୭ ଉପନିର୍ବାଚନରୁ ୬ଟିରେ ବିଜେଡି ବିଜୟୀ

0 81

ଭୁବନେଶ୍ୱର, ୮ା୧୨ (ଡିକେ ନ୍ୟୁଜ୍‌): ୭ଟି ଉପନିର୍ବାଚନରୁ ୬ଟିରେ ବିଜେଡି ବିଜୟୀ ହୋଇଛି । ଏଥିସହ ବରଗଡ଼ ସଂସଦୀୟ କ୍ଷେତ୍ରର ବିଜେପୁର, ବ୍ରଜରାଜନଗର ପରେ ପଦ୍ମପୁର ଉପନିର୍ବାଚନରେ ବୃହତ୍‌ ବ୍ୟବଧାନରେ ଜିତିଛି ଦଳ । ୨୦୧୯ ବିଧାନସଭା ନିର୍ବାଚନ ପରେ ପଦ୍ମପୁର ସପ୍ତମ ଉପନିର୍ବାଚନ ଥିଲା । ଏଥିରେ ବିଜୟ ସହ ଏଯାଏ ୬ଟି ଉପନିର୍ବାଚନରେ ବାଜି ମାରିଛି ବିଜେଡି । ପଦ୍ମପୁର ଉପନିର୍ବାଚନରେ ବିଜେଡିର ବର୍ଷାସିଂ ବରିହାଙ୍କୁ ୫୮ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୩୭.୫୧ ପ୍ରତିଶତ ଭୋଟ ମିଳିଛି । ୨୦୧୯ ବିଧାନସଭା ନିର୍ବାଚନ ପରେ ପ୍ରଥମ ଉପନିର୍ବାଚନ ଥିଲା ବିଜେପୁର । ଏହି ଉପନିର୍ବାଚନରେ ବିଜେଡିର ରୀତା ସାହୁ ୯୭ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ରୀତାଙ୍କୁ ମିଳିଥିଲା ୩୪.୬ ପ୍ରତିଶତ ଭୋଟ । ବିଜେପିର ସନତ ଗଡ଼ତିଆ ୨୦.୮୫ ପ୍ରତିଶତ ଓ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କୁ ମିଳିଥିଲା ୩.୨୨ ପ୍ରତିଶତ ଭୋଟ । ଗତ ମେ ଓ ଜୁନ୍‌ରେ ହୋଇଥିବା ବ୍ରଜରାଜନଗର ଉପନିର୍ବାଚନରେ ୬୬ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ପତ୍ନୀ ଅଳକାଙ୍କୁ ୬୮.୮୫ ପ୍ରତିଶତ ଭୋଟ ମିଳିଥିବା ବେଳେ କଂଗ୍ରେସର କିଶୋର ପଟେଲ ୧୮.୩୨ ପ୍ରତିଶତ, ଓ ବିଜେପିର ରାଧାରାଣୀ ପଣ୍ଡା ପାଇଥିଲେ ୧୪.୮୯ ପ୍ରତିଶତ ଭୋଟ । ସେହିପରି ୨୦୨୧ରେ ିପିଲି ଉପନିର୍ବାଚନରେ ବିଜେଡିର ରୁଦ୍ରପ୍ରତାପ ମହାରଥୀ ବିଜୟୀ ହୋଇଥିଲେ । ତାଙ୍କୁ ମିଳିଥିଲା ୫୩.୫୫ ପ୍ରତିଶତ ଭୋଟ । ବିଜେପିର ଆଶ୍ରିତ ପଟ୍ଟନାୟକ ୪୮.୦୮ ପ୍ରତିଶତ ଓ କଂଗ୍ରେସର ବିଶ୍ୱକେଶନ ହରିଚନ୍ଦନ ପାଇଥିଲେ ୨.୩୫ ପ୍ରତିଶତ ଭୋଟ । ୨୦୨୦ରେ ବାଲେଶ୍ୱର ଓ ତିର୍ତ୍ତୋଲର ଦୁଇଟି ଆସନରେ ଉପନିର୍ବାଚନ ହୋଇଥିଲା । ବାଲେଶ୍ୱର ଆସନରେ ବିଜେଡି ବାଜିମାତ୍‌ କରିଥିଲା । ପୂର୍ବରୁ ବିଜେପି ଦଖଲରେ ଥିବା ଏହି ଆସନକୁ ଉପନିର୍ବାଚନରେ ଛଡ଼ାଇ ନେଇଥିଲା ବିଜୁ ଜନତା ଦଳ । ବିଜେଡିର ସ୍ୱରୂପ ଦାସ ପାଇଥିଲେ ୫୨.୦୨ ପ୍ରତିଶତ ଭୋଟ । ବିଜେପି ପ୍ରାର୍ଥୀ ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ପାଇଥିଲେ ୪୩.୭୬ ପ୍ରତିଶତ, କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ମିଳିଥିଲା ୩.୦୮ ପ୍ରତିଶତ ଭୋଟ । ସେହିପରି ଗତ ମାସରେ ହୋଇଥିବା ଧାମନଗର ଉପନିର୍ବାଚନରେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହୋଇଥିଲେ ।

Leave A Reply

Your email address will not be published.