ଦୁଲୁକୁଛି ମହାନଦୀ ପଠା

0 63

କଟକ, ୮ା୧୧(ଡିକେ ନ୍ୟୁଜ): ଆଜିଠୁ ଐତିହାସିକ କଟକ ବାଲିଯାତ୍ରା । ମହାନଦୀ କୂଳର ଏକ ବିଶାଳ ମହୋତ୍ସବ । ଉକ୍ରଳୀୟ ପରମ୍ପରାର ମୂକସାକ୍ଷୀ । ସାଧବପୁଅଙ୍କ ବୋଇତ ଯାତ୍ରାର ନିରବ ନିଦର୍ଶନ । ଆବାହମାନ କାଳରୁ ଅୟୋଜିତ ହୋଇ ଆସୁଛି ବାଲିଯାତ୍ରା । ବାଲିରେ ଯାତ୍ରା ଆରମ୍ଭ ହୋଇଥିବାରୁ ଏହାର ନାଁ ବୋଧେ ବାଲିଯାତ୍ରା । ପୁଣି କୁହାଯାଏ ଯେ ବାଲି ଦ୍ୱୀପକୁ ଏଠାରୁ ସାଧବପୁଅମାନେ ଯାତ୍ରା କରୁଥିବାରୁ ଏହା ବାଲିଯାତ୍ରା ନାମରେ ଖ୍ୟାତ । ହଜାର ବର୍ଷର ସହର କଟକରେ କେବେଠାରୁ ଏହା ଆୟୋଜନ ହେଉଛି ତାହାର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ । କିଲ୍ଲା ପଡ଼ିଆରୁ ଆରମ୍ଭ ହୋଇଥିବା ଯାତ୍ରା ଏବେ ବିଶାଳ ରୂପ ନେଇ ସାରିଛି । ଦୁଇଟି ପଡ଼ିଆରେ ମେଳା ଆୟୋଜିତ ହୋଇଛି । କରୋନା ମହାମାରୀ ଯୋଗୁଁ ବିଗତ ଦୁଇବର୍ଷ ବାଲିଯାତ୍ରା ଆୟୋଜନ ହୋଇ ପାରି ନଥିଲା । ଏଥରକୁ ସମସ୍ତେ ଅପେକ୍ଷା କରି ରହିଥିଲେ । ୯ଦିନ ଧରି ହେବାକୁ ଥିବା ଏହି ଯାତ୍ରା ଚଳିତଥର ବେଶ୍‌ ଆକର୍ଷଣୀୟ ହେବ । ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇ ସାରିଛି । ମେଳା ପଡ଼ିଆ ଷ୍ଟଲମେଳରେ ପରିପୂର୍ଣ୍ଣ ଦେଖାଗଲାଣି । ବ୍ୟବସାୟୀମାନେ ପସରା ମେଲି ସାରିଲେଣି । କେବଳ ଲୋକଙ୍କୁ ଅପେକ୍ଷା । ପ୍ରଥମ ଦିନରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଚନ୍ଦ୍ରଗ୍ରହଣ ହେତୁ ପାକତ୍ୟାଗ ହୋଇଛି । ସନ୍ଧ୍ୟା ୬.୧୮ ପରେ ଦେବନୀତି ଆରମ୍ଭ ହେବା ସହ ରୋଷେଇ କରିହେବ । ତଥାପି ସଞ୍ଜ ବୁଡ଼ିବା ଆଗରୁ ମେଳା ପଡ଼ିଆକୁ ଲୋକେ ଛୁଟିଛନ୍ତି । ବାଲିଯାତ୍ରାରେ ପ୍ରବଳ ଧୂଳି ଉଡେ । ମୁହଁରେ ରୁମାଲ କିମ୍ବା କପଡ଼ା ନବାନ୍ଧିଲେ ମେଳା ପଡ଼ିଆରେ ପାଦ ପକାଇ ହୁଏନି । ଧୂଳି ନଉଡିବା ପାଇଁ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତ୍ୟେକ ଦିନ ପଡ଼ିଆରେ ସିଞ୍ଚନ କରାଯିବ ୪୪ହଜାର ଲିଟର ପାଣି । ୧୧ଟି ଟ୍ୟାଙ୍କର ବ୍ୟବହାର କରାଯିବ । ଏତଦବ୍ୟତୀତ କିଛି ସ୍ଥାନ ଉପରେ ସିଏମସି ଅଧିକ ଗୁରୁତ୍ୱ ଦେଇଛି, ଯେଉଁଠାରେ ପାଣି ସିଞ୍ଚନ ଦ୍ୱାରା ଧୂଳି ଉଡିବାକୁ ରୋକିହେବ ନାହିଁ । ଏଭଳି ୧୦ ଏକର ଜାଗାରେ ସ୍ୱତନ୍ତ୍ର ଧରଣର କେମିକାଲ ସିଞ୍ଚନ ହେବ ବୋଲି ସିଏମସି ପକ୍ଷରୁ କୁହାଯାଇଛି । ବାଲିଯାତ୍ରାକୁ ଘୋଡା ଏବଂ ଓଟ ଧରି ଆସିଛନ୍ତି ବେପାରୀ । ହେଲେ ମହଙ୍ଗା ଯୁଗ ହେତୁ ଘୋଡା ସବାରୀର ଦର ମଧ୍ୟ ବଢ଼ି ଯାଇଛି । ପୁରୀରୁ ପ୍ରାୟ ୧୫ ଜଣିଆ ଦଳ ବାଲିଯାତ୍ରା ପଡିଆକୁ ଆସିଛନ୍ତି, ସେମାନେ ସାଙ୍ଗରେ ଆଣିଛନ୍ତି ୯ଟି ଘୋଡା ଆଉ ୭ଟି ଓଟ । ତେବେ ଗତବର୍ଷ
ଠାରୁ ଚଳିତ ବର୍ଷ ଏହାର ଦର ବୃଦ୍ଧି ପାଇଛି । ୨ଶହ ମିଟର ଓଟ କିମ୍ବା ଘୋଡା ଉପରେ ସବାରୀ ପାଇଁ ୫୦ ଏବଂ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ବଡଙ୍କ ପାଇଁ ୧୦୦ ଟଙ୍କା ରହିଥିବା ବେଳେ ଛୋଟ ପିଲାଙ୍କ ପାଇଁ ୫୦ ଟଙ୍କା ମୂଲ୍ୟ ଧାର୍ଯ୍ୟ ହୋଇଛି । ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ପ୍ରଶାସନ ଦ୍ୱାରା ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ମୋବାଇଲ ଆପର ବ୍ୟବସ୍ଥା କରାଯାଇଛି । ଏହି ଆପ୍‌ ଜରିଆରେ ଜନସାଧାରଣମାନେ ସମସ୍ତ ପ୍ରକାର ସୁବିଧା ପାଇବା ସହ ଏହାର ଉପଯୁକ୍ତ ବ୍ୟବହାର ମଧ୍ୟ ପାଇପାରିବେ । ବିଶେଷକରି ବ୍ୟବସାୟ ସଂସ୍ଥାଗୁଡିକର ଲୋକେସନ ଚିହ୍ନଟ ପାଇଁ ସେମାନଙ୍କୁ ଜିପିଆରଏସରେ ଅନ୍ତର୍ଭୁକ୍ତ କରାଯିବ । ଯାହାଫଳରେ ବାଲିଯାତ୍ରାକୁ ଆସୁଥିବା ଲୋକମାନେ ସେମାନଙ୍କର ଆବଶ୍ୟକ ସଂସ୍ଥାଗୁଡିକୁ ସହଜରେ ଠାବ କରିପାରିବେ । ଏହି ବ୍ୟବସ୍ଥା ଜରିଆରେ ବ୍ୟବାସାୟୀ ବିକ୍ରି ପାଇଁ ରଖିଥିବା ସାମଗ୍ରୀଗୁଡିକୁ ତାଲିକାଭୁକ୍ତ କରିପାରିବେ । କମିଶନରେଟ ପୋଲିସ ସହାୟତାରେ ଜନସାଧାରଣ ନିୟମିତ ଭାବେ ପାର୍କିଂ ବ୍ୟବସ୍ଥା ଓ ଟ୍ରାଫିକ ପରି·ଳନା ସମ୍ପର୍କରେ ସୂଚନା ପାଇପାରିବେ । ବାଲିଯାତ୍ରାର ମୁଖ୍ୟସ୍ଥାନ ଯଥା ସରକାରୀ ବିକ୍ରି କେନ୍ଦ୍ର, ପାର୍କିଂସ୍ଥଳ, ଶୌ·ଳୟ, ସୂଚନାକେନ୍ଦ୍ର ଓ ସବୁଜ ଅଞ୍ଚଳ ପ୍ରଭୃତି ସ୍ୱତନ୍ତ୍ର ସ୍ଥାନଭାବେ ଚିହ୍ନଟ କରାଯାଇଛି । ଗୁଗୁଲ ମ୍ୟାପ ଜରିଆରେ ସେସବୁ ସହଜରେ ଖୋଜି ପାଇବା ପାଇଁ ସୁବିଧା ଉପଲବ୍ଧ କରାଯାଇଛି । ବାଲିଯାତ୍ରାରେ ହେଉଥିବା ବିଭିନ୍ନ ସାଂସ୍କୃତିକ ଓ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଏହି ଆପରେ ସୂଚନା ଦିଆଯିବ । ସେଥିରେ କୌଣସି ପରିବର୍ତ୍ତନ ହେଲେ ତାହା ମଧ୍ୟ ପ୍ରତିଫଳିତ ହେବ ।

Leave A Reply

Your email address will not be published.