ବେକାରୀ ନିୟନ୍ତ୍ରଣ: ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଓଡ଼ିଶା

0 71

ଭୁବନେଶ୍ୱର, ୧୩ା୧୨(ଡିକେ ନ୍ୟୁଜ): ଦେଶରେ ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏନେଇ ସାଧାରଣରେ ଜନ ଅସନ୍ତୋଷ ତୀବ୍ରତର ହୋଇଛି । ମାତ୍ର ଏହି ସମୟରେ ସାରା ଦେଶରେ ଓଡ଼ିଶା ବେକାରୀ ନିୟନ୍ତ୍ରଣରେ କ୍ରମାଗତ ଭାବରେ ଉତ୍ତମ ପ୍ରଦର୍ଶନ କରିଛି । ବେକାରୀ ନିୟନ୍ତ୍ରଣ କେନ୍ଦ୍ରରେ ସବୁ ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ନଭେମ୍ବର ମାସରେ ଓଡ଼ିଶାର ବେକାରୀ(ସର୍ବନିମ୍ନ) ହାର ଦେଶବ୍ୟାପୀ
ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଥିବାବେଳେ କର୍ମନିଯୁକ୍ତି ପ୍ରଦାନରେ ଯେ ଓଡ଼ିଶା ମଡେଲ ସର୍ବଶ୍ରେଷ୍ଠ ତାହା ପ୍ରମାଣିତ ହୋଇଛି । ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମଆଇଇ)ର ତଥ୍ୟ ଅନୁଯାୟୀ ନଭେମ୍ବର ମାସରେ ଦେଶରେ ବେକାରୀ ହାର ୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ମାତ୍ର ତାହା ୧.୬ ପ୍ରତିଶତ ରହିଛି । ଖାଲି ନଭେମ୍ବର ମାସ ନୁହେଁ; ଯଦି ଗତ ଜାନୁଆରୀ ମାସଠାରୁ ସିଏମଆଇଇର ରିପୋର୍ଟକୁ ଅନୁଧ୍ୟାନ କରାଯାଏ ତାହେଲେ ବେକାରୀ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଭଲ ସ୍ଥିତିରେ ଥିବା ସ୍ପଷ୍ଟ ଭାବେ ଅନୁଭବ କରିହେଉଛି । ସିଏମଆଇଇର ତଥ୍ୟ ଅନୁଯାୟୀ ନଭେମ୍ବର ପରି ଗତ ଅକ୍ଟୋବର ମାସରେ ଓଡ଼ିଶା ବେକାରୀ ନିୟନ୍ତ୍ରଣରେ ଶ୍ରେଷ୍ଠ୍‌-୩ ରାଜ୍ୟ ମଧ୍ୟରେ ରହିଥିଲା । ଓଡ଼ିଶାର ବେକାରୀ ହାର ୧.୧ ପ୍ରତିଶତ ଥିବାବେଳେ ମଧ୍ୟପ୍ରଦେଶ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ୦.୮ ପ୍ରତିଶତ ଏବଂ ଛତିଶଗଡ଼ ୦.୯ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଅକ୍ଟୋବର ମାସରେ ହରିୟାଣାରେ ସର୍ବାଧିକ ବେକାରୀ ହାର ୩୧.୮ ପ୍ରତିଶତ ରେକର୍ଡ କରାଯାଇଛି । ଏହାତଳକୁ ରାଜସ୍ଥାନର ୩୦.୭ ପ୍ରତିଶତ ରହିଥିବା ବେଳେ ଜମ୍ମୁ ଓ କଶ୍ମୀରର ୨୨.୪ପ୍ରତିଶତ ବେକାରୀ ହାର ରହିଛି । ଗତ ଜୁଲାଇ ମାସରେ ଓଡ଼ିଶାର ବେକାରୀ ହାର ମାତ୍ର ୦.୯ ପ୍ରତିଶତ ରହିଥିବା ବେଳେ ଦେଶବ୍ୟାପୀ ସର୍ବନିମ୍ନ ବେକାରୀ ହାର ତାଲିକାରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ଅକ୍ତିଆର କରିଥିଲା । ସେହିପରି କେବଳ ଗତ ମାର୍ଚ୍ଚ ମାସକୁ ଛାଡ଼ିଦେଲେ ଗତ ଜାନୁଆରୀଠାରୁ ଏଯାବତ ଓଡ଼ିଶା ଏକ୍ଷେତ୍ରରେ ସବୁବେଳେ ସ୍ଥିର ଏବଂ ଉନ୍ନତ ପ୍ରଦର୍ଶନ କରିଆସିବା ସହ ସର୍ବନିମ୍ନ ବେକାରୀ ହାର କ୍ଷେତ୍ରରେ ସବୁବେଳେ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ରହିଆସିଛି । ଓଡ଼ିଶାର ବେକାରୀ ହାର ନିୟନ୍ତ୍ରଣରେ ରହିବାର ଅନେକ କାରଣ ରହିଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି । ରାଜ୍ୟ ସରକାର ଯୁବକଯୁବତୀଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ କର୍ମ ନିଯୁକ୍ତି ପ୍ରଦାନକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥିବା ବେଳେ ଏହାର ସୁଫଳ ଏବେ କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ହୋଇଛି । ସେହିପରି ମିଶନ ଶକ୍ତି ସହାୟତାରେ ମହିଳାଙ୍କୁ ଆତ୍ମନିର୍ଭର କରିବା ସହ ମନରେଗା ପରି କେନ୍ଦ୍ରୀୟ ଯୋଜନାର ସର୍ବାଧିକ ସଫଳ ଉପଯୋଗ ହୋଇପାରିଛି । ଯାହାଫଳରେ ଯୁବକ ଯୁବତୀମାନେ ପୂର୍ବାପେକ୍ଷା ଅଧିକ ଆତ୍ମନିର୍ଭର ହୋଇପାରିଛନ୍ତି । ସେହିପରି ନିଜସ୍ୱ ଯୋଜନା ମାଧ୍ୟମରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଏହି ସଫଳତାର ପ୍ରମୁଖ କାରଣ ବୋଲି କୁହାଯାଉଛି ।

Leave A Reply

Your email address will not be published.