ଫେୟାର ପୁରସ୍କାର ବନ୍ଦ କରିବା ଲାଗି ଅଦାଲତ ଯିବେ କଙ୍ଗନା

0 67

ମୁମ୍ବାଇ, ୨୩ା୮: ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ନାମ ଆଜିକାଲି ଅଭିନୟ ପାଇଁ କମ୍‌, ବିବାଦୀୟ ବୟାନ ପାଇଁ ଅଧିକ ଶୁଣିବାକୁ ମିଳୁଛି । କିଛି ଦିନ ତଳେ ଏ ବର୍ଷର ଫିଲ୍ମଫେଆର୍ ପୁରସ୍କାରର ନୋମିନେସନ୍ ତାଲିକା ପ୍ରକାଶ ପାଇଥିଲା । “ଥାଲାଇଭି’ ଚଳଚ୍ଚିତ୍ରରେ ଅଭିନୟ ପାଇଁ କଙ୍ଗନାଙ୍କ ନାମ ଶ୍ରେଷ୍ଠ ଅଭିନେତ୍ରୀ ଦୌଡ଼ରେ ସାମିଲ ଥିବା ପ୍ରକାଶ ପାଇଥିଲା । ବାସ୍ ଏତିକି କଥା କଙ୍ଗନାଙ୍କୁ ପ୍ରତିକ୍ରିୟାଶୀଳ କରିଦେଇଥିଲା । ଫିଲ୍ମଫେଆର ପୁରସ୍କାର ଉତ୍ସବରେ ଯୋଗଦେବାର ନିମନ୍ତ୍ରଣ ପାଇବା ପରେ କଙ୍ଗନା ସାମାଜିକ ଗଣମାଧ୍ୟମରେ ଲେଖିଥିଲେ ଯେ, ସେ ୨୦୧୪ରୁ ଫିଲ୍ମଫେଆର ଭଳି ଅନୈତିକ, ଦୁର୍ନୀତିଗ୍ରସ୍ତ ଓ ସଂପୂର୍ଣ୍ଣ ଅନ୍ୟାୟପୂର୍ଣ୍ଣ ପୁରସ୍କାରକୁ ବାସନ୍ଦ କରିଆସୁଛନ୍ତି । ତଥାପି ତାଙ୍କୁ “ଥାଲାଇଭି’ରେ ଅଭିନୟ ପାଇଁ ପୁରସ୍କାର ଦୌଡ଼ରେ ସାମିଲ କରାଯିବା ତାଙ୍କୁ ଚକିତ କରିଛି । ଏଭଳି ଦୁର୍ନୀତିଗ୍ରସ୍ତ ପୁରସ୍କାର ପ୍ରଥାକୁ ପ୍ରୋତ୍ସାହିତ କରିବା ତାଙ୍କ ଆତ୍ମସମ୍ମାନ ଓ ନୀତି ବିରୋଧୀ, ତେଣୁ ସେ ଫିଲ୍ମଫେଆର ବିରୋଧରେ ମାମଲା ରୁଜୁ କରିବାର ନିଷ୍ପତ୍ତି ନେଇଛନ୍ତି ବୋଲି ଲେଖିଥିଲେ । “ଥାଲାଇଭି’ ପାଇଁ ସେ କରିଥିବା ଯାବତୀୟ ପ୍ରଶିକ୍ଷଣର ଦୃଷ୍ଟାନ୍ତ ଦେଇ ସେ ଯୋଡ଼ିଥିଲେ ଯେ ଖଳ ମାଫିଆଙ୍କୁ ସେ ତାଙ୍କ ସୃଜନଶୀଳତାର ଲାଭ ଉଠାଇବାକୁ ଦେବେ ନାହିଁ । ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ସ୍ମରଣ କରି କଙ୍ଗନା ଲେଖିଥିଲେ ଯେ ସେ ମଧ୍ୟ ଏହି ଦୁର୍ନୀତିଗ୍ରସ୍ତ ପୁରସ୍କାର କାର୍ଯ୍ୟକ୍ରମ ଓ ଚଳଚ୍ଚିତ୍ର ମାଫିଆଙ୍କ ନିର୍ଦେଶରେ କାମ କରୁଥିବା ପତ୍ରିକାଗୁଡ଼ିକୁ ଦୋଷ ଦେଉଥିଲେ । ଏହି ସମ୍ମାନଜନକ ପୁରସ୍କାର ବିରୋଧରେ ବିଷୋଦ୍‌ଗାର କରିବା ପଛରେ କଙ୍ଗନାଙ୍କର ଏକ ତିକ୍ତ ଅଭିଜ୍ଞତା ରହିଛି । ଏକଦା କଙ୍ଗନା ଏହି ପୁରସ୍କାର ପାଇବାର ସ୍ୱପ୍ନ ଦେଖୁଥିଲେ । ତାଙ୍କ କହିବା ଅନୁସାରେ “ଲାଇଫ୍ ଇନ୍ ଏ ମେଟ୍ରୋ’ରେ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ସହଯୋଗୀ ଅଭିନେତ୍ରୀ ପୁରସ୍କାର ମିଳିବାର ଥିଲା । କିନ୍ତୁ ଟ୍ରାଫିକ୍‌ରେ ଫସିରହି ସେ ଠିକ୍ ସମୟରେ ପୁରସ୍କାର ଉତ୍ସବକୁ ପହଞ୍ଚିପାରି ନଥିଲେ, ତେଣୁ ତାଙ୍କୁ ଏହି ପୁରସ୍କାରରୁ ବଞ୍ଚିତ କରାଯାଇଥିଲା । ତେବେ ଫିଲ୍ମଫେଆର ତରଫରୁ କଙ୍ଗନାଙ୍କ ଆରୋପକୁ ଖଣ୍ଡନ କରାଯାଇଛି । ଫିଲ୍ମଫେଆର ଦ୍ୱାରା ଜାରି କରାଯାଇଥିବା ବିବୃତ୍ତିରେ ଉଲ୍ଲେଖ କରାଯାଇଛି ଯେ ପୁରସ୍କାର ଗ୍ରହୀତା ଉତ୍ସବରେ ଉପସ୍ଥିତ ନ ଥିଲେ ବି ସେମାନଙ୍କୁ ପୁରସ୍କାର ଦିଆଯାଇଥାଏ । କଙ୍ଗନାଙ୍କୁ ପୂର୍ବରୁ ପାଞ୍ଚ ଥର ଏହି ପୁରସ୍କାର ମିଳିସାରିଛି ଏବଂ ସେ ମଧ୍ୟରୁ ଦୁଇଟି ପୁରସ୍କାର ତାଙ୍କର ଅନୁପସ୍ଥିତି ସତ୍ତ୍ୱେ ତାଙ୍କୁ ଦିଆଯାଇଛି । ଫିଲ୍ମଫେଆର ସମ୍ପର୍କରେ କଙ୍ଗନାଙ୍କ ଦାୟିତ୍ୱହୀନ ମନ୍ତବ୍ୟ ଯୋଗୁଁ ତାଙ୍କ ନାମକୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଦୌଡ଼ରୁ ବାଦ୍ ଦିଆଯାଇଛି । କଙ୍ଗନା କିନ୍ତୁ ନଛୋଡ଼ବନ୍ଦା । ସେ ଏଭଳି ପୁରସ୍କାର କାର୍ଯ୍ୟକ୍ରମ ବନ୍ଦ କରିବାକୁ କୋର୍ଟର ଆଶ୍ରୟ ନେବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.