ତ୍ୱରାନ୍ୱିତ ହେବ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ଏନ୍‌ଏମ୍‌ଏର ଅନୁମତି ପରେ ସବୁଠି ଖୁସିର ଲହରି ନିର୍ଦ୍ଧାରିତ ସମୟରେ ସରିବ ନିର୍ମାଣ କାର୍ଯ୍ୟ

0 61

ପୁରୀ, ୨୧ା୯(ଡିକେ ନ୍ୟୁଜ): ମହକାଂକ୍ଷୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପଥରୁ ସମସ୍ତ ପ୍ରତିବନ୍ଧକ ଦୂର ହୋଇଛି । ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଉପରେ ବିଧିବଦ୍ଧ ଅନୁମତି ପ୍ରଦାନ କରିଛନ୍ତି । ପ୍ରାଧିକରଣର ୩୬୧ତମ ବୈଠକରେ ସ୍ୱତନ୍ତ୍ର ଭାବରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଭୁବନେଶ୍ୱରର ଏକାମ୍ର ସଂରକ୍ଷଣ ଯୋଜନା, କୋଣାର୍କ ଐତିହ୍ୟାଞ୍ଚଳ ଉନ୍ନୟନ ନକ୍ସାକୁ ମଧ୍ୟ ଅନୁମୋଦନ ମିଳିଛି । ଫଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଏକାମ୍ର ବିକାଶ
ସଂକ୍ରାନ୍ତ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ମୁଷ୍ଟିମେୟ ବ୍ୟକ୍ତି ଓ ନିର୍ଦ୍ଦିଷ୍ଟ ବିକାଶ ବିରୋଧୀ ଗୋଷ୍ଠୀକୁ ଶକ୍ତ ଧକ୍କା ଲାଗିଛି । ୨୦୨୧ ସେପ୍ଟେମ୍ବର ୪ ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ପ୍ରଦାନ କରାଯାଇଥିବା ଆପତ୍ତିବିହୀନ ପ୍ରମାଣପତ୍ର (ଏନ୍‌ଓସି)କୁ ଏହି ବୈଠକରେ ଦୃୀକରଣ କରାଯାଇଛି । ପୂର୍ବରୁ ଗତ ଜୁନ୍‌ ମାସରେ ସୁପ୍ରିମକୋର୍ଟ ପରିକ୍ରମା ପ୍ରକଳ୍ପ ବିରୋଧରେ ଆଗତ ଜନସ୍ୱାର୍ଥ ମାମଲାକୁ ଖାରଜ କରିବା ସହ ଦୁଇ ଆବେଦନକାରୀଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ । ଶ୍ରଦ୍ଧାଳୁ ଓ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ହେଉଥିବା କାର୍ଯ୍ୟ “ନିର୍ମାଣ’ ପର୍ଯ୍ୟାୟଭୁକ୍ତ ନୁହେଁ ବୋଲି ସ୍ପଷ୍ଟ କରି ଦେଇଥିଲେ । ପୁରୀର ବିକାଶ ଏବଂ ଶ୍ରୀକ୍ଷେତ୍ରକୁ ବିଶ୍ୱ ଦରବାରରେ ନୂଆ ପରିଚୟ ଦେବା ପାଇଁ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ଲାଗି କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବରେ ଅର୍ଥ ବରାଦ କରାଯାଇଛି । ଭିତ୍ତିଭୂମିର ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ, ବହୁଟିକିଆ(ମଲ୍ଟି ଲେନିଂ) ରାସ୍ତା, ସେତୁ, ଅତ୍ୟାଧୁନିକ ପାର୍କିଂ ଆଦିର ପରିକଳ୍ପନା କରାଯାଇଛି । ଏହା ସହିତ ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଜାରି ରହିଛି । ବିଶ୍ୱବାସୀଙ୍କ ନଜର ଟାଣିବା ଭଳି ବଡ଼ଦେଉଳର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ସହ ଭକ୍ତଙ୍କ ସୁବିଧାକୁ ପ୍ରାଥମିକତା ଦେଇ ନିର୍ମାଣ କରାଯାଉଛି ଐତିହ୍ୟ କରିଡର୍‌ । ମାତ୍ର ଏହି ପ୍ରକଳ୍ପକୁ ଆରମ୍ଭରୁ ବିବାଦ ମଧ୍ୟକୁ କିଛି ବ୍ୟକ୍ତି ଓ ଗୋଷ୍ଠୀ ଟାଣିବାକୁ ଉଦ୍ୟମ କରିଛନ୍ତି । ପ୍ରକଳ୍ପ ବିରୋଧରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ପ୍ରକଳ୍ପ ବିରୋଧୀମାନେ ପ୍ରତ୍ୟାଖ୍ୟାତ ହୋଇଛନ୍ତି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା, ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟ ବୃଦ୍ଧି ପରି ମହତ ଉଦ୍ଦେଶ୍ୟ ନେଇ ପ୍ରକଳ୍ପ ନିର୍ମାଣର ଲକ୍ଷ୍ୟ ହୋଇଥିବାରୁ ବିରୋଧୀଙ୍କୁ ଝଟକା ଲାଗିଛି । ଅଦାଲତରେ ମାମଲା ଖାରଜ ହୋଇଛି । ଏବେ ଏନ୍‌ଏମ୍‌ଏ ମଧ୍ୟ ପ୍ରକଳ୍ପ ବିରୋଧୀଙ୍କୁ ନିରାଶ କରିଛି । ମହାପ୍ରଭୁଙ୍କ କାମକୁ ରୋକିବାକୁ ବିରୋଧୀ ଅସଫଳ ହୋଇଛନ୍ତି । “ଆମ୍ସାର’ ଆକ୍ଟକୁ ଆୟୁଧ କରି ପ୍ରକଳ୍ପକୁ ବନ୍ଦ କରିବା ନିମନ୍ତେ ସମସ୍ତ ଷଡ଼ଯନ୍ତ୍ର ପଣ୍ଡ ହୋଇଛି ।
ଏନ୍‌ଏମ୍‌ଏ ନିଷିଦ୍ଧାଞ୍ଚଳରେ ମହିଳା ଓ ପୁରୁଷ ଯାତ୍ରୀ ଓ ଶ୍ରଦ୍ଧାଳଙ୍କ ପାଇଁ ଶୌଚାଳୟ ନିର୍ମାଣକୁ ଅନୁମତି ଦେଇଛି । ସେହିପରି କ୍ଲୋକ ରୁମ୍‌, ମିନି କ୍ଲୋକରୁମ୍‌, ସେଲ୍ଫଟର ପାଭିଲିଅନ, ସେବାୟତଙ୍କ ଲାଗି ଶୌଚାଳୟ, ଇଲେକ୍ଟ୍ରିକାଲ ରୁମ୍‌ ନିର୍ମାଣ ଲାଗି ପୂର୍ବରୁ ଯେଉଁ ଏନଓସି ପ୍ରଦାନ କରାଯାଇଥିଲା ତାହାକୁ କାର୍ଯ୍ୟକାରୀ କରିବାକୁ ଏନଏମ୍‌ଏର
୩୬୧ତମ ଏନଓସି ବୈଠକରେ ଦୃଢ଼ୀଭୂତ ହୋଇଛି । ପଶ୍ଚିମ ଦ୍ୱାର ନିକଟରେ ସେବାୟତଙ୍କ ପାଇଁ ଅତିରିକ୍ତ ଶୌ·ଳୟ, କ୍ଲକରୁମ୍‌ ଆଦି ନିର୍ମାଣ ପାଇଁ ମଧ୍ୟ ଏନ୍‌ଏମ୍‌ଏ ଅନୁମତି ପ୍ରଦାନ କରିଛି । ପରିକ୍ରମା ମାର୍ଗ ମଧ୍ୟରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରିବାକୁ ନେଇ ଏଏସ୍‌ଆଇର ଆପତ୍ତି ପରେ ଶ୍ରୀମନ୍ଦିର ପରି·ଳନା କମିଟ ଅଧ୍ୟକ୍ଷ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୦୦ ମିଟର ବାହାରେ ଅଭ୍ୟର୍ଥନା କେନ୍ଦ୍ର କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା । ଏଥିଲାଗି ଏନ୍‌ଏମକୁ ଦିଆଯାଇଥିବା ସଂଶୋଧିତ ଡିପିଆରକୁ ମଧ୍ୟ ଏନ୍‌ଏମ୍‌ଏ ଗ୍ରହଣ କରିଛି । ମନ୍ଦିରଠାରୁ ୧୦୧.୫୦ ମିଟର ବାହାରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ନେଇ ଏନଏମ୍‌ଏ ଅନୁମତି ଦେଇଛି । ଅଭ୍ୟର୍ଥନା କେନ୍ଦ୍ରର ଉଚ୍ଚତା ୭.୫ ମିଟର ଓ ପରିସୀମା ୧୩୫ ବର୍ଗମିଟର ରହିବ ବୋଲି କୁହାଯାଇଛି । ପୁନଶ୍ଚ ସୂଚନା କେନ୍ଦ୍ର, ଦାନ କେନ୍ଦ୍ର, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପୁଲିସ ସେବା କେନ୍ଦ୍ର ଓ ଏଟିଏମ୍‌ ଆଦି ନିର୍ମାଣ ନିମନ୍ତେ ଆପତ୍ତିବିହୀନ ପ୍ରମାଣପତ୍ର ଏନ୍‌ଏମ୍‌ଏ ପ୍ରଦାନ କରିଛି ଏବଂ ଏସବୁର ସଂରକ୍ଷଣ, ସୁରକ୍ଷା ନିରାପତ୍ତାକୁ ଦୃଷ୍ଟିରେ ରଖି ନିୟନ୍ତ୍ରିତ ଅଞ୍ଚଳରେ କରାଯିବା ଲାଗି ପରାମର୍ଶ ଦେଇଛି । ଏନ୍‌ଏମ୍‌ଏର ଏହି ଅନୁମୋଦନ ପରେ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଆପାତତଃ ଶେଷ ହୋଇଛି । ପ୍ରକଳ୍ପ ବିରୋଧୀମାନଙ୍କୁ ଶକ୍ତା ଧକ୍କା ଲାଗିଛି । ଶ୍ରୀମନ୍ଦିରର ସୁରକ୍ଷା ଏବଂ ଭକ୍ତଙ୍କ ସୁବିଧା ପାଇଁ ପ୍ରକଳ୍ପ କରାଯାଉଛି । ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାମ । ଏହାକୁ ବିରୋଧ ନ କରି କିପରି କାମ ଶୀଘ୍ର ସରିବ ଏବଂ ଜନସାଧାରଣ ଏହାର ସୁବିଧା ପାଇବେ ସେ ଦିଗରେ ସମସ୍ତେ ସହଯୋଗ କରିବା ଦରକାର ବୋଲି ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.