ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତରେ ମିଳିବନି ଆଡମିଶନ

0 57

ନୂଆଦିଲ୍ଲୀ, ୧୫ା୯: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଘୋର ଅନ୍ଧକାରମୟ ହୋଇଯାଇଛି । କାରଣ ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ମେଡିକାଲ କଲେଜଗୁଡ଼ିକରେ ନାମ ଲେଖାଇବାକୁ ଅନୁମତି ଦେବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର କହିଛନ୍ତି ଯେ ଏ ନେଇ ଜାତୀୟ ମେଡିକାଲ କମିସନ ଆଇନରେ କୌଣସି ବ୍ୟବସ୍ଥା ନଥିବାରୁ ଏହା ସମ୍ଭବ ନୁହେଁ । ଏହ ଛାତ୍ରଛାତ୍ରୀଙ୍କୁ ନାମଲେଖା ଅନୁମତି ଦେବା ଦ୍ୱାରା ଭାରତରେ ମେଡିକାଲ ଶିକ୍ଷାର ମାନ ପ୍ରଭାବିତ ହେବ । ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ ସେମାନଙ୍କୁ ଭାରତୀୟ ବିଶ୍ୱବିଦ୍ୟାଳୟରେ ପଢିବାକୁ ଅନୁମତି ଦେବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପକ୍ଷ ରଖିବାକୁ କହିଥିଲେ । ସୁପ୍ରିମକୋର୍ଟରେ ଏନେଇ ନିଜ ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଭାରତୀୟ ବିଶ୍ୱବିଦ୍ୟାଳୟରେ ଆଡମିଶନର ସୁଯୋଗ ିଆଯାଇ ପାରିବ ନାହିଁ । ଛାତ୍ରମାନେ ୟୁକ୍ରେନ୍‌ରେ ନିଜର କଲେଜରୁ ଅନୁମତି ନେଇ ଅନ୍ୟ ଦେଶର ବିଶ୍ୱବିଦ୍ୟାଳୟକୁ ଟ୍ରାନ୍ସଫର କରିବାର ବିକଳ୍ପ ଚୟନ କରିପାରିବେ ବୋଲି ସରକାର କହିଛନ୍ତି । ସରକାର ଆହୁରି କହିଛନ୍ତି ଯେ, ନିଟ୍‌ ପରୀକ୍ଷାରେ ଖରାପ ମାର୍କ କିମ୍ବା ଶସ୍ତା ଫି କାରଣରୁ ଛାତ୍ରଛାତ୍ରୀମାନେ ୟୁକ୍ରେନରେ ମେଡିକାଲ କଲେଜର ଚୟନ କରିଥିଲେ । ଯଦି ନିଟ୍‌ ପରୀକ୍ଷାରେ କମ ସ୍କୋର କରିଥିବା ଛାତ୍ରଛାତ୍ରୀଙ୍କୁ ଭାରତରେ ବିଶ୍ୱ ବିଦ୍ୟାଳୟଗୁଡିକରେ ସିଟ୍‌ ଦିଆଯାଏ ତେବେ ପୂର୍ବରୁ ପଢୁଥିବା ଛାତ୍ରଛାତ୍ରୀମାନେ ଆପତ୍ତି କରିପାରନ୍ତି । କମ୍‌ ନିଟ୍‌ ସ୍କୋର ଥିବା ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତୀୟ କଲେଜଗୁଡିକରେ ନାମଲେଖା ପାଇଁ ସୁଯୋଗ ଦେବା ଦେଶର ଡାକ୍ତରୀ ଶିକ୍ଷା ମାନଦଣ୍ଡକୁ ପ୍ରଭାବିତ କରିବ ବୋଲି ସରକାର କହିଛନ୍ତି ।

Leave A Reply

Your email address will not be published.