ନୀଳାଦ୍ରି ବିହାରରୁ ଅଭିଯାନ ଆରମ୍ଭ ମଶାବଂଶ ନିପାତ କରିବ ଡ୍ରୋନ

0 66

ଭୁବନେଶ୍ୱର, ୧୮ା୧୨(ଡିକେ ନ୍ୟୁଜ): ରାଜଧାନୀରେ ଉତ୍ପାତ କରୁଛନ୍ତି ମଶା । ଦିନ କି ରାତି ବସାଇ ଉଠାଇ ଦେଉନାହାନ୍ତି । ଗୋଡେଇ ଗୋଡେଇ କାମୁଡୁଛନ୍ତି କିଛି ମାନୁ ନାହାଁନ୍ତି । ଅତିଷ୍ଠ ହୋଇ ପଡିଲେଣି ଲୋକ । ବାରମ୍ବାର ବିଏମସି ନିକଟରେ ଅଭିଯୋଗ କରି ଆସୁଛନ୍ତି । ବିଏମସି ପକ୍ଷରୁ ମଶା ମାରିବା ପାଇଁ ମଶା ଧୂଆଁ ଓ ତରଳ ରସାୟନିକ ପଦାର୍ଥ ଛିଞ୍ଚନ କରାଯାଉଥିଲେ ମଧ୍ୟ ମଶାବଂଶ ଏତେ ବଢି ଯାଇଛି ଯେ ତାହା କାମ କରୁନାହିଁ । ବିଏମ୍‌ସି ପକ୍ଷରୁ ମଶା ବଂଶ ନିପାତ କରିବା ପାଇଁ ଏକ ଘରୋଇ କମ୍ପାନୀ ସହିତ ଚୁକ୍ତିନାମା କରାଯାଇ ଡ୍ରୋନ୍‌ ଅଣା ଯାଇଛି । ଏହି ଡ୍ରୋନ୍‌ ମଶା ଉତ୍ପତି ସ୍ଥଳ ଖୋଜି ଖୋଜି ମଶା ମାରିବା ସହିତ ମଶା ବଂଶ ନିପାତ କରିବ । ଆଜି ଭୁବନେଶ୍ୱର ମହାନଗର ନିବମ ପକ୍ଷରୁ ଉତ୍ତର ଜୋନ୍‌ ଅର୍ନ୍ତଗତ ୧୪ ନମ୍ବର ଓାର୍ଡର ନୀଳାଦ୍ରି ବିହାର ସେକ୍ଟର ୩ ଓାର୍ଡ କାଯ୍ୟାଳୟ ଠାରେ ଡ୍ରୋନ୍‌ ଦ୍ୱାରା ମଶା ମରା ଅଭିଯାନ ଆରମ୍ଭ କରାଯାଇଛି । ଏଥିପାଇଁ ବ୍ୟବହୃତ ହେଉଥିବା ଦୁଇଟି ଡ୍ରୋନ୍‌ ମଧ୍ୟରୁ ଛୋଟ ଡ୍ରେନ୍‌ଟି ଉଡାଣ କରି ନୀଳାଦ୍ରି ବିହାରର ସେକ୍ତର ତିନି, ଚାରି, ପାଞ୍ଚ, ଜିଏ ପ୍ଲଟ, ଲୁମ୍ବିନୀ ବିହାର ଓ ୧୦ ଟି ବସ୍ତି ଅଞ୍ଚଳରେ ରହିଥିବା ମଶା ଉତ୍ପତି ସ୍ଥଳ ଚିହ୍ନଟ କରିବା ସହିତ ସ୍ଥିର ଚିତ୍ର ଉତ୍ତୋଳନ କରିଥିଲା । ଆସନ୍ତାକାଲି ବଡ ଡ୍ରୋନ୍‌ ଦ୍ୱାରା ମଶା ମରା ରାସାୟନିକ ତରଳ ପଦାର୍ଥ ଛିଞ୍ଚନ କରାଯିବାର ଯୋଜନା ରହିଛି । ଏହି ଡ୍ରୋନ୍‌ରେ ୧୦ ଲିଟର କ୍ଷମତା ବିଶିଷ୍ଟ ଏକ ଟାଙ୍କି ରହିଛି । ଯେଉଁଥିରେ ରସାୟନିକ ତରଳ ପଦାର୍ଥ ଭର୍ତ୍ତି କରାଯାଇ ଡେଣା ମାଧ୍ୟମରେ ଛିଞ୍ଚନ କରାଯିବ ବୋଲି ସଂସ୍ଥା ତରଫରୁ ଅସିଥିବା ଅଧିକାରୀ କହିଛନ୍ତି । ଅଜିର ଏହି କାର୍ଯ୍ୟକ୍ରମରେ ୧୪ ନମ୍ବର ଓାର୍ଡର କର୍ପୋରେଟର ମୋନାଲିସା ସାହୁ, ଅତିରିକ୍ତ କମିଶନର ଲକ୍ଷୀକାନ୍ତ ସେଠୀ, ଡେପୁଟି କମିଶନର ପୁରନ୍ଦର ନନ୍ଦ, ସହକାରୀ କମିଶନର ପଲ୍ଲବୀ ବେହେରା, ସିଟି ସ୍ୱାସ୍ଥ୍ୟ ଅଧିକାରୀ ଦୀପକ ବିଶୋଇ, ସ୍ୱାସ୍ଥ୍ୟ ଅଧିକାରୀ ଅର୍ନ୍ତଯ୍ୟାମୀ ମିଶ୍ର, ଓାର୍ଡ ଅଧିକାରୀ ସୁଜିତ କୁମାର ସ୍ୱାଇଁ ଓ ଯୁବନେତା ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.