ରାଜ୍ୟ ସରକାରଙ୍କ ଗର୍ଜନ ପରେ ମୁଣ୍ଡ ନୁଆଁଇଲା କେନ୍ଦ୍ର ଜିଏସ୍‌ଟି ଜାଲରୁ ମୁକୁଳୁ କେନ୍ଦୁପତ୍ର

0 60

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୮ା୧୨(ଡିକେ ନ୍ୟୁଜ): କେନ୍ଦୁପତ୍ରକୁ ସମ୍ପୂର୍ଣ୍ଣ ଜିଏସ୍‌ଟି କର ମୁକ୍ତ କରାଯାଉ । ୪୮ତମ ଜିଏସ୍‌ଟି ପରିଷଦ ବୈଠକରେ ଜୋରଦାର କରିଛି ଓଡ଼ିଶା । ରାଜ୍ୟ ଦାବି ଆଗରେ ମୁଣ୍ଡ ନୋଇଁଲା କେନ୍ଦ୍ର । କେନ୍ଦୁପତ୍ର ଉପରୁ ଜିଏସ୍‌ଟି ମୁକ୍ତ ନେଇ ଅନୁଧ୍ୟାନ କରିବ ଫିଟମେଣ୍ଟ କମିଟି । ରାଜ୍ୟ ସରକାରଙ୍କ ଗର୍ଜ୍ଜନ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ କର୍ମ·ରୀଙ୍କୁ ହକ୍‌ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ସ୍ୱର ଉଠାଇ ଆସିଛନ୍ତି । ୮ ଲକ୍ଷ ଆଦିବାସୀ ମହିଳା ଓ ତୋଳାଳିଙ୍କ ଜୀବନ ଜୀବିକା ରକ୍ଷା ଲାଗି ଏକାଧିକ ଚିଠି ଲେଖିଛନ୍ତି । ହେଲେ କେନ୍ଦ୍ର କିନ୍ତୁ ଏହାକୁ ଅଣଦେଖା କରି·ଲିଥିଲା । ଆଜି ୪୮ତମ ଜିଏସ୍‌ଟି ପରିଷଦ ବୈଠକରେ ଘମାଘୋଟ ଆଲୋଚନା ପରେ ନରମ ପଡିଛି କେନ୍ଦ୍ର । କେନ୍ଦୁପତ୍ରରୁ ତିଆରି ବିଡ଼ି ଉପରେ ୨୮ ପ୍ରତଶତ ଜିଏସ୍‌ଟି ଲାଗୁଛି । ଏଥିରେ ୧୪ ପ୍ରତିଶତ ରାଜସ୍ୱ ପାଉଛି କେନ୍ଦ୍ର । ତାହେଲେ କାହିଁକି କେନ୍ଦୁପତ୍ର ଉପରେ ଜିଏସ୍‌ଟି ଲାଗିବ ? କେନ୍ଦୁପତ୍ରକୁ ସମ୍ପୂର୍ଣ୍ଣ ଜିଏସ୍‌ଟି ମୁକ୍ତ କଲେ ନା ରାଜ୍ୟର କି କେନ୍ଦ୍ରର କିଛି ବି କ୍ଷତି ହେବନାହିଁ । ଓଡ଼ିଶାର ଏପରି ଜୋରଦାର ଯୁକ୍ତି ଆଗରେ ମୁଣ୍ଡ ନୂଆଁଇଛି କେନ୍ଦ୍ର । ଓଡ଼ିଶା ସହିତ ସ୍ୱର ମିଳାଇଛି ତେଲେଙ୍ଗାନା । ଲଘୁବନଜାତ ଦ୍ରବ୍ୟ କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ଛାଡ଼ ନେଇ ମୁଖ୍ୟମନ୍ତ୍ରୀ ଶେଷଥର ପାଇଁ ନଭେମ୍ବର ୨୫ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କେନ୍ଦ୍ରର ମନମାନି ଚରମ ସୀମାରେ ଥିବାବେଳେ ତୋଳାଳି ଓ ସିଜିନାଲ କର୍ମ·ରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ଆର୍ଥିକ ବର୍ଷ ଜୁନ୍‌ ମାସରେ ରାଜ୍ୟକୁ ଜିଏସ୍‌ଟି କ୍ଷତିପୂରଣ ଆଇନର ଅବଧି ସରିଛି । ଏହି କ୍ଷତିପୂରଣ ଅବଧି ବୃଦ୍ଧି ନେଇ ପଞ୍ଜାବ, ତେଲେଙ୍ଗାନା, ତାମିଲନାଡ଼ୁ, ରାଜସ୍ଥାନ, ଝାଡଖଣ୍ଡ ଓ ଛତିଶଗଡ଼ ବୈଠକରେ ଦାବି କରିଛନ୍ତି । ଏବେବି ଗତବର୍ଷର ୧୧ଶହ କୋଟି ଓ ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୟମାସିକର କ୍ଷତିପୂରଣ ଅର୍ଥ କେନ୍ଦ୍ର ଓଡ଼ିଶାକୁ ଦେଇନାହିଁ । କେନ୍ଦୁପତ୍ର ଉପରୁ ଜିଏସ୍‌ଟି କର ଛାଡ଼ ନକରି ଆଦିବାସୀଙ୍କ ଜୀବିକା ଉପରେ କେନ୍ଦ୍ର କୁଠାରଘାତ କରୁଛି । ଏହି ପ୍ରସଙ୍ଗ ଫିଟ୍‌ମେଣ୍ଟ କମିଟିକୁ ଗଲେ ଓଡ଼ିଶାର ଦାବି ନିଶ୍ଚିତ ପୂରଣ ହେବ । ଓଡ଼ିଶାର ଲକ୍ଷାଧିକ ଲୋକଙ୍କ ଜୀବନ ଜୀବିକା କେନ୍ଦୁପତ୍ର ଉପରେ ନିର୍ଭର କରୁଛି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଝାଡ଼ଖଣ୍ଡରେ କଞ୍ଚା କେନ୍ଦୁପତ୍ର ବିକ୍ରି ହେଉଥିବା ବେଳେ ଓଡ଼ିଶାରେ ବିଧିବଦ୍ଧ ଭାବେ କେନ୍ଦୁପତ୍ରକୁ ପ୍ରକ୍ରିୟାକରଣ କରାଯାଇ ବିକ୍ରି ହେଉଛି । ଯେଉଁଥି ପାଇଁ ଓଡ଼ିଶାର କେନ୍ଦୁପତ୍ର ଉପରୁ ଶହ ଶହ କୋଟି ଟଙ୍କାର ରାଜସ୍ୱ କେନ୍ଦ୍ର ସରକାର ପାଉଛନ୍ତି । କିନ୍ତୁ ୧୮ ପ୍ରତିଶତ ଜିଏସ୍‌ଟିରେ ଓଡ଼ିଶା ଟଙ୍କାଟିଏ ବି ପାଉନାହିଁ । କେନ୍ଦୁପତ୍ର ବ୍ୟବସାୟରୁ ମିଳୁଥିବା ଶତପ୍ରତିଶତ ଲାଭାଂଶ ୨୦୧୭ ମସିହାରୁ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳିଙ୍କ ସାମାଜିକ କଲ୍ୟାଣ ପାଇଁ ବିନିଯୋଗ କରୁଛନ୍ତି । ଜିଏସ୍‌ଟି କ୍ଷତିପୂରଣ ଅବଧି ବୃଦ୍ଧି ବି ଯୁକ୍ତିଯୁକ୍ତ । ଫିଟ୍‌ମେଣ୍ଟ କମିଟି ସୁପାରିସ କରିଥିବା ୯ଟି ଏଜେଣ୍ଡା ଉପରେ ଏହି ପରିଷଦ ବୈଠକରେ ଆଲୋଚନା ହେବାର ଥିବାବେଳେ କେନ୍ଦୁପତ୍ର ଓ ଜିଏସ୍‌ଟି କ୍ଷତିପୂରଣ ଅବଧି ବୃଦ୍ଧି ନେଇ ଜୋରଦାର ଆଲୋଚନା ହେବାରୁ ବୈଠକ ଅଧାରୁ ସ୍ଥଗିତ ରହିଥିଲା । କେନ୍ଦୁପତ୍ରକୁ ସମ୍ପୂର୍ଣ୍ଣ ଜିଏସ୍‌ଟି ମୁକ୍ତ ନକଲେ ଆଗକୁ ପଲ୍ଲୀରୁ ଦିଲ୍ଳୀ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି କେନ୍ଦୁପତ୍ର କର୍ମଚାରୀ ସଂଘ ।

Leave A Reply

Your email address will not be published.