ଜୋର ଧରିଲାଣି ଆଗୁଆ ନିର୍ବାଚନ ଚର୍ଚ୍ଚା

0 65

ଭୁବନେଶ୍ୱର, ୧୦ା୧୨ (ଡିକେ ନ୍ୟୁଜ୍‌): ସାଧାରଣ ନିର୍ବାଚନକୁ ଆଉ ୧୫/୧୬ ମାସ ବାକି । ଏହି ସମୟରେ ସାରା ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଲାଣି । ଏହି ପ୍ରସଙ୍ଗରେ ବିଜେଡି ବହୁ ଆଗରୁ ନିଜ ନୀତି ସ୍ପଷ୍ଟ କରିସାରିଛି । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସଙ୍ଗରେ ହେଉ । ୨୦୦୪ରେ ଆଗୁଆ ଲୋକସଭା ନିର୍ବାଚନ ହୋଇଥିଲା, ସେ ସମୟରେ ବିଜେଡି ସରକାର ମଧ୍ୟ ଆଗୁଆ ବିଧାନସଭା ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲେ । ୨୦୧୮ରେ ମଧ୍ୟ ଆଗୁଆ ନିର୍ବାଚନ ଚର୍ଚ୍ଚା ହୋଇଥିଲା । ସେତେବେଳେ ନିର୍ବାଚନ କମିସନରଙ୍କୁ ଭେଟିଥିଲେ ବିଜେଡି ପ୍ରତିନିଧି । ସ୍ପଷ୍ଟ କରିଥିଲେ ଆଗୁଆ ଲୋକସଭା ନିର୍ବାଚନ ହେଲେ ତାହାସହ ବିଧାନସଭା ନିର୍ବାଚନ କରାଯାଉ । କାରଣ ଅଲଗା ଭାବେ ବିଧାନସଭା ନିର୍ବାଚନ ହେଲେ ରାଜ୍ୟ ରାଜକୋଷରୁ ଅଧିକ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଆଗୁଆ ନିର୍ବାଚନ ଚର୍ଚ୍ଚାରେ ଖୋରାକ୍‌ ଯୋଗାଇଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ମୁଁ ଶୁଣୁଛି ଏଠି ଆଗୁଆ ନିର୍ବାଚନ ହେବ । ନିର୍ବାଚନକୁ ବହୁ ଦିନ ଅଛି, ଏଠି ବହୁ କଥା ଘଟିବ । ମହାନଦୀରେ ପାଣି ବହିବ, ବୈତରଣୀରେ ବି ବହିବ । ସୂଚନାଯୋଗ୍ୟ ଯେ, ୨୦୨୩ରେ ୯/୧୦ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ୨୦୨୩ ମଧ୍ୟଭାଗ ପରେ କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଭଳି ବଡ଼ ରାଜ୍ୟରେ ନିର୍ବାଚନ ହେବା ସମ୍ଭାବନା ରହିଛି । ସେ ସମୟରେ ଏକସଙ୍ଗରେ ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବା ସମ୍ଭାବନା ଅଧିକ ରହିଛି । କାରଣ ପ୍ରଧାନମନ୍ତ୍ରୀ ସବୁବେଳେ ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନ୍‌ କଥା କହିଆସୁଛନ୍ତି । ଯଦି ଆଗୁଆ ଲୋକସଭା ନିର୍ବାଚନ ହୁଏ, ତେବେ ଓଡ଼ିଶାରେ ମଧ୍ୟ ସେ ସମୟରେ ବିଧାନସଭା ନିର୍ବାଚନ ନେଇ ବିଜେଡି ଆଗ୍ରହ ପ୍ରକାଶ କରିପାରେ ।

Leave A Reply

Your email address will not be published.