ପ୍ରଚାରରେ କମ୍ପୁଛି ଧାମନଗର ଦମ୍‌ ଦେଖାଉଛି ବିଜେଡି

0 44

ଭୁବନେଶ୍ୱର, ୨୭ା୧୦ (ଡିକେ ନ୍ୟୁଜ୍‌): ଦିନ ଯେତେ ପାଖେଇ ଆସୁଛି, ଧାମନଗର ଉପନିର୍ବାଚନ ମୈଦାନ ସେତିକି ଉଷ୍ମ ହେବାରେ ଲାଗିଛି । ଶେଷ ପର୍ଯ୍ୟାୟରେ ୩
ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରୁଥିବା ବେଳେ ବିଜେଡି ଆଗରେ ରହିଛି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ମହିଳା ଟିମ୍‌ । ଘର ଘର ବୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ôଚାଇ ଭୋଟ୍‌ ସାଉଁଟୁଛନ୍ତି । ଯୁବ-ଛାତ୍ର ଓ ବିଭିନ୍ନ ସଂଗଠନ ପ୍ରଚାରକୁ ଜୋରଦାର କରୁଛନ୍ତି । ୨୮ରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଜୋରଦାର ସମାବେଶ ଆୟୋଜିତ ହେବ । ଏଥିରେ ବରିଷ୍ଠ ନେତାମାନେ ସାମିଲ ହେବେ । ଆସନ୍ତା ୩୧ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ସାଂସଦ ସୁଲତା ଦେଓ ପ୍ରାର୍ଥୀ ଅବନ୍ତୀଙ୍କୁ ଧରି ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର ଚଳାଇଛନ୍ତି । ମହିଳା ପ୍ରାର୍ଥୀ ଅବନ୍ତୀଙ୍କୁ ନେଇ ନିର୍ବାଚନ ମଣ୍ଡଳୀରେ ମହିଳାଙ୍କ କ୍ଷେତ୍ରରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି । ବିଜେଡିର ରୋଡ ଶୋ’ ଓ ଶୋଭାଯାତ୍ରା ବେଳେ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି । ଜଣେ ଏସ୍‌ଏଚଜି ମହିଳାଙ୍କୁ ପ୍ରାର୍ଥୀ କରି ବିଜେଡି ସୁପ୍ରିମୋ ମାଷ୍ଟର ଷ୍ଟ୍ରୋକ୍‌ ଖେଳିଛନ୍ତି । ଯେତେବେଳେ ଦଳ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି, ସେତେବେଳେ ସଫଳତା ଓ ଭୋଟହାର ଅଧିକ ରହୁଥିବା ଦେଖିବାକୁ ମିଳିଛି । ଗତ ୫ଟି ଉପନିର୍ବାଚନ ଭିତରେ ବିଜେପୁର ଓ ବ୍ରଜରାଜନଗରରେ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଆଉ ଅନ୍ୟ ତିନୋଟି ଉପନିର୍ବାଚନ ତୁଳନାରେ ବିଜେପୁର ଓ ବ୍ରଜରାଜନଗରରେ ଦଳର ଭୋଟ ପ୍ରତିଶତ ଅଧିକ ରହିଥିଲା । ତେଣୁ ସ୍ୱୟଂ ସହାୟିକା ଗୋଷ୍ଠୀରୁ ଆସିଥିବା ଜଣେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରି ଧାମନଗରରେ ବିଜୟବାନା ଉଡ଼ାଇବା ଲକ୍ଷ୍ୟ ରଖିଛି ବିଜେଡି । ଖାଲି ଉପନିର୍ବାଚନ ନୁହେଁ, ପ୍ରତି ନିର୍ବାଚନରେ ବିଜେଡିର ଭୋଟ ପ୍ରତିଶତ ବଢ଼ିବାରେ ଲାଗିଛି । ଆଉ ଏହା ପଛରେ ପ୍ରମୁଖ ଭୂମିକା ନେଉଛନ୍ତି ମହିଳା ଭୋଟର । ଏବେ ସେହି ମହିଳା ଭୋଟର ବିଜେଡି ପାଇଁ ଗେମ୍‌ ଚେଞ୍ଜର ସାବ୍ୟସ୍ତ ହୋଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପରେ ଧାମନଗର ହେଉଛି ଷଷ୍ଠ ଉପନିର୍ବାଚନ । ପୂର୍ବ ୫ଟି ଉପନିର୍ବାଚନରେ ବିଜେଡି ଶତପ୍ରତିଶତ ରେଜଲ୍ଟ ପାଇଛି । କିନ୍ତୁ ଯେଉଁଠାରେ ମହିଳାଙ୍କୁ ପ୍ରାର୍ଥୀ କରିଛି ସେଠାରେ ଦଳର ଭୋଟହାର ଅଧିକ ରହିଛି । ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ୧ଲକ୍ଷ ୩୫ହଜାର ୯୫୭ ଭୋଟ ପାଇଥିଲେ ଓ ଭୋଟହାର ଥିଲା ୭୪.୬୭ ପ୍ରତିଶତ । ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ସୁନତ ଗଡ଼ତିଆ ୩୭ହଜାର ୯୬୭ ଭୋଟ ପାଇଥିବା ବେଳେ ତାଙ୍କର ଭୋଟହାର ଥିଲା ୨୦.୮୫ ପ୍ରତିଶତ । ସେହିପରି ବ୍ରଜରାଜନଗର ଉପନିର୍ବାଚନରେ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଅଳକାଙ୍କ ଭୋଟହାର ୬୧.୮୫ ପ୍ରତିଶତ ଥିବାବେଳେ ସେ ପାଇଥିଲେ ୯୩ହଜାର ୯୫୩ଖଣ୍ଡ ଭୋଟ ଏବଂ କଂଗ୍ରେସର କିଶୋର ପଟେଲ ପାଇଥିଲେ ୨୭ହଜାର ୮୩୧ ଖଣ୍ଡ ଭୋଟ । ବିଜେପିର ରାଧାରାଣୀ ପଣ୍ଡା ୨୨ହଜାର ୬୩୦ ଖଣ୍ଡ ଭୋଟ ପାଇ ଅମାନତ ହରାଇଥିଲେ । ଅନ୍ୟପକ୍ଷରେ ବାଲେଶ୍ୱର ଉପନିର୍ବାଚନରେ ସ୍ୱରୂପ ଦାସ ୫୨ ପ୍ରତିଶତ, ତିର୍ତ୍ତୋଲରେ ବିଜୟ ଶଙ୍କର ଦାସ ୫୩ ପ୍ରତିଶତ, ପିପିଲିରେ ରୁଦ୍ର ପ୍ରତାପ ମହାରଥୀ ୫୩ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ । ଏସବୁ ଉପନିର୍ବାଚନକୁ ତୁଳନା କଲେ ବିଜେପୁର ଓ ବ୍ରଜରାଜନଗରରେ ଭୋଟହାର ଅଧିକ ରହୁଛି । କେବଳ ଉପନିର୍ବାଚନ ନୁହେଁ, ସାଧାରଣ ନିର୍ବାଚନରେ ମଧ୍ୟ ମହିଳା
ପ୍ରାର୍ଥୀଙ୍କୁ ଅଧିକ ଭୋଟ ମିଳୁଥିବା ଦେଖିବାକୁ ମିଳିଛି । ୨୦୧୯ ପାଟକୁରା ନିର୍ବାଚନରେ ହୋଇଥିଲା ବିଳମ୍ବ । ବିଜେଡି ପ୍ରାର୍ଥୀ ଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ ହୋଇଥିବା ନିର୍ବାଚନରେ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା ଦଳ । ବିଜେପିରୁ ପ୍ରାର୍ଥୀ ଥିଲେ ବିଜୟ ମହାପାତ୍ର । ସେଠାରେ ସାବିତ୍ରୀ ଅଗ୍ରୱାଲ ୯୦ହଜାର ୩୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜୟ ମହାପାତ୍ର ପାଇଥିଲେ ୭୮ହଜାର ୧୩୨ଖଣ୍ଡ । ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ୭ ମହିଳାଙ୍କ ପ୍ରାର୍ଥୀଙ୍କ ମଧ୍ୟରୁ ୫ଜଣ ବିଜୟୀ ହୋଇଥିଲେ । ସେମାନଙ୍କ ସଫଳତା ହାର ଥିଲା ୭୧ ପ୍ରତିଶତ । କେବଳ ସେତିକି ନୁହେଁ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠରୁ ପ୍ରମିଳା ବିଶୋୟୀଙ୍କୁ ମଧ୍ୟ ପ୍ରାର୍ଥୀ କରିଥିଲା ଦଳ । ସେ ୨ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ । ୨୦୧୯ରେ ବିଜେଡି ବାକି ୧୪ ଲୋକସଭା ଆସନରେ ପୁରୁଷଙ୍କୁ ପ୍ରାର୍ଥୀ କରିଥିଲା । ସେମାନଙ୍କ ମଧ୍ୟରୁ ୭ଟିରେ ବିଜୟୀ ହୋଇଥିଲେ । ସଫଳତା ହାର ଥିଲା ୫୦ ପ୍ରତିଶତ । ତେଣୁ ଯାହା ଦେଖାଯାଉଛି, ବିଜେଡି ପାଇଁ ମହିଳା ପ୍ରାର୍ଥୀ ଅଧିକ ସଫଳତା ଆଣୁଛନ୍ତି । ଏହି ଲକ୍ଷ୍ୟ ନେଇ ବିଜେଡି ସୁପ୍ରିମୋ ଏସ୍‌ଏଚ୍‌ଜି ଗୋଷ୍ଠୀର ମହିଳା ସଦସ୍ୟା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରି ପୁଣି ଧାମନଗର ଗଡ଼ ଜିତିବା ପାଇଁ ମାଷ୍ଟର ଷ୍ଟ୍ରୋକ୍‌ ଖେଳିଛନ୍ତି ।

Leave A Reply

Your email address will not be published.