ଡିସେମ୍ବର ୨୦୨୩ ସୁଦ୍ଧା ସାରା ରାଜ୍ୟ ହେବ ବସ୍ତିମୁକ୍ତ

0 58

ଭୁବନେଶ୍ୱର, ୧୦ା୧୧(ଡିକେ ନ୍ୟୁଜ): ରାଜ୍ୟର ୫ ମହାନଗରାଞ୍ଚଳର ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ନିମନ୍ତେ ପ୍ରାରମ୍ଭିକ ଭାବରେ ଆଜିଠାରୁ ଡେ଼୍ରାନ୍‌ ସର୍ଭେ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବିଧିବଦ୍ଧ ଭାବରେ ଆଜି ଶୁଭାରମ୍ଭ କରିଛନ୍ତି । ଜାଗା ମିଶନରେ ହେବାକୁ ଥିବା ଏହି ସର୍ଭେ ପାଇଁ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ସହ ଆଲୋଚନା ହୋଇଛି । ରାଜ୍ୟ ସରକାର ଓ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ମଧ୍ୟରେ ଆଜି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଟାଟା ଫାଉଣ୍ଡେସନର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଡ୍ରୋନ୍‌ ସର୍ଭେ ପାଇଁ ରାଜ୍ୟର ୫ଟି ମହାନଗର ନିଗମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଭର୍ଚୁଆଲ ମାଧ୍ୟମରେ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଡ୍ରୋନ୍‌ ଉଡ଼ାଇଥିଲେ । ଏହିକ୍ରମରେ ବିଏମସିର ୱାର୍ଡ ନମ୍ବର ୯ରେ ଥିବା ମହିମାନଗର ବସ୍ତିରେ ପ୍ରଥମେ ଡ୍ରୋନ୍‌ ଉଡ଼ାଯାଇଥିଲା । ଏଥିପାଇଁ ବିଏମସି ପକ୍ଷରୁ ମହିମାନଗରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏଠାରେ ଭୁବନେଶ୍ୱରର ବିଧାୟଙ୍କ ସମେତ ମେୟର ଓ କମିସନର ଉପସ୍ଥିତ ରହିଥିଲେ । ସେହିପରି ଅନ୍ୟ ୪ଟି ମହାନଗର ନିଗମରେ ମଧ୍ୟ ସ୍ଥାନୀୟ ନେତାଙ୍କ ସମେତ ପୌର ପ୍ରତିନିଧିମାନେ ଉପସ୍ଥିତ ରହିବେ । ଗତବର୍ଷ ଡିସେମ୍ବର ମାସରେ ରାଜ୍ୟ ସରକାର ମହାନଗରବାସୀଙ୍କୁ ଜାଗା ମିଶନରେ ଭୂମି ଅଧିକାର ପ୍ରଦାନ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଥିଲେ । ଏହି ଆଧାରରେ ମହାନଗର ନିଗମଗୁଡ଼ିକର ବିଭିନ୍ନ ବସ୍ତିରେ ରହୁଥିବା ଯୋଗ୍ୟ ହିତାଧିକାରୀମାନେ ଭୂମି ଅଧିକାର ପାଇବାକୁ ହକ୍‌ଦାର ହୋଇଥିଲେ । ଏହି ଡ୍ରୋନ ସର୍ଭେ ଜରିଆରେ ବସ୍ତିରେ ଥିବା ଘରଗୁଡ଼ିକ ଚିହ୍ନଟ କରାଯିବା ସହିତ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତି ହେବ । ଏହି ସର୍ଭେରେ କେଉଁ ବସ୍ତିରେ କେତେ ଘର ରହିଛି ଓ ଏହି ଘରଗୁଡ଼ିକ କେତେ ବର୍ଗ ମିଟରରେ ଅଛି ତାହା ଜଣାପଡ଼ିଯିବ । ଡ୍ରୋନ୍‌ ସର୍ଭେକୁ ଆଧାର କରି ଊଷା ସର୍ଭେ କରାଯିବ । ୨୦୧୭ ମସିହାରେ ରାଜ୍ୟ ସରକାର ଜାଗା ମିଶନରେ ରାଜ୍ୟର ପୌରାଞ୍ଚଳଗୁଡ଼ିକରେ ବସ୍ତିବାସିନ୍ଦାଙ୍କୁ ଜମି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର ଏଥିରେ ରାଜ୍ୟର ୫ଟି ମାହନଗର ନିଗମକୁ ସାମିଲ କରାଯାଇନଥିଲା । ୨୦୨୧ ଡିସେମ୍ବର ଶେଷ ତାରିଖରେ ଏଥିରେ ସଂଶୋଧନ କରି ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମରେ ମଧ୍ୟ ଜମି ପ୍ରଦାନ କରିବା ବ୍ୟବସ୍ଥା କରିଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ମହାନଗର ନିଗମ ଗୁଡ଼ିକରେ ବାସ କରୁଥିବା ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ବ୍ୟବସ୍ଥାରେ ବସ୍ତିବାସିନ୍ଦା ମାନଙ୍କୁ ସର୍ବାଧିକ ୪୫ ବର୍ଗ ମିଟର ପର୍ଯ୍ୟନ୍ତ ଭୂମି ଅଧିକାର ପ୍ରଦାନ କରାଯିବ । ପୂର୍ବରୁ ଜାଗା ମିଶନ ଯୋଜନାରେ ରାଜଧାନୀର ବସ୍ତିଗୁଡ଼ିକୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ବସ୍ତିଗୁଡ଼ିକରେ ଡ୍ରେନ, ଶୌ·ଳୟ, ପାନୀୟ ଜଳ, ବିଦ୍ୟୁତ୍‌ ଓ ଷ୍ଟ୍ରିଟ୍‌ ଲାଇଟ୍‌ ଆଦି ଯୋଗାଇ ଏହାକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୩ଟି ପୌର ସଂସ୍ଥାର ୭୦୭ ଉନ୍ନୀତ ବସ୍ତିକୁ ଆଦର୍ଶ କଲୋନୀ ରୂପେ ଉତ୍ସର୍ଗ କରିଛନ୍ତି । ଏଥି ସହିତ ହିଞ୍ଜିଳିକାଟୁ ଓ ଦିଗପହଣ୍ଡିକୁ ବସ୍ତିମୁକ୍ତ ସହର ରୂପେ ଘୋଷଣା କରାଯାଇଛି ।

Leave A Reply

Your email address will not be published.