ଧାମନଗର ଗଡ଼ ଜିତିବାକୁ ରଣନୀତି ବଡ଼ ବିଜୟ ପାଇଁ ବିଜେଡିର ସମରସଜ୍ଜା

0 63

ଭୁବନେଶ୍ୱର, ୬ା୧୦ (ଡିକେ ନ୍ୟୁଜ୍‌): ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ତାରିଖ ଘୋଷଣା ପରଠାରୁ ଗଡ଼ ଦଖଲ କରିବା ପାଇଁ ଜୋରସୋରରେ ଲାଗିପଡ଼ିଛନ୍ତି ୩ ପ୍ରମୁଖ ଦଳ । ବାଲେଶ୍ୱର ପରି ଧାମନଗରରେ ବଡ଼ ବ୍ୟବଧାନରେ ଜିତିବା ପାଇଁ ବିଜେଡି ଆରମ୍ଭ କରିଦେଇଛି ସମରସଜା । ପୁଣିଥରେ କିଭଳି ଧାମନଗରରେ ଶଙ୍ଖ ବାଜିବ, ସେଥିପାଇଁ ଗୁରୁମନ୍ତ୍ର ଦେଇଛି ଦଳ । ଆଜି ସନ୍ଧ୍ୟାରେ ଦଳ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅନ୍ୟପକ୍ଷରେ ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ଜୋରଦାର ପ୍ରୟାସ କରିଛନ୍ତି । ବିଜେଡି ପାଇଁ ପ୍ରାର୍ଥୀ ଚୟନ ନୁହେଁ, ବୃହତ୍‌ ବିଜୟ ମୁଖ୍ୟ ହୋଇଥିବା ବେଳେ ଦୁଇ ବିରୋଧୀଙ୍କ ଘାରିଛି ପ୍ରାର୍ଥୀ ଚିନ୍ତା । ନଭେମ୍ବର ୩ରେ ଧାମନଗର ମହାସମର ପାଇଁ ସବୁ ଦଳ ଲାଗିପଡ଼ିଥିବା ବେଳେ ବିଜେଡି କିନ୍ତୁ ଆଗରେ ରହିଛି । ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ନିର୍ବାଚିତ ପ୍ରତିନିଧି ଓ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ଦଳ ପକ୍ଷରୁ ଗୁରୁମନ୍ତ୍ର ଦିଆଯାଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଧାମନଗର ଉପନିର୍ବାଚନ ସେମିଫାଇନାଲ ଜିତି ବିଜୟ ବାନା ଉଡ଼ାଇବା ପାଇଁ ଦଳ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି । ପଞ୍ଚାୟତ ଓ ପୌର ନିର୍ବାଚନ ଜିତିବା ପରେ ଏହି ଉପନିର୍ବାଚନ ଜିତିବା ପାଇଁ ବିଜେଡି ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଛି । ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ ସେ ବଡ଼ ବ୍ୟବଧାନରେ ଜିତିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ପଞ୍ଚାୟତ, ପୌର ଓ ବ୍ରଜରାଜନଗର ଉପନିର୍ବାଚନ ମିଶନ ଫେଲ ହେବା ପରେ ଧାମନଗର ଏବେ ସେମାନଙ୍କ ଶେଷ ଆଶା । ତେଣୁ ଉଭୟ ଦଳ ପ୍ରାର୍ଥୀ ଚୟନ କସରତ୍‌କୁ ଜୋରଦାର କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୯ ପରେ ରାଜ୍ୟରେ ୫ଟି ଉପନିର୍ବାଚନରେ ବିଜେଡି ଏକପାଖିଆ
ବିଜୟଲାଭ କରିଛି । ଧାମନଗର ଗଡ଼ ଜିତିବା ପାଇଁ ଏବେ ୩ ପ୍ରମୁଖ ଦଳ ଦଳୀୟ କର୍ମୀମାନଙ୍କୁ ନେଇ ମାନସ ମନ୍ଥନ ଚଳାଇଛନ୍ତି । କିନ୍ତୁ ନିର୍ବାଚନରେ ପ୍ରସ୍ତୁତିରେ ଢେର ଆଗରେ ରହିଛି ବିଜେଡି ।

Leave A Reply

Your email address will not be published.