ପୁଣି ଆଉ ଏକ ଶ୍ରଦ୍ଧା ହତ୍ୟାକାଣ୍ଡ ବାପାଙ୍କୁ ୩୨ ଖଣ୍ଡ କଲା ପୁଅ

0 81

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ପରି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଉକ୍ତ କେସ୍‌ରେ ପ୍ରେମିକ ପ୍ରେମିକାକୁ ମାରି ଶବକୁ ଖଣ୍ଡ ଖଣ୍ଡ କରିଥିବା ବେଳେ ସଦ୍ୟତମ ଘଟଣାରେ ବାପାକୁ ହତ୍ୟା କରି ଶବକୁ ୩୨ ଖଣ୍ଡ କରିଛି ପୁଅ । ଏହି ଘଟଣା କର୍ଣ୍ଣାଟକର ବାଲାକୋଟ୍‌ରେ ଘଟିଛି । ପୁଅ ବାପାର ଶବ ଖଣ୍ଡଗୁଡିକୁ କୂଅରେ ଫିଙ୍ଗି ଦେଇଥିଲା । ପୋଲିସ୍‌ ହତ୍ୟାକାଣ୍ଡର ଖୁଲାସା କରି ମୃତକଙ୍କ ଶରୀରର ବିଭିନ୍ନ ଅଙ୍ଗ ଜବତ କରି ଅଭିଯୁକ୍ତ ପୁଅ ବିଠଲା କୁଲାଲିଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି । ପୋଲିସ୍‌ ଅନୁଯାୟୀ, ଗତ ଡିସେମ୍ବର ୬ରେ ୨୦ ବର୍ଷୀୟ ବିଠଲା ରାଗରେ ନିଜ ବାପା ପର୍ଶୁରାମ କୁଲାଲି(୫୩)ଙ୍କୁ ଲୁହା ରଡ୍‌ରେ ପିଟି ପିଟି ହତ୍ୟା କରିଥିଲା । ପର୍ଶୁରାମ ସର୍ବଦା ମଦ ନିଶାରେ ଚୁର ହୋଇ ନିଜ ଦୁଇ ପୁଅଙ୍କୁ ଗାଳିଗୁଲଜ କରୁଥିଲା । ଏହି କାରଣରୁ ପର୍ଶୁରାମଙ୍କ ପତ୍ନୀ ଏବଂ ବଡ ପୁଅ ଅଲଗା ରହୁଥିଲେ । ଗତ ମଙ୍ଗଳବାର ପର୍ଶୁରାମ ମଦ ପେଟେ ପିଇ ବିଠଲାକୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ । ଗାଳି ଅସହ୍ୟ ହେବାରୁ ବିଠଲା ରାଗରେ ଏକ ଲୁହା ରଡ୍‌ରେ ପିଟି ପିଟି ନିଜ ବାପାଙ୍କ ହତ୍ୟା କରିଥିଲେ । ଏହା ପରେ ବିଠଲା ବାପା ପର୍ଶୁରାମଙ୍କ ଶରୀରକୁ ୩୨ ଖଣ୍ଡ କରିଥିଲା । ଶରୀରର ଅଙ୍ଗଗୁଡିକୁ ବାଗଲକୋଟ୍‌ ଜିଲ୍ଲାର ମୁଧୋଲର
ବାହ୍ୟ ଅଞ୍ଚଳରେ ମଞ୍ଜୁର ବାଇପାସ୍‌ ସ୍ଥିତ ନିଜ ଖେତରେ ଥିବା ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲା । କୂଅରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସ୍‌କୁ ସୂଚନା ଦେଇଥିଲେ । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତରୁ ବିଠଲା ଉପରେ ସନ୍ଦେହ ପ୍ରକାଶ କରିଥିଲା । ବିଠଲାକୁ ଥାନାକୁ ଡକାଇ ଜେରା କରିବା ସମୟରେ ସେ ନିଜର ଦୋଷ ସ୍ୱୀକାର କରିଥିଲା । ପୋଲିସ୍‌ ଶବର ଖଣ୍ଡଗୁଡିକୁ ବୋରୱେଲ୍‌ରୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି ।

Leave A Reply

Your email address will not be published.