ବଜେଟ୍‌ର ହିସାବ ରଖିବ “୫-ଟି’

0 64

ଭୁବନେଶ୍ୱର, ୨୬ା୯(ଡିକେ ନ୍ୟୁଜ): ପ୍ରତି ବର୍ଷ ରାଜ୍ୟ ସରକାର ବଜେଟରେ ବିଭିନ୍ନ କାର୍ଯ୍ୟ ପାଇଁ ଅନୁଦାନ ଦେଉଛନ୍ତି । ନିର୍ଦ୍ଦିଷ୍ଟ କାମ ପାଇଁ ଦିଆଯାଇଥିବା ପାଣ୍ଠି ଠିକ୍‌ ଭାବେ ଖର୍ଚ୍ଚ ହେଉଛି କି ନାହିଁ ତାହାର ହିସାବ ରଖିବ “୫-ଟି’ । ବିଇଟିଏ (ବିଟା) ନାମରେ ପ୍ରସ୍ତୁତ ଅନଲାଇନ୍‌ ବ୍ୟବସ୍ଥାରେ ପ୍ରତ୍ୟେକ ବିଭାଗ ବଜେଟ ପାଣ୍ଠିର ବିନିଯୋଗ ସମ୍ପର୍କରେ ତଥ୍ୟ ଦାଖଲ କରିବେ । ବିଶେଷକରି ଅଧିକ ବ୍ୟୟ କରୁଥିବା ୨୭ଟି ବିଭାଗକୁ ଏହା ସୁନିଶ୍ଚିତ କରିବା ପାଇଁ କୁହାଯାଇଛି । ଏହା ଦ୍ୱାରା ବଜେଟ୍‌ ବ୍ୟୟବରାଦର କାର୍ଯ୍ୟାନ୍ୱୟ କିପରି ହେଉଛି ଏବଂ କ’ଣ ତ୍ରୁଟି ରହୁଛି ତାହା ଜଣାପଡ଼ିବ । ଏଥିସହ ପାଣ୍ଠି ବ୍ୟୟରେ ପାରଦର୍ଶିତା ସୁନିଶ୍ଚିତ କରାଯାଇ ପାରିବ । ଏନେଇ ଅର୍ଥ ବିଭାଗ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ କହିଛନ୍ତି । ବିଟା ଅନଲାଇନ୍‌ ବ୍ୟବସ୍ଥା ୨୦୨୧- ୨୨ ଆର୍ଥିକ ବର୍ଷରେ ଆରମ୍ଭ କରାଯାଇ ଥିଲା । ବିଭାଗମାନେ ଖର୍ଚ୍ଚ କରୁଥିବା ଅର୍ଥର ବିଷଦ ବିବରଣୀ ଅନ୍‌ଲାଇନ୍‌ରେ ଅପଲୋଡ୍‌ କରିବା ପାଇଁ କୁହାଯାଇଥିଲା । ତେବେ ଏହାର କାର୍ଯ୍ୟକାରିତାରେ ସମସ୍ୟା ଦେଖା ଦେଲା । ମୁଖ୍ୟତଃ ଠିକ୍‌ ଭାବେ ତଥ୍ୟ ଅପଲୋଡ୍‌ କରିବା ଏବଂ ଅନ୍ୟ ପ୍ରକ୍ରିୟା ସମ୍ପାଦନ କରିବାରେ ସମସ୍ୟା ରହିଲା । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଅର୍ଥ ବିଭାଗ ଏକ ୟୁଜର୍ସ ମାନୁଆଲ ପ୍ରସ୍ତୁତ କରଛି । ଏହାର ଅନୁପାଳନ ଦ୍ୱାରା ଅନଲାଇନ୍‌ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରାଯାଇ ପାରିବ । ସବିଶେଷ ବିବରଣୀକୁ ନେଇ ଅର୍ଥ ବିଭାଗ ଟେବୁଲାର ମାଧ୍ୟମରେ ବଜେଟ ବିବରଣୀ ପ୍ରସ୍ତୁତ କରିବ । ଏହା ରାଜ୍ୟ କ୍ୟାବିନେଟ୍‌ ଠାରୁ ଆରମ୍ଭ କରି ବିଧାନସଭା କାର୍ଯ୍ୟ ଏବଂ ଯୋଜନା ପ୍ରସ୍ତୁତି ସମୟରେ କାମରେ ଲାଗିପାରିବ ।

Leave A Reply

Your email address will not be published.