ସକାଳୁ ରାତି ଯାଏ ୧୮ ବୈଠକ ଲୋକଙ୍କ ପାଇଁ କାମ କଲେ କ୍ଲାନ୍ତ ଲାଗେନି: ନବୀନ

0 68

ମୁମ୍ବାଇ/ଭୁବନେଶ୍ୱର, ୧୫ା୯(ଡିକେ ନ୍ୟୁଜ): ନିବେଶ ନିମନ୍ତେ ସାରା ଦେଶରେ ଓଡ଼ିଶା ସର୍ବୋକ୍ରୃଷ୍ଟ ରାଜ୍ୟ । ଇଜ୍‌ ଅଫ୍‌ ଡ଼ୁଇଙ୍ଗ ବିଜନେସ କ୍ରମାଙ୍କରେ ଓଡ଼ିଶା ଆଚିଭର୍ସ ବର୍ଗରେ ସ୍ଥାନ ପାଇଛି । ଦକ୍ଷ ମାନବ ସମ୍ବଳ ସୃଷ୍ଟି ଓ ସହଜ ଶିଳ୍ପ ନୀତି ପ୍ରଣୟନ କ୍ଷେତ୍ରରେ ଦେଶରେ ଓଡ଼ିଶାର ପ୍ରଚେଷ୍ଟା ଅଦ୍ୱିତୀୟ । ଏଥିପାଇଁ ଦେଶ ବିଦେଶର ନିବେଶକମାନେ ଓଡ଼ିଶା ମୁହାଁ ହୋଇଛନ୍ତି । ଏହି କ୍ରମରେ ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା “ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ରେ ଯୋଗ ଦେବା ନିମନ୍ତେ ଦେଶର ବଡ଼ ବଡ଼ ନିବେଶକ, ଶିଳ୍ପପତିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ବଡ଼ ବଡ଼ ଶିଳ୍ପପତି ଓ ନିବେଶକମାନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସନ୍ଧ୍ୟାରେ ମୁମ୍ବାଇରେ ଅନୁଷ୍ଠିତ ନିବେଶକ ସମ୍ମେଳନରେ ଯୋଗଦେଇଥିଲେ । ଗତକାଲି ମୁଖ୍ୟମନ୍ତ୍ରୀ ଗୋଟିଏ ଦିନରେ ଛୋଟବଡକୁ ମିଶାଇ ମୋଟ୍‌ ୧୮ଟି ବୈଠକ କରିଛନ୍ତି । ବ୍ୟସ୍ତତା ଭିତରେ ବି ଜନସେବା ମାନସିକତା ତାଙ୍କୁ କ୍ଲାନ୍ତ କରିପାରିନଥିଲା । ବେଶ ଉତ୍ସୁକତାର ସହ ମୁଖ୍ୟମନ୍ତ୍ରୀ ଗତକାଲି ଦେଶର ଶିଳ୍ପପତିମାନଙ୍କ ସହ ଆଲୋଚନା କରି ରାଜ୍ୟରେ ସେମାନଙ୍କ ଶିଳ୍ପ ପ୍ରତିଷ୍ଠା କରିବାକୁ ନିମନ୍ତ୍ରଣ କରିବା ସହ ରାଜ୍ୟରେ ଉପଲବ୍ଧ ଥିବା ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ । ଏସବୁ ଭିତରେ ଏକ ରୋଚକ ଭିଡିଓ ସାମ୍ନାକୁ ଆସିଛି । କ୍ୟାମେରା ଫ୍ରେମରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ । ଏଥିରେ ରହିଛି ପାଣ୍ଡିଆନଙ୍କ ପ୍ରଶ୍ନ ଓ ନବୀନଙ୍କ ଉତ୍ତର । ପାଣ୍ଡିଆନ ପ·ରିଛନ୍ତି ଗୋଟିଏ ଦିନରେ ଆପଣ ୧୮ଟି ବୈଠକ କରୁଛନ୍ତି, ଆପଣ କ୍ଲାନ୍ତ ଅନୁଭବ କରୁନାହାନ୍ତି କି ? ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ପାଇଁ କାମ କରିବା ସମୟରେ କଷ୍ଟ ଅନୁଭବ ହୋଇନଥାଏ । ଆଉ ଏହି ୨୫ ସେକେଣ୍ଡରେ ଭିଡିଓ ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ସାଧାରଣ ଲୋକଙ୍କ ପାଇଁ ଦିନ ରାତି କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରତିକ୍ରିୟା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଛି । ଯିଏ ଦେଖୁଛନ୍ତି ପ୍ରଶଂସା କରୁଛନ୍ତି । ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଏପରି ମଧ୍ୟ ପରିଶ୍ରମ କରିପାରନ୍ତି ଏବଂ ଏତେ ବୟସରେ ମଧ୍ୟ କ୍ଲାନ୍ତ ଅନୁଭବ କରନ୍ତି ନାହିଁ, ତାହା ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ପ୍ରତି ଥିବା ଭଲପାଇବା ଏବଂ ଲୋକସେବାର ମାନସିକତାକୁ ଦର୍ଶାଇଛି । ସୂଚନାଯୋଗ୍ୟ ଯେ, ଦୁଇ ଦଶନ୍ଧି ଧରି ଶିଳ୍ପାୟନରେ ଓଡ଼ିଶାରେ ବ୍ୟାପକ ପରିବର୍ତ୍ତନ ହୋଇଛି । ସାରା ଦେଶରେ ଓଡ଼ିଶା ଏବେ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି । ଦେଶର ଅର୍ଥନୀତିରେ ଓଡ଼ିଶାର ଅବଦାନ ଅଧିକ । ମୁମ୍ବାଇରେ ପୁଞ୍ଜିନିବେଶକାରୀଙ୍କୁ ଉଦ୍‌ବୋଧନ ଦେଇ ମେକ ଇନ୍‌ ଓଡ଼ିଶା କନକ୍ଲେଭରେ ଯୋଗ ଦେବାକୁ ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୧୬ ଓ ୨୦୧୮ରେ ସଫଳତାର ସହ ୨ଟି ଏମ୍‌ଆଇଓ କନକ୍ଲେଭ ଆୟୋଜନ ହୋଇଥିଲା । ଚଳିତବର୍ଷ ହେବ ବଡ଼ ଧରଣର ଏମ୍‌ଆଇଓ କନକ୍ଲେଭ । ପ୍ରାକୃତିକ ସମ୍ପଦ ଭରା ଓଡ଼ିଶାରେ ଦକ୍ଷ ମାନବସମ୍ବଳ ରହିଛି । ଶିଳ୍ପପତିଙ୍କ ଯୋଗଦାନ ଏହାକୁ ଅଧିକ ସମୃଦ୍ଧ ଓ ସଫଳ କରିବ । ସ୍ଥାୟୀ ସରକାର ଓ ପ୍ରଗତିଶୀଳ ନୀତି ଯୋଗୁଁ ଓଡ଼ିଶା ଆଗଉଛି ବୋଲି କହିଛନ୍ତି ନବୀନ । ୟୁନିକ ଇକୋସିଷ୍ଟମ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଓଡ଼ିଶା ଏବେ ଆଚିଭର ଷ୍ଟେଟର ମାନ୍ୟତା ପାଇଛି । ଇଜ୍‌ ଅଫ୍‌ ଡୁଇଂ ବିଜିନେସ ରେଟିଂରେ ଓଡ଼ିଶା ଆଗରେ ରହିଛି । ଓଡ଼ିଶା ଏବେ ସାରା ଦେଶର ପୁଞ୍ଜିପତିଙ୍କ ଡେଷ୍ଟିନେସନ ପାଲଟିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ୱାନ୍‌ ଟୁ ୱାନ୍‌ ବେଳେ ବୁଝାଇ କହିଥିଲେ ଓଡ଼ିଶାର ସରଳ ଶିଳ୍ପନୀତି ବାବଦରେ । ଓଡ଼ିଶାରେ ପୁଞ୍ଜିନିବେଶ ନେଇ କି କି ସୁବିଧା ରହିଛି, ସରକାର କି ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି, ପାଣି, ଖଣି, ବିଦ୍ୟୁତ ମହଜୁଦ ରହିଥିବା ବେଳେ ସିଙ୍ଗିଲ ୱିଣ୍ଡୋରେ ମିଳୁଛି ସବୁ ସୁବିଧା ନେଇ ବକ୍ତବ୍ୟ ରଖିଥିଲେ । ସମ୍ମିଳନୀରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ଶିଳ୍ପ ସଚିବ ହେମନ୍ତ ଶର୍ମା ଯୋଗ ଦେଇଥିଲେ ।

Leave A Reply

Your email address will not be published.