ମୁମ୍ବାଇରେ ହେବ ଇନ୍‌ଭେଷ୍ଟର୍ସ ମିଟ

0 70

ଭୁବନେଶ୍ୱର, ୧୦ା୯(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ତାରିଖରେ ୩ଦିନିଆ ମୁମ୍ବାଇ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ନଭେମ୍ବରରେ “ମେକ୍‌ ଇନ୍‌ ଓଡ଼ିଶା୨୦୨୨’ କନକ୍ଲେଭ୍‌ ପୂର୍ବରୁ ମୁମ୍ବାଇରେ ସେପ୍ଟେମ୍ବର ୧୪ତାରିଖରେ “ଓଡ଼ିଶା ଇନଭେଷ୍ଟର୍ସ ମିଟ’ ଅନୁଷ୍ଠିତ ହେବ ଓ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନିବେଶକଙ୍କୁ ଭେଟିବ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୪ତାରିଖରେ ମୁମ୍ବାଇର ନରିମନ୍‌ ପଏଣ୍ଟରେ ଥିବା ହୋଟେଲ ଟ୍ରାଇଡେଣ୍ଟରେ ସନ୍ଧ୍ୟା ସାଢେ଼ ୬ଟାରେ “ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ ‘ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଫିକ୍କିର ପଦାଧିକାରୀମାନେ ସାମିଲ ହେବେ । ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା “ମେକ୍‌ ଇନ୍‌ ଓଡ଼ିଶା-୨୦୨୨’ କନ୍‌କ୍ଲେଭ୍‌ରେ ସାମିଲ ପାଇଁ ନିବେଶକଙ୍କୁ ଆମନ୍ତ୍ରଣ କରିବା ସହ ଓଡ଼ିଶାରେ ପ୍ରକଳ୍ପ ସ୍ଥାପନ ନିମନ୍ତେ ନିବେଶକଙ୍କୁ ଆକୃଷ୍ଟ କରାଯିବ । ତେବେ ମୁମ୍ବାଇରେ ହେବାକୁ ଥିବା ଇନଭେଷ୍ଟର୍ସ ମିଟ୍‌ କାର୍ଯ୍ୟକ୍ରମ ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଆଜିଠୁ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇନି । ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୩ତାରିଖରେ ମୁମ୍ବାଇ ଗସ୍ତରେ ଯାଇ ୧୫ତାରିଖରେ ଓଡ଼ିଶା ଫେରିବେ ବୋଲି ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.