ପଦ୍ମପୁର ବିଜୟ ପରେ ବିଜେଡିର ରଣହୁଙ୍କାର ଏଥର ମିଶନ ୧୨୫!

0 71

ଭୁବନେଶ୍ୱର, ୧୦ା୧୨ (ଡିକେ ନ୍ୟୁଜ୍‌): ଆଗୁଆ ନିର୍ବାଚନ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ପଦ୍ମପୁର ବିଜୟ ପରେ ରଣହୁଙ୍କାର ଦେଇଛି ବିଜୁ ଜନତା ଦଳ । ୨୦୨୩ ହେଉ କି ୨୦୨୪, ଦଳ ନିର୍ବାଚନ ପାଇଁ ତୟାର । ଆଗାମୀ ନିର୍ବାଚନ ପାଇଁ ବିଜେଡିର ମିଶନ ୧୨୫ । ପଦ୍ମପୁର ଉପନିର୍ବାଚନରେ ଦଳର ବୃହତ୍‌ ବିଜୟ ପରେ ଫାଇନାଲ ଲଢେ଼ଇ ପାଇଁ ରଣନୀତି ପ୍ରସ୍ତୁତି କରୁଛି ବିଜେଡି । ଆସନ୍ତା ଜାନୁଆରୀରେ ଏହା ଭିତ୍ତିଭୂମି ପଡ଼ିବାକୁ ଯାଉଛି । ନୂଆବର୍ଷରେ ପଦ୍ମପୁରରେ ବିରାଟ ସମାବେଶ କରିବ ଦଳ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବା ସହ କର୍ମୀ ଓ ନେତାଙ୍କୁ ଦିଶା ଦେଖାଇବେ । ସେତିକି ବେଳେ ଉପନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ମଧ୍ୟ ପାଳନ କରିବ । ଏହାଛଡ଼ା ରେଳଲାଇନ ପାଇଁ ଜମି, ଚାଷୀବୀମା, କେନ୍ଦୁପତ୍ରରେ ୧୮ ପ୍ରତିଶତ ଜିଏସ୍‌ଟି ଆଦି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆହୁରି ଶାଣିତ ହେବେ । ଏହା ପୂର୍ବରୁ ଡିସେମ୍ବର ୨୬ରେ ବିଜେଡି ପ୍ରତିଷ୍ଠା ଦିବସ । ସେହିଦିନ ଦଳର ନେତା, କର୍ମୀ ଏବଂ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ବଡ଼ ବାର୍ତ୍ତା ଦେଇପାରନ୍ତି ବିଜେଡି ସୁପ୍ରିମୋ । ଉପକୂଳ ଓଡ଼ିଶା ବିଜେଡିର ଗଡ଼ ଭାବେ ପରିଚିତ ହୋଇଥିବା ବେଳେ ୨୦୧୯ ପରେ ପଶ୍ଚିମ ଓଡ଼ିଶାକୁ ଫୋକସ୍‌ କରିଆସୁଛି ଦଳ । ବିଜେପୁର, ବ୍ରଜରାଜନଗର ଓ ପଦ୍ମପୁର ଉପନିର୍ବାଚନରେ ବିଜେଡି ବୃହତ୍‌ ବ୍ୟବଧାନରେ ବିଜୟୀ ହୋଇଛି । ତେଣୁ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ବିଧାନସଭା ସହ ଲୋକସଭା ଆସନ ଉପରେ ଫୋକସ୍‌ କରିବ ବିଜେଡି । ଖାଲି ବିଜେଡି କାହିଁକି, ଏବେ ସବୁ ଦଳ ଫାଇନାଲ ଲଢେ଼ଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାଯାଇଛି ।

Leave A Reply

Your email address will not be published.