ନୂଆଖାଇରେ ମୁଖ୍ୟମନ୍ତ୍ରୀଙ୍କ କାଳିଆ ଭେଟ

0 67

ଭୁବନେଶ୍ୱର, ୩୦ା୮(ଡିକେ ନ୍ୟୁଜ): କୃଷିଭିତ୍ତିକ ଗଣପର୍ବ ନୂଆଖାଇରେ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭେଟି । ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ସହାୟତା । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇରେ ସମଗ୍ର ରାଜ୍ୟର ଚାଷୀଙ୍କୁ କାଳିଆ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏ ପଠାଇବେ ରାଜ୍ୟ ସରକାର । ରାଜ୍ୟର ୪୧ ଲକ୍ଷ ଚାଷୀ ଏହି ସହାୟତା ପାଇବେ । ଏଥିପାଇଁ ମୋଟ ୮୬୯ କୋଟି ଟଙ୍କା ଦିଆଯିବ । କ୍ଷୁଦ, ନାମମାତ୍ର ଓ ଭାଗଚାଷୀଙ୍କୁ ମଧ୍ୟ ମିଳିବ କାଳିଆ ସହାୟତା । ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ୨୦୧୯ ଜାନୁଆରୀରୁ ଆରମ୍ଭ ହୋଇଛି କାଳିଆ ଯୋଜନା । ଗରିବ ଚାଷୀଙ୍କୁ ଆର୍ଥିକ ସହାୟତା ବାବଦକୁ କାଳିଆ ଟଙ୍କା ଦେଇଆସୁଛନ୍ତି ସରକାର । ପୂର୍ବରୁ ୭ଥର କାଳିଆ ଟଙ୍କା ମିଳିଥିବା ବେଳେ ନୂଆଖାଇରେ ୮ମ ଥର ପାଇଁ କାଳିଆ ଟଙ୍କା ଦେବେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ ରେ \”କାଳିଆ\’ ଯୋଜନା ଆରମ୍ଭ ହୋଇଥିଲା । ପ୍ରଥମେ ଦୁଇଟି କିସ୍ତିରେ ୫ ହଜାର ଲେଖାଁଏ ବାର୍ଷିକ ୧୦ ହଜାର ଟଙ୍କା ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଦୁଇଟି କିସ୍ତିରେ ୨ ହଜାର କରି ବାର୍ଷିକ ୪ ହଜାରକୁ ହ୍ରାସ କରାଯାଇଥିଲା । ଇତିମଧ୍ୟରେ ୭ଟି ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୯ ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ସହାୟତା ରାଶି ବଣ୍ଟାଯାଇଛି । ଏବେ ଅଷ୍ଟମ ପର୍ଯ୍ୟାୟରେ ପ୍ରାୟ ୮୬୯ କୋଟି ଟଙ୍କା ବଣ୍ଟାଯିବ । କୃଷି କ୍ଷେତ୍ରରେ ଅର୍ଥ ବିନିଯୋଗ ଏବଂ କୃଷକମାନଙ୍କର ନିରାପତ୍ତା ରାଜ୍ୟରେ ଦାରିଦ୍ର‌୍ୟ ଦୂରୀକରଣ ଏବଂ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ମାଧ୍ୟମରେ ଚାଷୀମାନଙ୍କ ହିତ ସାଧନ ପାଇଁ ରାଜ୍ୟ ସରକାର ଏକ ସାମୂହିକ
ଏବଂ ପରିବର୍ତ୍ତନଶୀଳ ସହାୟକ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହା କୃଷି ଭିତ୍ତିକ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବ । କାଳିଆ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ରାଜ୍ୟର କୃଷକଙ୍କୁ ଆର୍ଥିକ ସହାୟତା ଚୟନର ସ୍ୱାଧୀନତା ପ୍ରଦାନ କରି ସେମାନଙ୍କ ସଶକ୍ତିକରଣ ପାଇଁ ପ୍ରେରଣା ଦେବା ସହିତ ରାଜ୍ୟର କୃଷିର ଅଭିବୃଦ୍ଧି ଓ ବିକାଶ କରିବା । ହିତାଧିକାରୀଙ୍କ ନିକଟରେ ବିଭିନ୍ନ ଆର୍ଥିକ ସେବାର ସହଜ ଉପଲବ୍ଧିର ଉନ୍ନତିକରଣ ଦ୍ୱାରା କୃଷିର ଉତ୍ପାଦକତା ଓ କୃଷକଙ୍କର ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ବୃଦ୍ଧିରେ ସହାୟକ ହେବ । ବାସ୍ତବ ଦୃଷ୍ଟିକୋଣ ଉପରେ ଆଧାରିତ ଏହି ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ମାଧ୍ୟମରେ ୧୦,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରାଶି ବିନିଯୋଗ କରାଯାଇଛି । ଏଥିରେ ରାଜ୍ୟର ଅସମର୍ଥ କୃଷି ପରିବାର, ଭୂମିହୀନ ଚାଷୀ ଏବଂ ନାମମାତ୍ର ଚାଷୀଙ୍କୁ ଋଣଯନ୍ତା ଏବଂ ଦାରିଦ୍ର‌୍ୟରୁ ମୁକ୍ତ କରିବା ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି । କାଳିଆ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ୯୨ ପ୍ରତିଶତ ଚାଷୀ ଏବଂ ପ୍ରାୟ ସମସ୍ତ ଅଭାବଗ୍ରସ୍ତ ଭୂମିହୀନ ଚାଷୀ ମାନଙ୍କୁ ପରିସରଭୁକ୍ତ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ସହାୟତା ରାଶି ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.