ଶୀତରେ ଉଷ୍ମ ହେବ ବିଧାନସଭା

0 43

ଭୁବନେଶ୍ୱର, ୨୩ା୧୧(ଡିକେ ନ୍ୟୁଜ): ଶୀତ ଅଧିବେଶନରେ ତାତିବ ବିଧାନସଭା । ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ପୁରୁଣା
ପ୍ରସଙ୍ଗ ସହ ଗୃହରେ ଉଠିବ ରାଜସ୍ୱାର୍ଥ ସମ୍ବଳିତ ଦାବି । ଆଲୋଚନା ମାଧ୍ୟମରେ ବିରୋଧୀଙ୍କୁ ଜବାବ ଦିଆଯିବ ବୋଲି ବିଜେଡି କହିଛି । ଆଜିଠୁ ବିଧାନସଭାର ଲମ୍ବା ଶୀତ ଅଧିବେଶନ । ନଭେମ୍ବର ୨୪ରୁ ଡିସେମ୍ବର ୩୧ ଯାଏ ଚାଲିବ ବିଧାନସଭା । ଚିରାଚରିତ ଢଙ୍ଗରେ ଚାଷୀ, ଦୁର୍ନୀତି, ବଜେଟ୍‌ ଅର୍ଥ ଖର୍ଚ୍ଚ ନହେବା ଆଦି ପ୍ରସଙ୍ଗ ଉଠାଇବ ବିଜେପି । ସେହିପରି ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ଉଭୟ ବିଜେଡି ଓ ବିଜେପିକୁ ଘେରିବାକୁ ରଣନୀତି କରିଛି । ସମାନ ପ୍ରସଙ୍ଗ ସହ କେନ୍ଦ୍ର ଅବହେଳା, ଆଇନଶୃଙ୍ଖଳା, ଚାଷୀ ଓ ବେକାରି ଭଳି ସମସ୍ୟାକୁ ଆୟୁଧ କରିବ କଂଗ୍ରେସ । ଆସନ୍ତାକାଲି ପୂର୍ବାହ୍ନ ୧୦.୩୦ରେ ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଦଳ ଗୃହରେ କେଉଁ ପ୍ରସଙ୍ଗ ଉଠାଇବ ଓ ଆଲୋଚନା ଜରିଆରେ ବିରୋଧୀଙ୍କ ସବୁ ଅଭିଯୋଗର କିଭଳି ଜବାବ ଦିଆଯିବ ତାହା ଉପରେ ଆଲୋଚନା ହେବ । ବିଭିନ୍ନ କ୍ଷେତ୍ରରେ ଲଗାତାର ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ବିଜେଡି ଗୃହରେ ଉଠାଇବ ଓ ରାଜ୍ୟ ପାଇଁ ହକ୍‌ ମାଗିବ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି । ବିଧାନସଭାର ସୁରକ୍ଷା ଲାଗି କମିଶନରେଟ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ବ୍ୟବସ୍ଥା କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା ରହିବ । ଏପରି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ସେ କହିଛନ୍ତି ଯେ, ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ରହିବ । ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୨ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ସୁପରଭିଜନ କରିବେ । ସେହିପରି ସିସିଟିଭି ସ୍କାନରରେ ମହାତ୍ମା ଗାନ୍ଧୀ ମାର୍ଗ ରହିବ । ଏହା ସହ ରାଲି, ଧାରଣା ଓ ସୁରକ୍ଷାକୁ ନଜରରେ ରଖି ୫ଟି କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଷ୍ଟ୍ରାଇକିଂ ଫୋର୍ସ, କୁଇକ୍‌ ରେସପେନ୍ସ ଟିମ, ସ୍ପେଶାଲ ଟାକଟିକାଲ ୟୁନିଟ, ଆର୍ମଡ଼ ପୋଲିସ, ରୁପ ଟଫ୍‌ ସିକ୍ୟୁରିଟି, ସାଧା ପୋଷାକଧାରୀ ପୋଲିସ ମୁତୟନ ରହିବେ । ବିଧାନସଭା ସମୟରେ ଯେଉଁମାନେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ତାହା ଅପରାଧ । ଏଣୁ ଗଣତାନ୍ତ୍ରିକ ଉପାୟରେ ଦାବି ଜଣାନ୍ତୁ ବୋଲି ସିପି ଅପିଲ କରିଛନ୍ତି । ଆସନ୍ତାକାଲିଠୁ ବିଧାନସଭା ଶେଷ ଯାଏଁ ସଂଲଗ୍ନ ଚତୁଃପାଶ୍ୱର୍ ରାସ୍ତାକୁ ସିଲ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ଆଜି ପୋଲିସ ଡିଜି ସୁନିଲ ବଂଶଲ ବିଧାନସଭା ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ । ତାଙ୍କ ସହିତ ଆଇନ ଶୃଙ୍ଖଳା ଏଡ଼ିଜି, ଗୁଇନ୍ଦା ଡ଼ିଆଇଜି, ପୋଲିସ କମିଶନର, ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପି ଓ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.