ପେଡ଼ି ଭିତରେ ନାଗ ଚୁପ୍‌

0 71

ଭୁବନେଶ୍ୱର,୧୩ା୧୨(ଡିକେ ନ୍ୟୁଜ): ଅର୍ଚ୍ଚନା ନାଗଙ୍କୁ ଗିରଫ କରିଛି ପ୍ରର୍ବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି । ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଛି । ୭ ଦିନିଆ ରିମାଣ୍ଡ ସରିବା ପରେ ଆଜି ଅର୍ଚ୍ଚନାଙ୍କୁ ଭୁବନେଶ୍ୱର ଏସ୍‌ଡ଼ିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା । ପୂର୍ବରୁ ତାଙ୍କୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୋଲିସ । ଅର୍ଚ୍ଚନାଙ୍କ ମନି ଲଣ୍ଡରିଂ ମାମଲାରେ ପୂର୍ବରୁ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଇଡ଼ି ଗିରଫ କରିଥିଲା । ଇଡ଼ି ମାମଲାରେ ପୁଣି ଥରେ ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ । ସେହିପରି ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ ହେପାଜତରେ ନେବ ତଦନ୍ତକାରୀ ଟିମ୍‌ । ଉଭୟଙ୍କୁ ମୁହାଁମୁହିଁ ଜେରା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୭ ଦିନିଆ ରିମାଣ୍ଡରେ ଯାଇଥିଲେ ଅର୍ଚ୍ଚନା । କୋର୍ଟରେ ହାଜର ବେଳେ ଗର୍ଜନ କରି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ କହିଥିଲେ ସେ ମୁହଁ ଖୋଲିଲେ ଓଡ଼ିଶା ପରିବର୍ତ୍ତନ ହୋଇଯିବ ।
କାହାରିକୁ ଛାଡ଼ିବେନି ବୋଲି ଗରମ ଦେଖାଉଥିବା ଅର୍ଚ୍ଚନା ନାଗ କିନ୍ତୁ ଇଡ଼ିର ପେଡ଼ି ଭିତରେ ଚୁପ୍‌ ହୋଇରହିଛନ୍ତି । ତଦନ୍ତକାରୀ ଅଫିସରଙ୍କୁ ସହଯୋଗ କରୁନଥିଲେ କିମ୍ବା ସନ୍ତୋଷଜନକ ଉତ୍ତର ଦେଇନଥିବା ସୂଚନା ମିଳିଛି । ତେଣୁ ଅର୍ଚ୍ଚନାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ରିମାଣ୍ଡରେ ନେଇ ଜଗବନ୍ଧୁଙ୍କ ସହିତ ମୁହାଁମୁହିଁ ଜେରା କରିପାରେ ଇଡ଼ି । ପ୍ରଥମେ ଏକାକୀ ଜେରା କରାଯିବ । ତାଙ୍କ ନିକଟରୁ କଳା ସାମ୍ରାଜ୍ୟର ଗୋଟିଗୋଟି ଗୁମର ଖୋଲିବା ପରେ ଅର୍ଚ୍ଚନାଙ୍କ ସହ ସାମ୍ନାସାମ୍ନି କରାଯିବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି । ମାତ୍ର ବର୍ଷ କେଇଟାରେ କେମିତି କୋଟି କୋଟି ଟଙ୍କାର ମାଲିକ ହେଲେ, କେତେ ଲୋକଙ୍କୁ ବ୍ଲାକ୍‌ମେଲିଂ କରିଛନ୍ତି, ହନିଟ୍ରାପ୍‌ ଓ ବ୍ଲାକ୍‌ମେଲିଂ ନେଟ୍‌ୱର୍କରେ ଆଉ କିଏ କିଏ ସାମିଲ ଅଛନ୍ତି, କେଉଁଠି ନିବେଶ କରିଛନ୍ତି କଳାଟଙ୍କା, ଶ୍ରଦ୍ଧାଞ୍ଜଳିଙ୍କୁ ମୋହରା କରି ବଡ଼ବଡ଼ିଆଙ୍କ ଅଶ୍ଳୀଳ ଭିଡ଼ିଓ କରି ବ୍ଲାକ୍‌ମେଲିଂ କରୁଥିଲେ କି, ଓଲିଓଡ୍‌ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଏବଂ ପ୍ରମୋଦ ସ୍ୱାଇଁଙ୍କ ସହ ତାଙ୍କର କି ସଂପର୍କ, କାହିଁକି ସେମାନଙ୍କୁ ବ୍ଲାକ୍‌ମେଲିଂ କରୁଥିଲେ ଆଦିପ୍ରସଙ୍ଗ ଉପରେ ନାଗ-ଚାନ୍ଦ ଦମ୍ପତିଙ୍କ ଠାରୁ ସତ ଓଗାଳିବ ଇଡ଼ି । କେଉଁଠୁ ଟଙ୍କା ଆଣି କରିଥିଲେ ଘର, କେମିତି କିଣିଥିଲେ ଗାଡ଼ି ଓ ଘୋଡ଼ା ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ସ୍ୱାମୀ-ସ୍ତ୍ରୀଙ୍କ ଠାରୁ ବାହାର କରିବା ଇଡ଼ି ପାଇଁ ହେବ ବଡ଼ ଚ୍ୟାଲେଞ୍ଜ । ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇ ଶ୍ରଦ୍ଧାଞ୍ଜଳି, ଅକ୍ଷୟ ପରିଜା, ପ୍ରମୋଦ ସ୍ୱାଇଁଙ୍କ ସହିତ ମୁହାଁମୁହିଁ ଜେରା କରିପାରେ ଇଡ଼ି । ସେହିପରି ସହଯୋଗୀ ଖଗେଶ୍ୱରକୁ ମଧ୍ୟ ସାମ୍ନାସାମ୍ନି ବସାଇ ପଚରା ଯାଇପାରେ ।

Leave A Reply

Your email address will not be published.