୨୦୨୪ ପାଇଁ ବାଟ ଦେଖାଇବ ପଦ୍ମପୁର ! ନବୀନ ମ୍ୟାଜିକ୍‌ରେ ବିରୋଧୀ ଚିତ୍‌ପଟାଙ୍ଗ

0 46

ଭୁବନେଶ୍ୱର, ୯ା୧୨ (ଡିକେ ନ୍ୟୁଜ୍‌): ପଦ୍ମପୁର ବିଜୟ ସହିତ ପଶ୍ଚିମ ଓଡ଼ିଶାରେ ବିଜେଡି ଦମ୍‌ ଦେଖାଇଛି । ଉପକୂଳ ଓଡ଼ିଶା ଭଳି ପଶ୍ଚିମ ଓଡ଼ିଶାରେ ଦଳ ତାର ଦବ୍‌ଦବା ଜାହିର କରିଛି । ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ଟି ଲୋକସଭା ଆସନକୁ ହାତେଇଥିଲା ବିଜେପି । କିନ୍ତୁ ୨୦୧୯ ନିର୍ବାଚନ ପରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ୩ଟି ଉପନିର୍ବାଚନ ହେଲାଣି । ଏହି ତିନୋଟି ଉପନିର୍ବାଚନରେ ମହିଳାଙ୍କୁ ପ୍ରାର୍ଥୀ କରି ବାଜିମାତ୍‌ କରିଛି ବିଜେଡି । ବିଜେପୁର ଉପନିର୍ବାଚନରେ ରୀତା ସାହୁ ୭୪.୬୭ ପ୍ରତିଶତ, ବ୍ରଜରାଜନଗରରେ ଅଳକା ମହାନ୍ତି ୬୧.୮୫ ପ୍ରତିଶତ ଭୋଟ ପାଇଥିବା ବେଳେ ପଦ୍ମପୁର ଉପନିର୍ବାଚନରେ ବର୍ଷା ସିଂ ବରିହା ୯୮ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୭ଟି ଉପନିର୍ବାଚନ ମଧ୍ୟରୁ ୬ଟିରେ ଦଳ ଜିତିଛି । ଉପକୂଳରେ ହୋଇଥିବା ଉପନିର୍ବାଚନ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ବିଜେଡିର ବିଜୟ ମାର୍ଜିନ୍‌ ଭଲ । ଉପନିର୍ବାଚନ ଜନାଦେଶ ସୂଚାଉଛି ଯେ, ପଶ୍ଚିମରେ ବିଜେପି ଗଡ଼ରେ ବିଜେଡି ଶକ୍ତି ବୃଦ୍ଧି କରିଚାଲିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଦ୍ମପୁର ଉପନିର୍ବାଚନ କ୍ଷେତ୍ର ଥିଲା ସବୁ ଦଳ ପାଇଁ ଏସିଡ୍‌ ଟେଷ୍ଟ । ଧାମନଗର ଆସନକୁ ବିଜେପି ହାତେଇବା ପରେ ପଦ୍ମପୁର ଗଡ଼ ଦଖଲ କରିବା ପାଇଁ ପଦ୍ମଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା । କେନ୍ଦ୍ରରୁ ଚାରି ଚାରିଜଣ ମନ୍ତ୍ରୀ ଆସି ଏହି ଉପନିର୍ବାଚନରେ ପ୍ରଚାର କରିଥିଲେ । ପ୍ରଚାର ବେଳେ ବିଜେଡି-ବିଜେପି ମଧ୍ୟରେ ଆକ୍ଷେପ-ପ୍ରତି ଆକ୍ଷେପ ଜୋର ଧରିଥିଲା । ଏପରିକି ସକାଳେ ଆଇଟି ରେଡ୍‌ ହୋଇଥିବା ବେଳେ ସନ୍ଧ୍ୟାରେ ଜିଏସ୍‌ଟି ରେଡ୍‌ ହୋଇଥିଲା । ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ବିଜେଡି ସୁପ୍ରିମୋ ପ୍ରତିଶ୍ରୁତି ଦେବା ପରେ ବିଜେପି ତାର ଜବାବ ରଖି ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଳିକ ଦେଇଥିବା ‘ବର୍ତ୍ତମାନ କୌଣସି ନୂଆ ଜିଲ୍ଲା ହେବାର ଯୋଜନା ନାହିଁ’ ବୋଲି ବିଧାନସଭା ଚିଠାକୁ ଦେଖାଇ ଶାସକ ଦଳକୁ ବ୍ୟାକ୍‌ଫୁଟ୍‌କୁ ଆଣିବା ପାଇଁ ଚେଷ୍ଟା କରିଥିଲା । ବିଜେଡି ଯାହା ଯୁକ୍ତି ରଖୁଥିଲା ତାକୁ ବିଜେପି କାଉଣ୍ଟର କରିବାକୁ ପଛାଉ ନଥିଲା । ଏପରିକି ରେଳମନ୍ତ୍ରୀ ଆସି ପ୍ରଶ୍ନ ପଚାରିଥିବା ବେଳେ ନିଜେ ଖୋଦ୍‌ ମୁଖ୍ୟମନ୍ତ୍ରୀ ତାର ଉତ୍ତର ରଖିଥିଲେ । ଖାଲି ସେତିକି ନୁହେଁ, ପ୍ରସଙ୍ଗକୁ ଛାଡ଼ି ବ୍ୟକ୍ତିଗତ ଆରୋପ-ପ୍ରତ୍ୟାରୋପ ଜୋର ଧରିଥିଲା । ପ୍ରଥମଥର ପାଇଁ ପଦ୍ମପୁରରେ ଏପରି ଚିତ୍ର ଦେଖିବାକୁ ମିଳିଥିଲା । ଏହି ବ୍ୟକ୍ତିଗତ ଆରୋପ ବିଜେପି ପାଇଁ ମହଙ୍ଗା ପଡ଼ିଲା ବୋଲି ରାଜନୈତିକ ତଥ୍ୟାଭିଜ୍ଞମାନେ ମତ ଦେଇଛନ୍ତି । ଲୋକଙ୍କ ବୃହତ୍ତର ସ୍ୱାର୍ଥକୁ ବିଜେଡି ପ୍ରାଧାନ୍ୟ ଦେଇ ତାର ରଣନୀତିକୁ ବଦଳାଇଥିଲା । ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା, ପ୍ରଧାନମନ୍ତ୍ରୀ ଫସଲବୀମା, ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ଏବଂ ରେଳୱେ ପ୍ରକଳ୍ପ କାହିଁକି ବିଳମ୍ବ ହେଉଛି ବୋଲି ମୁଦ୍ଦା ଉଠାଇ ବିରୋଧୀଙ୍କୁ ଘେରିଥିଲା, ଯାହା ଲୋକଙ୍କ ମନକୁ ଛୁଇଁଥିଲା । ସୁବ୍ୟବସ୍ଥିତ ଢଙ୍ଗରେ ଅତି ନିଷ୍ଠାର ସହିତ ବିଜେଡି ନେତା ଓ କର୍ମୀମାନେ ଭୋଟରଙ୍କୁ ବୁଝାଇବାରେ ସଫଳ ହୋଇଥିଲେ । ସେଥିପାଇଁ ଦଳକୁ ସଫଳତା ମିଳିଥିଲା ବୋଲି ରାଜନୈତିକ ସମୀକ୍ଷକମାନେମତ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରୁ ବିଜେପିର ଗଡ଼ ଥିବା ପଶ୍ଚିମ ଓଡ଼ିଶାକୁ ଫୋକସ୍‌ କରିଆସୁଛି ବିଜେଡି । ପ୍ରଥମେ ବିଜେପୁରରୁ ନିର୍ବାଚନ ଲଢ଼ିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନ ଉନ୍ନତି କ୍ଷେତ୍ରରେ ପଶ୍ଚିମ ଓଡ଼ିଶାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ବିଶେଷକରି ବିଜୁ ଏକ୍ସପ୍ରେସ୍‌, ସ୍କୁଲ ରୂପାନ୍ତରୀକରଣ, ଜଳସେଚନ ଓ ପ୍ରକଳ୍ପ ଆଦି କ୍ଷେତ୍ରରେ ଗୁରୁତ୍ୱ ମିଳିଛି । କେବଳ ଏତିକି ନୁହେଁ, ରାଜ୍ୟ ମନ୍ତ୍ରିମଣ୍ଡଳରେ ମଧ୍ୟ ପଶ୍ଚିମ ଓଡ଼ିଶାକୁ ପ୍ରାଧାନ୍ୟ ଦିଆଯାଇଛି । ଅର୍ଥ, ସ୍ୱାସ୍ଥ୍ୟ, ଜଳସମ୍ପଦ, ଉଚ୍ଚଶିକ୍ଷା, ଯୋଜନା ଏବଂ ସଂଯୋଜନା ବିଭାଗର ମନ୍ତ୍ରୀପଦ ମିଳିଛି । ନିରଞ୍ଜନ ପୂଜାରୀ, ନବ ଦାସ, ଟୁକୁନି ସାହୁ, ରୋହିତ ପୂଜାରୀ, ରାଜେନ୍ଦ୍ର ଢୋଲକିଆ ଓ ରୀତା ସାହୁ ମନ୍ତ୍ରୀ ଭାବେ ଏହି ବିଭାଗର ଦାୟିତ୍ୱ ତୁଲାଉଛନ୍ତି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ
ମା’ ସମଲେଇଙ୍କ ଉନ୍ନତିକରଣ କାର୍ଯ୍ୟ ଚାଲିଛି । ସୁନ୍ଦରଗଡ଼ର ରାଉରକେଲାରେ ହକି ବିଶ୍ୱକପ୍‌ ଖେଳାଯିବ । ରାଜ୍ୟ ସରକାରଙ୍କ ଫୋକସ୍‌ରେ ପଶ୍ଚିମ ଓଡ଼ିଶା ଥିବାବେଳେ ଏବେ ତାହା ବିଜେଡିର ଅଭେଦ୍ୟ ଦୁର୍ଗରେ ପରିଣତ ହେବାକୁ ଯାଉଛି । ଯାହାକି ପଶ୍ଚିମ ଓଡ଼ିଶାର ତିନୋଟି ଯାକ ଉପନିର୍ବାଚନରେ ବୃହତ୍‌ ବ୍ୟବଧାନରେ ଦଳର ବିଜୟରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି ।

Leave A Reply

Your email address will not be published.