କଂଗ୍ରେସ କମାଣ୍ଡ ପାଇଁ ମୈଦାନକୁ ଓହ୍ଲାଇବେ ଦିଗବିଜୟ ସିଂହ

0 85

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଶାୟୀଙ୍କ ସଂଖ୍ୟା କ୍ରମେ ବଢ଼ିବାରେ ଲାଗିଛି । ଆଗରୁ ମୈଦାନରେ କେବଳ ୨ ଜଣ ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ବରିଷ୍ଠ ନେତା ଶଶି ଥରୁର ଥିଲେ । ଏବେ ରେସ୍‌ରେ ଜଣକ ପରେ ଜଣେ ନେତାଙ୍କ ଆବିର୍ଭାବ କଂଗ୍ରେସ ରାଜନୀତିକୁ ଅଧିକ ରୋଚକ କରିଛି । ଏଆଇସିସି ମୁଖିଆ ପାଇଁ ନୂଆ ପ୍ରତିଦ୍ୱନ୍ଦୀ ଭାବେ ରେସ୍‌ରେ ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ନାଁ ଆସିଛି । ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି । ସେ ବି ଅଧ୍ୟକ୍ଷ ହେବାକୁ ମନ ବଳାଇଛନ୍ତି । ଗତକାଲି ଦିଲ୍ଲୀରୁ ଫେରିଥିବା ଦିଗବିଜୟ ଆସନ୍ତା ୩୦ ତାରିଖରେ ନାମାଙ୍କନ ଭରିବା ଲାଗି ସଜବାଜ ହେଉଥିବା ଜଣାପଡ଼ିଛି ।
ସେହିପରି ଦିଗବିଜୟଙ୍କ ବ୍ୟତୀତ ରେସ୍‌ରେ ଅନ୍ୟତମ କଂଗ୍ରେସ ନେତା
ମଲ୍ଲିକାର୍ଜୁନ ଖାଡ଼ଗେ, କେସି ଭେନୁଗୋପାଲ ପ୍ରମୁଖ ନେତା ଅଛନ୍ତି । ଅନ୍ୟପଟେ ସଙ୍କଟ ସ୍ୱତ୍ତେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଦୌଡ଼ରୁ ବାଦ୍‌ ପଡ଼ିନାହାନ୍ତି । ରବିବାରର ହାଇ ଡ୍ରାମା ପରେ ଗେହଲଟ ପ୍ରଥମଥର ସୋନିଆଙ୍କ ସହ କଥା ହୋଇ ରାଜ୍ୟରେ ବିଧାୟକଙ୍କ ଅସନ୍ତୋଷର କାରଣ ବାବଦରେ ଆଲୋଚନା କରିଛନ୍ତି ।
ଗେହଲଟ କହିଛନ୍ତି, ଦଳର ଶୀର୍ଷ ନେତୃତ୍ୱକୁ ସେ କେବେ ବି ଚ୍ୟାଲେଞ୍ଜ
କରିବେନାହିଁ । ତେବେ ରାହୁଲ ଗାନ୍ଧିଙ୍କ “ଭାରତ ଯୋଡେ଼ା ଯାତ୍ରା’ ସମୟରେ ରାଜସ୍ଥାନ ବିଧାୟକମାନେ ବିଦ୍ରୋହ କରି ଦଳକୁ ଯେଭଳି ଲଜ୍ଜିକରିଛନ୍ତି କଂଗ୍ରେସ ନେତୃବୃନ୍ଦ ସେଥିପାଇଁ ଗେହଲଟଙ୍କ ଉପରେ
ସନ୍ତୁଷ୍ଟ ନାହାନ୍ତି । ଗେହଲଟଙ୍କ ସହ ଘନିଷ୍ଠ ଥିବା ୩ ଜଣ ମନ୍ତ୍ରୀ ବିଦ୍ରୋହ ପାଇଁ ସବୁ ଯୋଜନା କରିଥିଲେ ସୁଦ୍ଧା ଗେହଲଟ କହିଛନ୍ତି, ଏହି ଘଟଣାରେ ତାଙ୍କର କିଛି ସମ୍ପୃକ୍ତି ନାହିଁ । ତେବେ ଗେହଲଟଙ୍କ ସଫେଇକୁ ଦଳର
କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ସହଜରେ ଗ୍ରହଣ କରୁନାହାନ୍ତି । ଦଳୀୟ ନେତୃତ୍ୱକୁ ଚ୍ୟାଲେଂଜ କରି ଯେଭଳି ସମାନ୍ତରାଳ ବୈଠକ ଆୟୋଜନ ହୋଇଥିଲା ତାହା ଅନୁଶାସନହୀନତାର ଏକ ବଡ଼ ପ୍ରମାଣ ବୋଲି ପର୍ଯ୍ୟବେକ୍ଷକ ଅଜୟ ମାକେନ କହିଛନ୍ତି । କଂଗ୍ରେସ ନେତା ଶଶି ଥରୁର
ସେପ୍ଟେମ୍ବର ୩୦ରେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ତାଙ୍କର ପ୍ରତିନିଧି ସୂଚନା ଦେଇଛନ୍ତି । ୨୦୧୯ରେ ଲଗାତାର ଦୁଇଟି ପାଳି ସାଧାରଣ ନିର୍ବାଚନରେ କଂଗ୍ରେସ ପରାସ୍ତ ହେବା ପରେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ସୋନିଆ ଗାନ୍ଧି ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଇଥିଲେ ।

Leave A Reply

Your email address will not be published.