ବଦଳୁଛି ଓଡ଼ିଶା: ସ୍ୱାସ୍ଥ୍ୟରୁ ଶିକ୍ଷା ପର୍ଯ୍ୟନ୍ତ କବୀର କହିଲେ, ନବୀନ ବେଷ୍ଟ

0 66

ଭୁବନେଶ୍ୱର, ୬ା୧୧(ଡିକେ ନ୍ୟୁଜ): ବଦଳିଛି ଓଡ଼ିଶା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନେତୃତ୍ୱରେ ରାଜ୍ୟର ଅହେତୁକ ବିକାଶ ହୋଇଛି । ଓଡ଼ିଶାକୁ ବହୁବାର ପୂର୍ବରୁ ଆସିଥିଲେ ବି ୨୨ ବର୍ଷ ଭିତରେ ସବୁ କ୍ଷେତ୍ରରେ ରୂପାନ୍ତରଣ ଦେଖି ପ୍ରଶଂସା କରିଛନ୍ତି ବରିଷ୍ଠ ସିନେ ଅଭିନେତା କବୀର ବେଦୀ । ଦୈନିକ ଇଂରାଜୀ ଖବରକାଗଜ ‘ଦ ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ’ର ଦଶମ ସଂସ୍କରଣ ଲିଟେରାରୀ ଫେଷ୍ଟ୍‌ “ଅ’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏପରି କହି ଭୁରି ଭୁରି ପ୍ରଶଂସା କରିଛନ୍ତି । ଉଭୟ ବଲିଉଡ୍‌ ଓ ହଲିଉଡ୍‌ ସିନେମାରେ ପରିଚୟ ହାସଲ କରଥିବା କବୀରଙ୍କୁ ଓଡ଼ିଆ ଖାଦ୍ୟ ବେଶୀ ପସନ୍ଦ । କୋଣାର୍କ ଓ ଧଉଳି ଶାନ୍ତିସ୍ତୂପ ଅଦ୍ଭୁତ କାରିଗରୀ ବି ତାଙ୍କୁ ଅଭିଭୂତ କରିଛି । ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ କଲେଜ ବେଳର ବନ୍ଧୁ । ସେ ଜଣେ ଭଲ ଆତ୍ମାର ମଣିଷ । ବିକାଶ କରୁଛନ୍ତି, ଥରେ ନୁହେଁ ୫ ଥର ରାଜ୍ୟବାସୀ ତାଙ୍କୁ ନିର୍ବାଚିତ କରିଛନ୍ତି । ଦେଶର ଲମ୍ବା ଅବଧିର ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି ନବୀନ । ନବୀନଙ୍କ ଭଳି ନେତା ଅଦ୍ୱିତୀୟ । ଜନସେବା ଓ ଲୋକକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଅନ୍ୟମାନେ ଶିଖିବା ଦରକାର । ଅତୀତରେ ବି କବୀର ଓଡ଼ିଶା ଆସିଥିଲେ । କିନ୍ତୁ ଏବେ ଶିକ୍ଷାଠାରୁ ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ହୋଇଛି । ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ବେଶ୍‌ ସମୃଦ୍ଧ । ଓଡ଼ିଶୀ କଳାରେ ଅନୁପ୍ରେରିତ ହୋଇ କବୀରଙ୍କ ପ୍ରଥମ ପତ୍ନୀ ପ୍ରତିମା ବେଦୀ ସ୍ୱର୍ଗତଃ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିଖିଥିଲେ । ଧଉଳି ଶାନ୍ତିସ୍ତୁପ ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ଉପରେ ହୋଇଥିବା ଡକ୍ୟୁମେଣ୍ଟାରିରେ ପ୍ରଚ୍ଛଦପଟ ସ୍ୱର ଦେଇଛନ୍ତି କବୀର । ସାରା ବିଶ୍ୱରେ ଆତଙ୍କ ଖେଳାଇଥିଲା କୋଭିଡ ମହାମାରୀ । ଲକ୍‌ଡାଉନ୍‌ ଓ ସଟ୍‌ଡାଇନ୍‌ ଯୋଗୁଁ ଅନେକ ମାନସିକ ଭାରସାମ୍ୟ ହରାଇଥିଲେ । କୋଭିଡ ସଂକ୍ରମଣରେ ଯେତିକି ଲୋକଙ୍କର ପ୍ରାଣହାନୀ ହୋଇଥିଲା, ତାଠୁ ଅଧିକ ଲୋକ କୋଭିଡରୁ ଭଲ ହେବା ପରେ ମାନସିକ ରୋଗର ଶିକାର ହୋଇଥିଲେ । ବଲିଉଡ୍‌ ବି ଏଥିରୁ ବାଦ୍‌ ଯାଇନି । ଏହାକୁ ନେଇ ଏକ ବହି ଲେଖିଛନ୍ତି କବୀର । “ଷ୍ଟୋରିଜ୍‌ ଆଇ ମଷ୍ଟ୍‌ ଟେଲ୍‌’ ନାମକ ବହିରେ ଲୋକଙ୍କୁ ସେ ମାନସିକସ୍ତରରେ ଦୃଢ ରହିବା ନେଇ ପରାମର୍ଶ ଦେଇଛନ୍ତି । ହଲିଉଡର ଜେମ୍ସ ବଣ୍ଡ୍‌ ଫିଲ୍ମରେ ଭିଲେନ୍‌ ଚରିତ୍ର ଓ ବଲିଉଡ ଫିଲ୍ମ ଖୁନ୍‌ ଭରି ମାଙ୍ଗରେ ତାଙ୍କ ଭୂମିକା କବୀରଙ୍କ ପାଇଁ ନିଆରା ଅନୁଭୂତି ଆଣିଥିଲା । ସାଣ୍ଡୋକନ୍‌ ଭଳି ଟେଲି ଧାରାବାହିକରେ ଅଭିନୟ କରି ସାରା ୟୁରୋପରେ କବୀରଙ୍କୁ ମିଳିଛି ଅଜସ୍ର ପ୍ରଶଂସା । ସେଥିପାଇଁ ୨୦୧୦ ମସିହାରେ ଇଟାଲୀ ସରକାର ତାଙ୍କୁ ସର୍ବୋଚ୍ଚ ବେସାମରିକ କାଭେଲେରି ସମ୍ମାନରେ ସମ୍ମାନିତ କରିଥିଲେ । ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ କାଳ ହଲିଉଡ ସିନେମାରେ ଅଭିନୟ କରିଛନ୍ତି କବୀର । ରୋମ୍‌, ଲଣ୍ଡନ୍‌ ଓ ଲସ୍‌
ଏଞ୍ଜଲେସ୍‌ ସହରକୁ ଭଲ ପାଉଥିବା କବୀର ବେଦୀଙ୍କର କିନ୍ତୁ ଓଡ଼ିଆ ଖାଦ୍ୟ ବେଶୀ ପସନ୍ଦ । ସେହିପରି ଦ ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଲିଟେରାରୀ ଫେଷ୍ଟ ‘ଅ’ କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା ଓଡ଼ିଶାର ଶାସନ ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଛନ୍ତି । ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥା ଦେଶରେ ସର୍ବଶ୍ରେଷ୍ଠ ବୋଲି ସେ ମତ ଦେବା ସହ ‘ନବୀନ କଥା କମ୍‌ ଓ କାମ ବେଶୀ କରନ୍ତି’ । ଓଡ଼ିଶା ବହୁ ପ୍ରସିଦ୍ଧ ଲେଖକଙ୍କ ମାଟି ହୋଇଥିବାରୁ ଏହାକୁ ଦେଶର ‘ଲିଟେରାରୀ କ୍ୟାପିଟାଲ୍‌’ ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ଚାୱଲା କହିଛନ୍ତି ।

Leave A Reply

Your email address will not be published.