ମୁଖ୍ୟମନ୍ତ୍ରୀଙ୍କ ବଦାନ୍ୟତା ଇଫୁ ମଲ୍ଲିକର ଡାକ୍ତରୀ ପଢ଼ା ପାଇଁ ଦେଲେ ଅର୍ଥ ସହାୟତା

0 66

ଭୁବନେଶ୍ୱର, ୭ା୧୨(ଡିକେ ନ୍ୟୁଜ): ଡାକ୍ତର ହେବ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ମେଧାବୀ ଛାତ୍ର ଇଫୁ ମଲ୍ଲିକ । ଡାକ୍ତର ହେବାର ସ୍ୱପ୍ନ ପୂରଣ ପାଇଁ ବିଲରେ ଖଟୁଥିବା ଇଫୁଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଡାକ୍ତରୀ ପାଠପଢ଼ାର ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ସହାୟତା ଓ ସହଯୋଗର ପାଣ୍ଠି । ମୁଖ୍ୟମନ୍ତ୍ରୀଙ୍କ ସହାୟତା ଓ ସହଯୋଗ ମିଳିବା ପରେ ଇଫୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି କୃତଜ୍ଞତାର କୋଟି ପ୍ରଣାମ । ଏଥି ସହିତ ତାର ଡାକ୍ତର ହେବା ସ୍ୱପ୍ନରେ ମୁଖ୍ୟମନ୍ତ୍ରୀ ଡେଣା ଲଗାଇଛନ୍ତି ବୋଲି କହିଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡ଼ିଆକିଆ ପଞ୍ଚାୟତରେ ବାଗରା ମିଲା ଗ୍ରାମର ଦିନ ମଜୁରିଆର ପୁଅ ଇଫୁ ମଲ୍ଲିକ ପିଲାବେଳୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ । ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରିବେ ବୋଲି ଭାବିଥିଲେ । ପରିବାରରେ ବୃଦ୍ଧ ବାପା ମା’, ବଡ଼ଭାଇ ଓ ସାନ ଭଉଣୀ ଅଛନ୍ତି । ହେଲେ କେହି ମଧ୍ୟ ରୋଜଗାରିଆ ନୁହନ୍ତି । ପିଲାଟି ବେଳୁ ଅଭାବ ଅନାଟନରେ ବଢ଼ିଥିବା ଇଫୁଙ୍କର ପାଠପଢ଼ା ପ୍ରତି ପ୍ରବଳ ଆଗ୍ରହ ରହିଛି । ବିନା କୌଣସି ସାହାଯ୍ୟ ସହଯୋଗରେ ସେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷାରେ ବେଶ୍‌ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ । ଚଳିତବର୍ଷ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଇଫୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ମେଡିକାଲ କଲେଜରେ ନାମ ସିନା ଲେଖାଇ ଦେଇଛନ୍ତି, ହେଲେ ଆଗକୁ କିପରି ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ନିଜ ସ୍ୱପ୍ନକୁ ହାସଲ କରିବେ ଏବେ ସେ ଚିନ୍ତା ଘାରିଥିଲା । କାରଣ ଆସନ୍ତା ୫ ବର୍ଷ ପାଇଁ ନିଜର କଲେଜ ଫି, ହଷ୍ଟେଲ ଫି ତଥା ପାଠପଢ଼ା ଖର୍ଚ୍ଚ କେଉଁଠୁ ଯୋଗାଡ଼ କରିବେ ସେ ନେଇ ଶାନ୍ତିରେ ରହିପାରୁନଥିଲେ ଇଫୁ । ଅର୍ଥ ଯୋଗାଡ଼ କରିବାକୁ କେତେବେଳେ ପର ବିଲରେ ମଜୁରୀ ଲାଗୁଛନ୍ତି ତ କେତେବେଳେ ଜିନିଷ ବୋହି ଆଣୁଛନ୍ତି । ଏମିତି କାମଧନ୍ଦା କରି ସେ ନିଜ ପାଠପଢ଼ା ପାଇଁ କିଛି ପଇସା ଯୋଗାଡ଼ କରିପାରିବେ ବୋଲି ଆଶା ରଖିଥିଲେ । ଇଫୁ କହିଥିଲେ ଯେ ମେଡିକାଲ କଲେଜରେ ସିଟ୍‌ ତ ପାଇଗଲି, ହେଲେ ଆଗକୁ କିପରି ପାଠ ପଢ଼ିବି, ମେସ ଫି କେଉଁଠୁ ଯୋଗାଡ଼ କରିବି ସେ ନେଇ କିଛି ଜାଣିନି । କାରଣ ମୋ ପରିବାର ଏହି ଖର୍ଚ୍ଚ ଉଠାଇବାକୁ ସମର୍ଥ ନୁହେଁ । ବହୁ କଷ୍ଟରେ ଆଡମିଶନ କରି ଘରକୁ ଆସିଛି । ନିଜ ଖର୍ଚ୍ଚ ଉଠାଇବାକୁ ବିଭିନ୍ନ କାମ କରୁଛି । ଅନ୍ୟର ଧାନ କାଟି କିଛି କିଛି ପାଉଣା ଯୋଗାଡ଼ କରୁଛି । ପାଠ ପଢ଼ା ସହ କାମ କରିବାକୁ ·ହୁଁଛି । ଗତ ୧୦ ଦିନ ଭିତରେ ସେ ୨ ହଜାର ଟଙ୍କା ସଂଚୟ କରିଛନ୍ତି । ଡିସେମ୍ବର ୧୫ରୁ କ୍ଳାସ ଆରମ୍ଭ ହେବ । ଆଶା ରଖିଥିଲେ ଧାରଉଧାର କରି କଷ୍ଟେମଷ୍ଟେ ପାଠପଢ଼ା ଆରମ୍ଭ କରିବେ । ମାତ୍ର ମେଧାବୀ ଇଫୁଙ୍କ ଏ ସଂଘର୍ଷର କାହାଣୀ ସଂପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ହେବାର ୬ ଘଣ୍ଟା ମଧ୍ୟରେ ପାଠପଢ଼ା ପାଇଁ ପାଣ୍ଠି ମଞ୍ଜୁର କରିଛନ୍ତି । ହଷ୍ଟେଲ ଫି ପାଇଁ ଇଫୁ ଆଉ ମଜୁରିଆ ସାଜିବେନି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ ନିବାସକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ପରେ ଇଫୁଙ୍କ ସ୍ୱପ୍ନ ଏବେ ସାକାର ହେବ । ବିନା ବାଧାରେ ଇଫୁ ହେବେ ଡାକ୍ତର ଇଫୁ ମଲ୍ଲିକ ।

Leave A Reply

Your email address will not be published.