ଚୀନ୍‌କୁ ଗ୍ରାସୁଛି କରୋନା : ସାରା ବିଶ୍ୱରେ କମ୍ପନ ଦୈନିକ ୫ହଜାର ଲୋକଙ୍କ ଯାଉଛି ଜୀବନ

0 66

ବେଜିଂ, ୨୨ା୧୨: ଚୀନ୍‌କୁ ଗ୍ରାସୁଛି କରୋନା, ବିଶ୍ୱ ସାରା କମ୍ପନ । ଜୁଆଡେ ଚାହିଁଲେ କୁଢ଼ କୁଢ଼ ଶବ । ଶ୍ମଶାନରେ ଲମ୍ବା ଲାଇନ୍‌ । ମୃତ୍ୟୁର ଫାଶ ବସାଇ ଜୀବନ ସାଉଣ୍ଟୁଛି କରୋନା । ଜିରୋ କୋଭିଡ୍‌ ନୀତି ହଟିବା ପରେ ମହାବିପର୍ଯ୍ୟୟ ଆଣିଛି ମହାମାରୀ । ଭୟଙ୍କର ଭାବେ ମାଡ଼ୁଛି ଭାଇରସ୍‌ । ଦିନକୁ ୧୦ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ୫ହଜାର ଲୋକଙ୍କ ଜୀବନ ଯାଉଛି । ଇଏତ ଆରମ୍ଭ ମାତ୍ର, ଆଗକୁ ଆହୁରି ସ୍ଥିତି ଭୟଙ୍କର ହେବ । ବ୍ଲୁମବର୍ଗ ରିପୋର୍ଟ ମୁତାବକ ଚୀନ୍‌ରେ
ଏବେ ପ୍ରଥମ ଲହର ଚାଲିଛି । ଜାନୁଆରୀ ମଧ୍ୟଭାଗ ପର୍ଯ୍ୟନ୍ତ ଏହି ପ୍ରଥମ ଲହର ଚାଲିବ । ପ୍ରଥମ ଲହର ଶେଷ ହେବାର ଠିକ୍‌ ପରେ ପରେ ଦ୍ୱିତୀୟ ଲହର ଆସିବ । ସେତେବେଳେ ଦିନକୁ ୩୦ଲକ୍ଷ ଲୋକ ସଂକ୍ରମିତ ହେବେ । ଫେବୃଆରୀ ଶେଷ ଆଡକୁ ଆରମ୍ଭ ହେବ ତୃତୀୟ ଲହର । ମାର୍ଚ୍ଚ ମଧ୍ୟଭାଗ ପର୍ଯ୍ୟନ୍ତ ଏହା ଚାଲିବ । ସେତେବେଳେ ସଂକ୍ରମଣ ଆଉ ମୃତ୍ୟୁର ସୁନାମୀ ଆଣିବ କରୋନା । ଦିନକୁ ୪୨ଲକ୍ଷ ଲୋକ ସଂକ୍ରମିତ ହେବେ । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ସ୍ୱୀକାର କରିବାକୁ ଚୀନ୍‌ର କମ୍ୟୁନିଷ୍ଟ ସରକାର ପ୍ରସ୍ତୁତ ନୁହେଁ । ଗତ ୨୪ ଘଣ୍ଟାରେ ୩ହଜାରରୁ କମ୍‌ ସଂକ୍ରମଣ ହୋଇଥିବା ଦର୍ଶାଯାଉଛି । କିନ୍ତୁ ପ୍ରକୃତ ଚିତ୍ର ବୟାନ କରୁଛି ସୋସିଆଲ ମିଡିଆରେ ଭାଇରାଲ ଭିଡିଓ । ପୂର୍ବରୁ କୌଣସି ଦେଶରେ ଏତେ ଭୟଙ୍କର ସ୍ଥିତି ହୋଇନଥିଲା । ଚୀନରେ ଏହି ସଂକ୍ରମଣ ପଛରେ ରହିଛି ବିଏ.୭ ଭାରିଆଣ୍ଟ । ଯାହା ଓମିକ୍ରନ୍‌ ଭାରିଆଣ୍ଟର ସବ୍‌ ଲିନିଏଣ୍ଟ । ଗତ କିଛି ଦିନ ଭିତରେ ଆଉ କିଛି ଦେଶରେ ମଧ୍ୟ ସଂକ୍ରମଣ ବଢ଼ିଛି । କିନ୍ତୁ ଭାରତରେ ସଂକ୍ରମଣ ସେତେଟା ଉଦ୍‌ବେଗଜନକ ନଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଭାରତର ପ୍ରସ୍ତୁତି ଓ ପଦକ୍ଷେପ ନେଇ ସେ ଆଜି ସଂସଦରେ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଅନ୍ତର୍ଜାତୀୟ ଏୟାରପୋର୍ଟରେ ବିଦେଶ ଫେରନ୍ତାଙ୍କ ରାଣ୍ଡମ ଆରଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି । ନୂଆ ଭାରିଆଣ୍ଟ ଚିହ୍ନଟ ପାଇଁ ଜିନ୍‌ ଅନୁଶୀଳନ ବଢ଼ାଇବାକୁ ସବୁ ରାଜ୍ୟକୁ ପରାମର୍ଶ ଦିଆଯାଇଛି । ଆଗକୁ ନୂଆବର୍ଷ ଥିବାରୁ ଏବେଠାରୁ ମାସ୍କ ପିନ୍ଧିବା ସହିତ ସାନିଟାଇଜର ବ୍ୟବହାର ଓ ସାମାଜିକ ବ୍ୟବଧାନ ରଖିବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ସବୁ ଲୋକଙ୍କ ପ୍ରିକସନ୍‌ ଡୋଜ୍‌ ନେବାକୁ ସଚେତନତା ସୃଷ୍ଟି କରାଯାଇଥିବା କହିଛନ୍ତି ଶ୍ରୀ ମାଣ୍ଡଭ୍ୟ । ଏଥିସହିତ ଚୀନ୍‌ର କୋଭିଡ୍‌ ସ୍ଥିତି ସାରା ବିଶ୍ୱରେ ଛାତିରେ ଛନକା ଭରି ଦେଇଥିବାରୁ ଆଗକୁ କ’ଣ ହେବ ସେଥିପାଇଁ ସମସ୍ତେ ସଜାଗ । ପଡେ଼ାଶୀ ଚୀନ୍‌ର ସ୍ଥିତି ଦେଖି ସତର୍କତାମୂଳକ ପଦକ୍ଷେପ ଆରମ୍ଭ କରିଛି ଭାରତ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୃହମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.