ଟି-୨୦ ବିଶ୍ୱ କପ୍‌ ଅକ୍ଟୋବର ୬ରେ ଇଣ୍ଡିଆ ଟିମ୍‌ର ଅଷ୍ଟ୍ରେଲିଆ ଗସ୍ତ

0 64

ନୂଆଦିଲ୍ଲୀ, ୧୮ା୯: ଟି-୨୦ ବିଶ୍ୱକପ୍‌ ପାଇଁ ଆଉ କିଛି ଦିନ ବାକି ରହିଛି । ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ଘୋଷଣା ହୋଇ ସାରିଛି । ମିଶନ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ଭାରତୀୟ ଦଳ ଏବେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍‌ ଖେଳିବ । ଏହା ପରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ବିଶ୍ୱକପ୍‌ ଦଳ ଅକ୍ଟୋବର ୬ରେ ଅଷ୍ଟ୍ରେଲିଆ ଗସ୍ତ କରିବ ବୋଲି କୁହାଯାଉଛି । ଅକ୍ଟୋବର ୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍‌ ସମାପ୍ତ ହେବ । ଏହା ପରେ ଭାରତୀୟ ଦଳ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବ । ଟି-୨୦ ବିଶ୍ୱକପ୍‌ ଦଳରେ ସାମିଲ୍‌ ଖେଳାଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜର ଅଂଶ ହେବେନାହିଁ । ତେଣୁ ଏହି ଦଳ ଶୀଘ୍ର ଅଷ୍ଟ୍ରେଲିଆରେ ପହଞ୍ଚିବାର ସମ୍ଭାବନା ରହିଛି । ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ସହିତ ଷ୍ଟାଣ୍ଡବାଇ ଖେଳାଳି ମଧ୍ୟ ଅଷ୍ଟ୍ରେଲିଆ ଯାତ୍ରା କରିବେ । ଏଥିରେ ମହମ୍ମଦ ଶାମି, ଶ୍ରେୟସ ଆୟର, ରବି ବିଷ୍ନୋଇ ଏବଂ ଦୀପକ ଚହର ସାମିଲ୍‌ । କେବଳ ଦଳରେ ସାମିଲ୍‌ ଖେଳାଳିଙ୍କ ଖର୍ଚ୍ଚ ଉଠାଇବ ଆଇସିସି ଆଇସିସିର ଟୁର୍ଣ୍ଣାମେଣ୍ଟରେ ଆଇସିସି ଦ୍ୱାରା ହିଁ ଦଳର ଖେଳାଳିଙ୍କ ଯାତ୍ରା ଖର୍ଚ୍ଚ ଉଠାଇଥାଏ । ଆଉ ଏହାର ଫାଇଦା ପାଇ ପାରିବେ ପ୍ରତ୍ୟେକ ଦଳର ୧୫ ଜଣିଆ ଖେଳାଳି । ଭାରତର ବାକି ୪ ଷ୍ଟାଣ୍ଡବାଇ ଖେଳାଳିଙ୍କ ଖର୍ଚ୍ଚ ବିସିସିଆଇ ଉଠାଇବ । ଦଳ ପ୍ରବନ୍ଧକ ଷ୍ଟାଣ୍ଡବାଇ ଖେଳାଳିଙ୍କୁ ଦଳ ସହିତ ଅଷ୍ଟ୍ରେଲିଆ ପଠାଇବା ପାଇଁ ବିସିସିଆଇକୁ କହିଛି । ଯଦ୍ୱାରା ପ୍ରାକ୍ଟିସ୍‌ ସେସନ, ୱାର୍ମ ଅପ୍‌ ମ୍ୟାଚ୍‌ ସମୟରେ ଯଦି କୌଣସି ଖେଳାଳିଙ୍କୁ କୌଣସି ଅସୁବିଧା ହୁଏ ତେବେ ତୁରନ୍ତ ଷ୍ଟାଣ୍ଡବାଇ ଖେଳାଳିଙ୍କୁ ଦଳରେ ସାମିଲ୍‌ କରାଯାଇ ପାରିବ । ଉଲ୍ଲେଖନୀୟ ଶେଷଥର ଯେବେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିଥିଲା, ସେହି ସମୟରେ ଅଧା ଡଜନରୁ ଅଧିକ ଖେଳାଳି ଆହତ ହୋଇଥିଲେ । ବ୍ରିସବେନ୍‌ ଟେଷ୍ଟ ସମୟରେ ସେହି ସମସ୍ତ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍‌ କରାଯାଇଥିଲା, ଯେଉଁମାନେ ସପୋର୍ଟ ଷ୍ଟାଫ ପାଇଁ ଦଳ ସହିତ ରହିଥିଲେ । ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା , ଋଷଭ ପନ୍ତ(ୱିକେଟ୍‌ କିପର), ଦିନେଶ କାର୍ତ୍ତିକ(ୱିକେଟ୍‌ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍‌, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ୍‌, ଅର୍ଶଦୀପ ସିଂହ । ଷ୍ଟାଣ୍ଡବାଇ ଖେଳାଳି- ମହମ୍ମଦ ଶାମି, ଶ୍ରେୟସ ଆୟର, ରବି ବିଷ୍ନୋଇ, ଦୀପକ ଚହର ।

Leave A Reply

Your email address will not be published.