ବିଜେଡି ଗୃହକୁ ବିଜେ କଲେ ମା’ ଲକ୍ଷ୍ମୀ, ଶଙ୍ଖଧ୍ୱନୀରେ ମଉଳିଲା ପଦ

0 73

ପଦ୍ମପୁର, ୮ା୧୨ (ଡିକେ ନ୍ୟୁଜ୍‌): ପଦ୍ମପୁରରେ ବର୍ଷା । ଗୋଟିଏ ପଟେ ଚାଲିଛି ସେଲିବ୍ରେସନ୍‌, ବାଣ ଫୁଟୁଛି, ମିଠା ବଣ୍ଟା ଚାଲିଛି । ଭୁବନେଶ୍ୱରରୁ ଆରମ୍ଭକରି ପଦ୍ମପୁର ସବୁଠି ବିଜେଡି କର୍ମୀ ଉତ୍ସାହିତ । ପଦ୍ମପୁର ଉପନିର୍ବାଚନରେ ବିଜେଡିର ରେକର୍ଡ ବିଜୟ । ୪୨ହଜାରରୁ ଊଦ୍ଧ୍ୱର୍ଭୋ ଟ ବ୍ୟବଧାନରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ମାର୍ଗଶୀର ଗୁରୁବାରରେ ବର୍ଷାଙ୍କ ଏଭଳି ଐତିହାସିକ ବିଜୟକୁ ନେଇ କେହି କେହି ବିଜେଡି ଗୃହକୁ ମା’ ଲକ୍ଷ୍ମୀ ପ୍ରବେଶ କଲେ ବୋଲି କହିବାକୁ ଭୁଲି ନାହାନ୍ତି । ଖୁସି ଭିତରେ ଖୋଜିଛନ୍ତି ବାପାଙ୍କ ସ୍ମୃତି । ବାପାଙ୍କ ଅବର୍ତ୍ତମାନରେ ସଭିଙ୍କ ଆଶୀର୍ବାଦ ପାଇଁ ବାପାଙ୍କଠାରୁ ବି ଆଗକୁ ବଢ଼ି ସେ ବିଜୟ ହାସଲ କରିଛନ୍ତି । ବର୍ଷା ୧ଲକ୍ଷ ୨୦ହଜାର ୮୦୭ ଖଣ୍ଡ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇଛନ୍ତି ୭୮ହଜାର ୧୨୮ ଓ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ମିଳିଛି ୩୫୯୪ ଭୋଟ । ବର୍ଷାଙ୍କ ବିଜୟ ବ୍ୟବଧାନ ରହିଛି ୪୨ହଜାର ୬୭୯ । ବିଜୟ ପରେ ଫୋନ୍‌ ଯୋଗେ ବର୍ଷାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରେକର୍ଡ ବିଜୟ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପକ୍ଷରେ ବର୍ଷାଙ୍କ ଭୋଟ ହାର ୫୮ ପ୍ରତିଶତ ଥିବାବେଳେ ବିଜେପିର ଭୋଟ ହାର ୩୭.୫୧ ପ୍ରତିଶତ ଓ କଂଗ୍ରେସର ଭୋଟ ହାର ରହିଛି ୧.୭୩ ପ୍ରତିଶତ । ପ୍ରଚାର ସମୟରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଥିବା ବେଳେ କିନ୍ତୁ ଫଳାଫଳରେ ବିଜେଡିର ରେକର୍ଡ ବିଜୟ ହୋଇଛି । ଅର୍ଥାତ୍‌ ବିଜେଡିର ହାଇ ଭୋଲଟେଜ୍‌ କ୍ୟାମ୍ପେନ୍‌ ଦଳକୁ ବଡ଼ ବିଜୟୀ କରାଇଛି । ୨୦୧୯ରେ ବିଜୟ ରଞ୍ଜନ ସିଂ ବରିହା ୮୩ହଜାର ୨୯୯ ଭୋଟ ପାଇଥିଲେ ଏବଂ ବିଜେପିର ପ୍ରଦୀପ ପୁରୋହିତ ପାଇଥିଲେ ୭୭ହଜାର ୫୬୫ । ବିଜୟ ବ୍ୟବଧାନ ଥିଲା ୫,୭୩୪ । ଉପନିର୍ବାଚନରେ ବିଜୟଙ୍କ ଝିଅ ବର୍ଷା ୧ଲକ୍ଷ ୨୦ହଜାର ୮୦୭ ଭୋଟ ପାଇଛନ୍ତି । ଅର୍ଥାତ୍‌ ୨୦୧୯ ତୁଳନାରେ ବିଜେଡି ଅଧିକ ୩୭ହଜାର ୫୦୮ ଭୋଟ ପାଇଛି । ୨୦୧୯ରେ ଦଳର ଭୋଟ ହାର ୪୧.୨୯ ପ୍ରତିଶତ ଥିବାବେଳେ ଏହି ଉପନିର୍ବାଚନରେ ଏହାର ୫୮ ପ୍ରତିଶତ ହୋଇଛି । ପ୍ରାୟ ଭୋଟ ହାର ୧୭ ପ୍ରତିଶତ ବଢ଼ିଥିବା ଦେଖାଯାଇଛି । ଖାଲି ଏତିକି ନୁହେଁ, ପଦ୍ମପୁରରେ ଏହା ବିଜେଡିର ସବୁଠାରୁ ବଡ଼ ବିଜୟ ବ୍ୟବଧାନ । ଆଗରୁ କୌଣସି ଦଳ ଏତେ ମାର୍ଜିନରେ ଏଠାରୁ ଜିତିନଥିଲେ । ପୂର୍ବରୁ ବିଜୟ ସିଂ ବରିହା ୧୯୯୦ରେ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ପ୍ରାୟ ୩୦ହଜାର ଭୋଟ ବ୍ୟବଧାନରେ ହରାଇଥିଲେ । ବାପାଙ୍କ ସେହି ରେକର୍ଡକୁ ମଧ୍ୟ ବର୍ଷା ଭାଙ୍ଗିଛନ୍ତି । ୨୦୧୮ ବିଜେପୁର ଉପନିର୍ବାଚନର ପୁନରାବୃତ୍ତି ପଦ୍ମପୁରରେ ଦେଖିବାକୁ ମିଳିଛି । ୨୦୧୮ରେ ବିଜେପୁର ଉପନିର୍ବାଚନରେ ବିଜେଡିର ରୀତା ସାହୁ ୧ଲକ୍ଷ ୨ହଜାର ୮୭୧ ଭୋଟ ପାଇଥିଲା ବେଳେ ବିଜେପିର ଅଶୋକ ପାଣିଗ୍ରାହୀ ୬୦ହଜାର ୯୩୮ ପାଇଥିଲେ । ବିଜୟ ବ୍ୟବଧାନ ଥିଲା ୪୧ହଜାର ୯୩୩ । ପଦ୍ମପୁରରେ ବର୍ଷାଙ୍କ ବ୍ୟବଧାନ ୪୨ହଜାରରୁ ଊଦ୍ଧ୍ୱର୍ ରହିଛି ।

Leave A Reply

Your email address will not be published.