ଜେଡିୟୁର ଦାବି: ବିଜୁବାବୁଙ୍କୁ ମିଳୁ ଭାରତରତ୍ନ

0 68

ଭୁବନେଶ୍ୱର, ୬ା୧୨(ଡିକେ ନ୍ୟୁଜ): ରାଜ୍ୟ, ଦେଶ ଓ ଦେଶ ବାହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଷ୍ଟ୍ରପ୍ରୀତି, ବୀର ଗାଥା ସର୍ବଜନବିଦିତ । ଏକ ସମୟରେ ଦେଶର ଶୀର୍ଷ ରାଜନୈତିକ ନେତୃତ୍ୱଙ୍କ ନେତା ଭାବରେ ସେ ନିଜକୁ ପ୍ରତିଷ୍ଠିତ କରିବାକୁ ସକ୍ଷମ ହୋଇଥିଲେ । ରାଜ୍ୟ ଓ ଦେଶ ପାଇଁ ତାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ । ଏହା ସତ୍ତେ୍ୱ ଦେଶ ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇନାହିଁ । ତାଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ହୋଇଥିବା ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିନାହାନ୍ତି । ବିଜୁଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ ପାଇଁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଛି । ବିଜୁ ଜନତା ଦଳ ଏ ପ୍ରସଙ୍ଗରେ କେନ୍ଦ୍ର ନିକଟରେ ପୂର୍ବରୁ ଦାବି କରିଛି । ସଂସଦର ଉଭୟ ସଦନରେ ବିଜୁ ଜନତା ପକ୍ଷରୁ ବହୁବାର ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି । ଏବେ ଜେଡ଼ି (ୟୁ) ଉଠାଇଛି ବିଜୁଙ୍କୁ ଭାରତରତ୍ନ ପ୍ରସ୍ତାବ । ସ୍ୱତନ୍ତ୍ର ଭାରତ ଗଠନରେ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଅତୁଳନୀୟ ଅବଦାନ ରହିଛି । ମାତ୍ର କଂଗ୍ରେସ ଓ ବିଜେପି ସରକାର ବିଜୁବାବୁଙ୍କ ଭାରତରତ୍ନ ଦେବା ନେଇ ପ୍ରୟାସ କରିନାହାନ୍ତି । ବିଜୁବାବୁଙ୍କ ଅବଦାନକୁ ଚିରସ୍ମରଣୀୟ କରି ରଖିବା ପାଇଁ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରିଛି ଜେଡିୟୁ । ସୋମବାର ଜେଡିୟୁ ନେତା କେସି ତ୍ୟାଗୀ ସାମ୍ବାଦିକ ସମ୍ମିଳନୀରେ ବିଜୁଙ୍କ ପ୍ରତି କେନ୍ଦ୍ରର ବିଜେପି ଓ କଂଗ୍ରେସ ସରକାରଙ୍କ ଉପେକ୍ଷା ମନୋଭାବକୁ କଟୁ ସମାଲୋଚନା କରିଛନ୍ତି । ଶ୍ରୀ ତ୍ୟାଗୀ କହିଛନ୍ତି ଯେ ବିଜୁ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଓ ରାଷ୍ଟ୍ରପ୍ରେମ ସ୍ୱତନ୍ତ୍ର ଓ ଅନନ୍ୟ ଥିଲା । ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନତା ପରେ ଭାରତର ରାଜନୈତିକ ଚିତ୍ରପଟ୍ଟରେ ବିଜୁବାବୁଙ୍କ ଗୁରୁତ୍ୱକୁ ଯେକେହି ଅନୁଭବ କରିପାରିବେ । ଉତ୍ତରଭାରତର ନେତା ହୋଇଥିଲେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରି ଥାଆନ୍ତେ । ତାଙ୍କୁ ଏପର୍ଯ୍ୟନ୍ତ ଭାରତରତ୍ନ ନ ମିଳିବା ବିଡ଼ମ୍ବନା । ବିଜୁବାବୁଙ୍କୁ ଭାରତରତ୍ନ ଦେବା ପାଇଁ ରାଜନୈତିକ ଦଳଗୁଡ଼ିକ ମିଳିତ ଉଦ୍ୟମ କରିବା ଦରକାର । ସେ କେବଳ ଓଡ଼ିଶାର ଗୌରବ ନୁହନ୍ତି, ଜାତୀୟସ୍ତରରେ ତାଙ୍କର ରାଜନୈତିକ ପ୍ରତିଷ୍ଠା ତକ୍ରାଳୀନ ନେତାମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ଦେଶ ପ୍ରତି ତାଙ୍କ ନିଷ୍ଠାକୁ ସମ୍ମାନ ଜଣାଇ ଭାରତରତ୍ନ ପ୍ରଦାନ କରାଯିବା ଆବଶ୍ୟକ ବୋଲି ଜେଡିୟୁ ନେତା ଶ୍ରୀ ତ୍ୟାଗୀ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଶ୍ରୀକାନ୍ତ ଜେନା ମଧ୍ୟ କେସି ତ୍ୟାଗୀଙ୍କ ଦାବିକୁ ସମର୍ଥନ କରିଛନ୍ତି ।

Leave A Reply

Your email address will not be published.