୨୦୨୪ ପାଇଁ ପଦ୍ମପୁର ମଡେଲ ହେବ ମାର୍ଗଦର୍ଶିକା ନବୀନ ନିବାସରେ ମାନସ ମନ୍ଥନ

0 76

ଭୁବନେଶ୍ୱର, ୧୫ା୧୨ (ଡିକେ ନ୍ୟୁଜ୍‌): ୨୦୨୪ ନିର୍ବାଚନ ପାଇଁ ପଡ଼ିଲା ଭିତ୍ତିଭୂମି । ସବୁ ନିର୍ବାଚନ ମଣ୍ଡଳୀରେ ଲାଗୁ ହେବ ପଦ୍ମପୁର ମଡେଲ । ଯେଉଁ ତରିକାରେ ପଦ୍ମପୁରରେ ଦଳ ବୃହତ୍‌ ବିଜୟ ହାସଲ କଲା ତାହାକୁ ସବୁ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ କରାଯିବା ପାଇଁ ଯୋଜନା କରିଛି ବିଜେଡି । ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଦଳୀୟ ନେତାଙ୍କୁ ଦିଆଯାଇଛି ମନ୍ତ୍ର । ପଦ୍ମପୁର ଉପନିର୍ବାଚନରେ ସଫଳତା ପରେ ଆଜି ୨୦୨୪ ନିର୍ବାଚନ ପାଇଁ ଭିତ୍ତିଭୂମି ପକାଇଛି ଦଳ । ପଦ୍ମପୁର ମଡେଲ କିଭଳି ସବୁ ନିର୍ବାଚନ ମଣ୍ଡଳୀରେ ଲାଗୁ ହେବ, ତାହାର ରଣନୀତି ନେତାଙ୍କୁ କୁହାଯାଇଛି । ବରିଷ୍ଠ ଓ ଯୁବକ ଏକାଠି ହୋଇ କାମ କରିବେ । ମହିଳାଙ୍କୁ ଅସମ୍ମାନ ପ୍ରସଙ୍ଗ ବରଦାସ୍ତ କରାଯିବନି । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପ୍ରତି ଲୋକଙ୍କ ସହ ଯୋଡ଼ି ହେବେ ନେତା । ଘରକୁ ଘର ଯାଇ ୱାନ୍‌ ଟୁ ୱାନ୍‌ କଥା ହେବେ । ଏହାସହ ନିର୍ବାଚନ ମଣ୍ଡଳୀୱାରୀ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତିକୁ ତୁରନ୍ତ ପାଳନ କରିବାକୁ କୁହାଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଲୋକଙ୍କ ଉପରେ କିଛି ଲଦାଯିବନି ବରଂ ଲୋକଙ୍କ ସମସ୍ୟା ଓ ଆଶାକୁ ନେଇ ପ୍ରସ୍ତୁତ ହେବ ଯୋଜନା । ଆଉ ତାହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରାଯିବ । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରାୟ ୩ ଘଣ୍ଟା ଧରି ହୋଇଥିବା ବୈଠକରେ ଦଳୀୟ ନେତାଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜାନୁଆରୀରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତରେ ଯିବେ । କେବଳ ତାରିଖ ସ୍ଥିର ହେବାକୁ ବାକି ରହିଛି । ଏଥିସହିତ ଆଗୁଆ ନିର୍ବାଚନ ସପକ୍ଷରେ ବିଜେଡି ନାହିଁ । କିନ୍ତୁ କେନ୍ଦ୍ର ସରକାର ଯଦି ଲୋକସଭା ନିର୍ବାଚନ ଆଗୁଆ କରନ୍ତି, ତାହାହେଲେ ବିଜେଡି ମଧ୍ୟ ଲୋକସଭା ସହ ବିଧାନସଭା ନିର୍ବାଚନ କରିବା ପାଇଁ ପ୍ରସ୍ତାବ ଦେବ ।

Leave A Reply

Your email address will not be published.