ଭୁବନେଶ୍ୱର,୭ା୧୨(ଡିକେ ନ୍ୟୁଜ): ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍ଏସ୍ଆରପି) ଲଗାଇବା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ପାଇଛି । ମାତ୍ର ୬ ମାସ ଭିତରେ ୩୩ ଲକ୍ଷରୁ ଊର୍ଦ୍ଧ୍ୱ ଗାଡ଼ିରେ ଏହି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ପାଇଁ ଆବେଦନ ହୋଇଛି । ସେଥିମଧ୍ୟରୁ ୨୦ ଲକ୍ଷ ଗାଡ଼ିରେ ଏହି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗା ସରିଛି । ଓଡ଼ିଶାରେ ୫ ହଜାରରୁ ଊର୍ଦ୍ଧ୍ୱ ସେଣ୍ଟରରେ ବର୍ତ୍ତମାନ ଫିଟ୍ମେଣ୍ଟ୍ (ପ୍ଲେଟ୍ ଲଗାଇବା) କାମ ଜାରି ରହିଛି । ରବିବାରକୁ ବାଦ୍ ଦେଲେ ଅନ୍ୟ ସବୁଦିନ ନମ୍ବର ପ୍ଲେଟ୍ ଲଗାଯାଉଛି । ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଦେଖା ଦେଇଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ପରିବହନ ବିଭାଗ ବିସ୍ତୃତ ଯୋଜନା କରି ତାକୁ ସୂ·ରୁ ରୂପେ ପରି·ଳନା କରୁଛି । ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମାନୁଫାକଚରର୍ସ୍ (ଏସ୍ଆଇଏଏମ୍) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି.କେ ବାନାର୍ଜୀ ଓଡ଼ିଶା ସରକାରଙ୍କର ଏହି ଉପଲବ୍ଧିକୁ ପ୍ରଶଂସା କରି କହିଛନ୍ତି ଯେ, ୬ ମାସରେ ଯାହା ଓଡ଼ିଶା କରିପାରିଛି, ତାହା ଅନ୍ୟ ରାଜ୍ୟମାନେ ବର୍ଷ ବର୍ଷ ଧରି କରିପାରିନାହାନ୍ତି । ଓଡ଼ିଶାର ତ୍ୱରିତ ଏବଂ ସଠିକ୍ ପ୍ରକ୍ରିୟା ଯୋଗୁଁ ଏହା ସମ୍ଭବପର ହୋଇପାରିଛି । ଓଡ଼ିଶାର ରାଜନୀତିକ ନେତୃତ୍ୱର କ୍ରିୟାଶୀଳତା ଓ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ମୁଁ ଏଥିପାଇଁ ସାଧୁବାଦ ଜଣାଉଛି । ଏ ଦିଗରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଆଜି ଅନୁକରଣୀୟ ବୋଲି ଶ୍ରୀ ବାନାର୍ଜୀ କହିଛନ୍ତି । ରାଜ୍ୟ ଯୁଗ୍ମ ପରିବହନ କମିଶନର୍ ଦିପ୍ତୀରଞ୍ଜନ ପାତ୍ର କହିଛନ୍ତି ଯେ ନଭେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟରେ ଥିବା ପ୍ରାୟ ୫୦ ଲକ୍ଷ ଯାନବାହନ ମଧ୍ୟରୁ ୩୨.୬୫ ଲକ୍ଷ ଗାଡ଼ିରେ ଏଚ୍ଏସ୍ଆରପି ଲଗାଇବା ପାଇଁ ଆବେଦନ ହୋଇଛି । ସବୁ ଗାଡ଼ିରେ ଲଗାଇବା ଲାଗି ଓଡ଼ିଶା ସରକାର ଫେବୃୟାରୀ ୨୮, ୨୦୨୩କୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏତେ ତ୍ୱରିତ ଗତିରେ ଭାରତର ଅନ୍ୟ କୌଣସି ରାଜ୍ୟରେ ଏହି ନମ୍ବର ପ୍ଲେଟ୍ ଲଗାଯାଇ ନାହିଁ ବୋଲି ଶ୍ରୀ ପାତ୍ର କହିଛନ୍ତି । ଏଚ୍ଏସ୍ଆରପି ଲଗାଇବା କାର୍ଯ୍ୟକ୍ରମ ହାତକୁ ନେବାରେ ଓଡ଼ିଶା ହେଉଛି ଭାରତର ୨୬ତମ ରାଜ୍ୟ । ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣର ଅଭିନବ ପ୍ରୟାସ ଦ୍ୱାରା ଏଥିରେ ସଫଳତା ମିଳିଛି । ଏବେ ଦୈନିକ ହାରାହାରି ୨୨ ହଜାରରୁ ୨୪ ହଜାର ଗାଡ଼ିରେ ଏହି ନମ୍ବର ପ୍ଲେଟ୍ ଲଗାଯାଇ ପାରୁଛି । ଜଣେ ଆବେଦନ କରିବାର ହାରାହାରି ୮ ଦିନ ଭିତରେ ନୂଆ ନମ୍ବର ପ୍ଲେଟ୍ ପାଇ ପାରୁଛନ୍ତି । ଗାଡ଼ି ମାଲିକମାନେ ନିଜ ଘରେ ବସି ଅନ୍ଲାଇନ୍ରେ ହାଇ ସିକ୍ୱିରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ପାଇଁ ଆବେଦନ କରିପାରୁଛନ୍ତି କିମ୍ବା ନିକଟତମ ଯାନବାହାନ ଡିଲରସିପ୍ କେନ୍ଦ୍ରଗୁଡ଼ିକରେ ଏହା ହୋଇପାରୁଛି । ରାଜ୍ୟର ସମସ୍ତ “ମୋ ସେବା’ କେନ୍ଦ୍ର ଏବଂ ୩୮ ଆର୍ଟିଓ ଅଫିସ୍ରେ ମଧ୍ୟ ଲୋକଙ୍କ ସୁବିଧା ପାଇଁ ନମ୍ବର୍ ପ୍ଲେଟ୍ ଆବେଦନ ଓ ଫିଟ୍ମେଣ୍ଟର ବ୍ୟବସ୍ଥା କରାଯାଇଛି ।