ଜଗତସିଂହପୁରରେ ୨୧୪ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ ଲୋକଙ୍କ ଆସ୍ଥା ବଜାୟ ରଖିବା ଗୁରୁତ୍ୱପୂଣ୍ଣ

0 70

ଭୁବନେଶ୍ୱର, ୧୫ା୧୨(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୨୧୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଜଗତସିଂହପୁର, ରଘୁନାଥପୁର, ତିର୍ତ୍ତୋଲ ଓ ବାଲିକୁଦାରେ ୪ଟି ମିଶନ ଶକ୍ତି ଭବନ ଉଦ୍‌ଘାଟନ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି । ଏହାବ୍ୟତୀତ ୪୩ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ମଧ୍ୟ ରଖିଛନ୍ତି । ଏହାଦ୍ୱାରା ଜିଲ୍ଲାର ୧୨ ଲକ୍ଷ ଲୋକ ଉପକାର
ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ବଜାୟ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆମେ କାମ କରୁଛୁ ଓ ଏହା ଆଗକୁ ମଧ୍ୟ ଜାରି ରହିବ । ଜଗତସିଂହପୁର ମା’ ଶାରଳାଙ୍କ ପୀଠ ମାତୃପୀଠ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପାରାଦୀପଠାରେ ବିଜୁବାବୁ ଓଡିଶାର ଶିଳ୍ପ ବିକାଶ ପାଇଁ ଭିତ୍ତି ରଖିଥିଲେ । ପାରାଦୀପ ଆଜି ଦେଶର ଏକ ସମୃଦ୍ଧ ବନ୍ଦର ଭାବରେ ଅନେକ ସୁଯୋଗ ସୃଷ୍ଟି କରିଛି ଏବଂ ଆମ ଅର୍ଥନୀତିର ଜୀବନରେଖା ହୋଇଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାଆ ଶାରଳାଙ୍କ ପୀଠ ହେଉଛି ମାତୃପୀଠ । ଜିଲ୍ଲାର ମିଶନ ଶକ୍ତିର ମାଆମାନେ ଆଜି ବିକଶର ସାରଥୀ ହୋଇଛନ୍ତି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବା ସହିତ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଫେଡେରେସନ ପାଇଁ ୧ କୋଟି ଟଙ୍କା ଓ ବ୍ଲକ୍‌ସ୍ତରୀୟ ମିଶନ ଶକ୍ତି ଫେଡେରେସନ ପାଇଁ ୫୦ ଲକ୍ଷ ଟଙ୍କାର ଏକ ରିଭଲ୍ଭିଂ ଫଣ୍ଡର ବ୍ୟବସ୍ଥା ରଖାଯାଇଛି । ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଏହା ଆହୁରି ଆଗକୁ ନେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ସ୍ୱାସ୍ଥ୍ୟସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିରେ ଆମର ନୀତି ହେଉଛି ପ୍ରତି ଜୀବନ ମୂଲ୍ୟବାନ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସାରା ଦେଶ ପାଇଁ ଏକ ମଡେଲ ହୋଇଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଆଜି ପର୍ଯ୍ୟନ୍ତ ଏହି ଯୋଜନାରେ ୮ ଲକ୍ଷ ଲୋକ ଚିକିତ୍ସା ସୁବିଧା ପାଇଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାର ୧୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଜଗତସଂହପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୦୨ଟି ସ୍କୁଲର ରୂପାନ୍ତର କରାଯାଇଛି ଏବଂ ଚତୁର୍ଥ
ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ସ୍କୁଲକୁ ରୂପାନ୍ତରଣ କରାଯିବ । ମା’ ଶରଳା ମନ୍ଦିରକୁ ଇଣ୍ଟିଗ୍ରେଟେଡ ଡେଭଲପମେଣ୍ଟ ଅଫ୍‌ ହେରିଟେଜ୍‌ ମୋନୁମେଣ୍ଟସ୍‌ ଆଣ୍ଡ ଟୁର୍ଷ୍ଟ ଡେଷ୍ଟିନେସନ୍‌ ଯୋଜନାରେ ସାମିଲ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ମା’ଙ୍କ ପୀଠର ଉନ୍ନତି ପାଇଁ ୪୨ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ଏବଂ୨୦୨୩ ଡିସେମ୍ବର ସୁଦ୍ଧା ଏହି କାମ ସମ୍ପୂର୍ଣ୍ଣ ହେବ । ଏହି କାର୍ଯ୍ୟକ୍ରମରେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରର ଦାସ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ବିକାଶର ଅଗ୍ରଦୂତ ଭାବେ ବର୍ଣ୍ଣନା କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଯୋଗୁ ଓଡିଶା ଆଜି ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ସୁନାମ କରିପାରିଛି । ଜଗତସିଂହପୁରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁ ସାରା ଜିଲ୍ଲାବାସୀଙ୍କ ପକ୍ଷରୁ ସେମାନେ କୃତଜ୍ଞତା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭିକେ ପାଣ୍ଡିଆନ୍‌ କାର୍ଯ୍ୟକ୍ରମ ସଂ·ଳନା କରିଥିବା ବେଳେ ଜଗତସିଂହପୁର ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ ।

Leave A Reply

Your email address will not be published.